News7 Logo

ଜାତୀୟ ରାଜପଥରେ ଅଘଟଣ, ବିଚ୍ ରାସ୍ତାରେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ

NEWS7
nh

ଜଳେଶ୍ୱର ୦୮।୦୯ : ବାଲେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ କମାଳପୁର ନିକଟରେ ଅଘଟଣ । ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ଟଙ୍କା ଓ ମୋବାଇଲ ଫୋନ୍‌। ଆକ୍ରମଣରେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ୬୦ ନଂ ଜାତୀୟ ରାଜପଥ ଏବେ ଅସାମାଜିକ ଯୁବକମାନଙ୍କର ଆଡ୍ଡା ସ୍ଥଳୀ ପାଲଟିଛି । ଅନେକ ସମୟରେ ଗାଡି ମୋଟର ଅଟକାଇ ମୋଟା ଅଙ୍କର ଚାନ୍ଦା ଆଦାୟ କରିବା ଓ ଯାତ୍ରୀଙ୍କୁ ଆକ୍ରମଣ କରି ଲୁଟ୍‌ କରୁଛନ୍ତି। ରବିବାର ବିଳମ୍ବିତ ରାତିରେ ଜଳେଶ୍ୱର ଥାନା ବାଣିଦା ଗାଁର ଅରୁଣ ମହାନ୍ତି ନାମକ ଯୁବକ ରାଜଘାଟ ଅଞ୍ଚଳର ଏକ ଢାବାରୁ କାମ ସାରି ନିଜ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ୩ଜଣ ଯୁବକ ବାଇକ୍‌ରେ ଭୁଜାଲି ଧରି ତାଙ୍କ ପଛରେ ଗୋଡାଇଥିଲେ। ଦୁର୍ବୃତ୍ତମାନେ ଜମାଳପୁର ବାଇପାସ ନିକଟରେ ଅରୁଣକୁ ଆକ୍ରମଣ କରିଥିଲେ। ଏଥିରେ  ଅରୁଣର ଦୁଇ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଯାହା ଫଳରେ ସେ ଗୁରୁତର ହୋଇ  ପଡ଼ିଥିଲେ। ଦୁର୍ବୃତ୍ତମାନେ ତାଙ୍କ ଠାରୁ ୨୦ହଜାର ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇ ପଳାଇ ଥିଲେ। ଅରୁଣ ରାସ୍ତା ଉପରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଯାତ୍ରୀ ମାନେ ଦେଖି ଜାତୀୟ ରାଜପଥ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଜାତୀୟ ରାଜପଥ ଆମ୍ବୁଲାନ୍ସ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ। ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ  ବାଲେଶ୍ୱର ଓ ତାପରେ କଟକ ସ୍ଥାନାନ୍ତର କରାଯାଇଛି। ଜଳେଶ୍ୱର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ପୋଲିସ ନାଇଟ ପାଟ୍ରୋଲିଂ ନ କରିବାରୁ ଏଭଳି  ଘଟଣା ଘଟୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।