ସୋର: ସୋର ଜେଲ ୱାର୍ଡରଙ୍କୁ ଆକ୍ରମଣ ଘଟଣାର ପର୍ଦ୍ଦାଫାସ । ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଏହି ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରାୟ ୧୦୦ ସିସିଟିଭି ଯାଞ୍ଚ କରିବାକୁ ପଡ଼ିଥିଲା ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ପରେଶ ରାଉତ ।

ସୂଚନାଥାଉକି, ଗତ ୨୬ ତାରିଖରେ ସୋର ଉପକାରାଗାରର ୱାର୍ଡର ସୁରେନ୍ଦ୍ର ସାମଲ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ମାଣତ୍ରୀ ଛକ ନିକଟରେ ଦିନ ଦ୍ୱିପ୍ରହରରେ ଭୁଜାଲିରେ ହାଣିଥିଲେ ଦୁର୍ବୃତ୍ତ। ଘଟଣାରେ ଜିଲ୍ଲା ଏସପି ପ୍ରତ୍ୟୁଷ ଦିବାକରଙ୍କ ନିର୍ଦ୍ଦେଶରେ ତିନି ପୋଲିସ ଟିମ ଚଢ଼ାଉ କରି ୫ ଅପରାଧୀଙ୍କୁ ଧରିବାରେ ସଫଳତା ପାଇଛି l ଜେଲରେ ଥିବା ଅପରାଧୀଙ୍କ ଯୋଜନା ପରେ ଏପରି କାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ।

Also Read: ମାଆକୁ ତଣ୍ଟି ଚିପି ମାରିଦେଲା ପୁଅ, ଗିରଫ କଲା ପୋଲିସ

ସାମ୍ବାଦିକ ସମ୍ମିଳନୀରେ ଆଡିସନାଲ ଏସପି ପରେଶ ରାଉତ କହିଥିଲେ ଯେ, ପ୍ରାୟ ଶହେ ସିସିଟିଭି ଯାଞ୍ଚ ପରେ ଅପରାଧୀଙ୍କୁ ଧରିବାକୁ ପୋଲିସ ସକ୍ଷମ ହୋଇଥିଲା l ଫେରାର ଥିବା ପାଞ୍ଚ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ । ଅଭିଯୁକ୍ତମାନଙ୍କ ଠାରୁ ତେଲେଙ୍ଗାନା କଟୁରି, ଖଣ୍ଡା ଓ ୫ ମୋବାଇଲ ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ ସଦର ଥାନା ସେକ୍ ପାଟଣା ଅଞ୍ଚଳର ଅଜିତ ପରିଡ଼ା, ବାଲେଶ୍ୱର ଟାଉନ ଥାନା ଅଞ୍ଚଳର ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ବାରିକ, ରଘୁନାଥ ପୁର ମନୋଜ ତରେଇ, ସାରଗାଁ ଜଗବନ୍ଧୁ ଦାସ ଓ କେଶରପୁର କାର୍ତ୍ତିକ ସେନାପତି ।