ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ମଣିପୁର ଗସ୍ତ ପୂର୍ବରୁ ରାଜ୍ୟରେ ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି। ଦଳର ୪୩ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। ଗୁରୁବାର ମଣିପୁରର ଉଖରୁଲ ଜିଲ୍ଲାର ଫୁଙ୍ଗୟାର ମଣ୍ଡଳରୁ ଅତି କମରେ ୪୩ ଜଣ ଭାରତୀୟ ଜନତା ପାର୍ଟିସଦସ୍ୟ ଇସ୍ତଫା ଦେଇଥିବା ଜଣେ ଦଳୀୟ କର୍ମକର୍ତ୍ତା ସୂଚନା ଦେଇଛନ୍ତି ପିଟିଆଇ ରିପୋର୍ଟ ଅନୁଯାୟୀ, ନାଗା ବହୁଳ ନିର୍ବାଚନମଣ୍ଡଳୀରୁ ଇସ୍ତଫା ଦେଉଥିବା ଲୋକଙ୍କ ମଧ୍ୟରେ ମଣ୍ଡଳ ସଭାପତି, ମହିଳା, ଯୁବ ଏବଂ କିଷାନ ମୋର୍ଚ୍ଚାର ମୁଖ୍ୟ ଏବଂ ଅନେକ ବୁଥ୍ ସଭାପତି ରହିଛନ୍ତି

ଏନେଇ ଏକ ଇସ୍ତଫା ଦେଇଥିବା ବିଜେପି ସଦସ୍ୟମାନେ ଏକ ବିବୃତ୍ତି ଜାରି କହିଛନ୍ତି ଯେ ସେମାନେ "ଦଳ ଭିତରେ ବର୍ତ୍ତମାନର ପରିସ୍ଥିତି ପାଇଁ ଗଭୀର ଚିନ୍ତିତ।" ବର୍ତ୍ତମାନ ଦଳରେ କୌଣସି ବିଚାରବିମର୍ଶ କରାଯାଉ ନାହିଁ। ତୃଣମୂଳ ସ୍ତରର ନେତୃତ୍ୱ ପ୍ରତି ଦଳରେ ସମ୍ମାନ ନାହିଁ ବୋଲି ସେମାନେ ଦଳ ଛାଡ଼ିଥିବା ଦର୍ଶାଇଛନ୍ତି। ବିବୃତ୍ତିରେ ଆହୁରି କୁହାଯାଇଛି ଯେ "ଦଳ ଏବଂ ଏହାର ବିଚାରଧାରା ପ୍ରତି ଆମର ଆନୁଗତ୍ୟ ସର୍ବଦା ଅଟଳ ରହିଛି। ଆମେ ଆମ ସମ୍ପ୍ରଦାୟ ଏବଂ ମଣିପୁରର ଲୋକଙ୍କ କଲ୍ୟାଣ ପାଇଁ କାମ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରୁଛୁ"

୨୦୨୩ ମେଁ ମାସରେ ମୈତେଇ ଏବଂ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ସଂଘର୍ଷ ଘଟିବାର ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରଧାନମନ୍ତ୍ରୀ ମୋଦି ମଣିପୁର ଗସ୍ତ କରିବାର ସମ୍ଭାବନା ରହିଛି। ସଂଘର୍ଷ ପରେ ଏହା ତାଙ୍କର ପ୍ରଥମ ଗସ୍ତ ହେବ। ତେବେ ମୋଦୀଙ୍କ ଆସିବା ପୂର୍ବରୁ ରାଜ୍ୟରେ ହିଂସକ ସଂଘର୍ଷ ଘଟି ୨୬୦ରୁ ଅଧିକ ଲୋକଙ୍କ  ଜୀବନ ଯାଇ ସାରିଛି। ହଜାର ହଜାର ଲୋକ ବାସଚ୍ୟୁତ ହୋଇ ସାରିଛନ୍ତିତେବେ ରାଜ୍ୟରେ ବିଜେପି ସରକାର ହିଂସା ରୋକିବାରେ ବିଫଳ ହୋଇଥିଲା।  ଫେବୃଆରୀରେ ବିଜେପି ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫା ପରଠାରୁ ରାଷ୍ଟ୍ରପତି ଶାସନ ବଳବତ୍ତର ରହିଛି।

ମଣିପୁର ଗସ୍ତରେ ପ୍ରଧାନମନ୍ତ୍ରୀ ଚୁରାଚାନ୍ଦପୁରରୁ ଯାତ୍ରା ଆରମ୍ଭ କରି ଇମ୍ଫାଲର କାଙ୍ଗଲା ଦୁର୍ଗରେ ଜନତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ବିସ୍ଥାପିତ ପରିବାରଗୁଡ଼ିକୁ ଭେଟି ପୁନର୍ବାସ ପ୍ୟାକେଜ ଘୋଷଣା କରିପାରନ୍ତି। ଦୀର୍ଘ ଦୁଇ ବର୍ଷ ହେବା ରାଜ୍ୟ ଜଳୁଥିବା ବେଳେ ଦେଶର ମୁଖିଆ ଏତେ ପରେ ଆସିବା ଲୋକଙ୍କ ଭିତରେ ଅସନ୍ତୋଷ ଭରିପାରେ। ତେଣୁ ମୋଦୀ ଏହାର ସମାଧାନ ପାଇଁ ବିସ୍ଥାପିତଙ୍କ ପାଇଁ ସହାୟତା ରାଶି ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।