ଡେରାଡୁନ: ଉତ୍ତରାଖଣ୍ଡର ଡେରାଡୁନ ସ୍ଥିତ ରାଜପୁର ରୋଡ୍ ଅଞ୍ଚଳରେ ଏକ ପ୍ରତିଷ୍ଠିତ ଜୋତା ଶୋ’ ରୁମ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛି । ଶୋ’ ରୁମ୍ ଭିତରକୁ ବଜରଙ୍ଗ ଦଳର କର୍ମୀମାନେ ଜବରଦସ୍ତି ପଶି ହଙ୍ଗାମା କରିଥିବା ଅଭିଯୋଗ ହୋଇଛି । ବଜରଙ୍ଗ ଦଳର ଉତ୍ତରାଖଣ୍ଡ ପ୍ରାନ୍ତ ସଂଯୋଜକ ବିକାଶ ବର୍ମାଙ୍କ ନେତୃତ୍ୱରେ କର୍ମୀ ଦୋକାନରେ ପ୍ରବେଶ କରିଥିଲେ । ସେମାନେ ଶୋ’ ରୁମର ମୁସଲିମ ମ୍ୟାନେଜରମାନଙ୍କ ନେମ୍ ଟ୍ୟାଗ୍‌ରେ "ଜିହାଦୀ" ଲେଖିଥିବା ଜଣାପଡ଼ିଛି ।

ଏହି ଘଟଣାଟି ଗୁରୁବାର ଘଟିଥିବା ବେଳେ ଏବେ ସୋସିଆଲ୍ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ସଂଗଠନର ସଦସ୍ୟମାନେ ଶୋ’ ରୁମ୍ ଭିତରେ କେବଳ ମୁସଲିମ୍ କର୍ମଚାରୀମାନଙ୍କୁ ଟାର୍ଗେଟ୍ କରୁଛନ୍ତି ଏବଂ ସେମାନଙ୍କ ନେମ୍ ଟ୍ୟାଗ୍ ଛଡ଼ାଇ ସେଥିରେ 'ଜିହାଦୀ' ଲେଖୁଛନ୍ତି । (ତେବେ ପ୍ରମେୟ ନ୍ୟୁଜ୍ ୭ ଏହି ଭିଡିଓର ସତ୍ୟତାକୁ ସ୍ୱତନ୍ତ୍ର ଭାବେ ନିଶ୍ଚିତ କରିନାହିଁ)।

ବଜରଙ୍ଗ ଦଳର ଦାବି

ବଜରଙ୍ଗ ଦଳର ନେତା ବିକାଶ ବର୍ମା କରିଛନ୍ତି ଯେ, ଶୋ’ ରୁମର ଦୁଇ ଜଣ ମୁସଲିମ୍ ମ୍ୟାନେଜର ସେଠାରେ କାମ କରୁଥିବା ହିନ୍ଦୁ କର୍ମଚାରୀମାନଙ୍କୁ ମିଛ ଚୋରି ଅଭିଯୋଗରେ ହଇରାଣ କରୁଥିବା ନେଇ ସେମାନଙ୍କୁ ଏକ ଅଭିଯୋଗ ପତ୍ର ମିଳିଥିଲା । ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ବର୍ମା ଅଭିଯୋଗ କରିଛନ୍ତି, "ଏହି ଦୁଇ ମ୍ୟାନେଜର ହିନ୍ଦୁ କର୍ମଚାରୀମାନଙ୍କୁ ଟାର୍ଗେଟ୍ କରୁଥିଲେ ଏବଂ ଓଭରଟାଇମ୍ ଆଲାଉନ୍ସ ନଦେଇ ସେମାନଙ୍କୁ ଦିନକୁ ୧୪ ଘଣ୍ଟା କାମ କରାଉଥିଲେ ।"

ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ପୋଲିସ କୌଣସି ଏଫଆଇଆର ରୁଜୁ କରିନାହିଁ । ଶୋ’ ରୁମ୍ ନିକଟରେ ଥିବା ଧାରା ପୋଲିସ ଚେକ୍ ପୋଷ୍ଟର ଦାୟିତ୍ୱରେ ଥିବା ସବ୍-ଇନ୍ସପେକ୍ଟର ସନ୍ଦୀପ କୁମାର କହିଛନ୍ତି ଯେ, ଏପର୍ଯ୍ୟନ୍ତ କୌଣସି ପକ୍ଷରୁ ଲିଖିତ ଅଭିଯୋଗ ମିଳିନାହିଁ । ଯଦି କେହି ଅଭିଯୋଗ କରନ୍ତି, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।