ନୂଆଦିଲ୍ଲୀ: ଟ୍ରମ୍ପଙ୍କ କାର୍କେଡ୍ ପାଇଁ ହଟହଟା ହେଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ।  ଅଧା ରାସ୍ତାରେ ତାଙ୍କ କନଭୟକୁ ଅଟକାଇଥିଲା ନ୍ୟୁୟର୍କ ପୁଲିସ। ଏହାପରେ କାର୍‌ ଓହ୍ଲାଇ ସିଧା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ୍ କରିଥିଲେ ଫ୍ରାନ୍ସ ରାଷ୍ଟ୍ରପତି। ତା ପରର କାହାଣୀ ଖୁବ୍ ରୋଚକ। ଏହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

ଜାତିସଂଘ ସାଧାରଣ ପରିଷଦ (UNGA)ରେ ଏକ ଦୀର୍ଘ ଭାଷଣ ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଦିନର ଅବସର ପାଇଁ ଦୂତାବାସକୁ ଫେରୁଥିଲେ। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍କେଟ୍‌ ଯାଉଥିବାରୁ ନ୍ୟୁୟର୍କ ପୋଲିସ ମାକ୍ରନଙ୍କ କାର୍କେଡ୍‌କୁ ଅଟକାଇଥିଲା। ପୂରା ରୋଡ୍ ବ୍ଲକ୍ ଥିଲା। ବହୁତ ସମୟ ପର୍ଯ୍ୟନ୍ତ କାର୍କେଡ୍ ଅଟକି ରହିବା ପରେ ମାକ୍ରୋନ୍‌ ନିଜ କାରରୁ ଓହ୍ଲାଇ ନ୍ୟୁୟର୍କ ପୁଲିସ ଅଫିସରଙ୍କୁ ଘଟଣା ବିଷୟରେ ପଚାରି ବୁଝିଥିଲେ। ଯାହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

ଭିଡିଓରେ ମାକ୍ରନ ନ୍ୟୁୟର୍କର ଜଣେ ପୁଲିସ ଅଫିସରଙ୍କୁ ଘଟଣା ବିଷୟରେ ପଚାରୁଛନ୍ତି। ଆଉ ଜବାବରେ ପୁଲିସ ମାକ୍ରନଙ୍କୁ ବିଳମ୍ବ ପାଇଁ ସରି କହିବା ସହିତ ଟ୍ରମ୍ପଙ୍କ କାର୍କେଡ୍ ପାସ କରୁଥିବାରୁ ପୂରା ରୋଡ୍ ବ୍ଲକ୍ ରହିଛି ବୋଲି କହିଥିଲେ। ଟ୍ରମ୍ପଙ୍କର କାର୍କେଡ୍ ପାସ୍ ପରେ ଯାଇ ରୋଡ ବ୍ଲକ୍ ଖୋଲିବ ବୋଲି ପୁଲିସ ଅଫିସର ଜଣଙ୍କ କହୁଥିବା ଦେଖିବାକୁ ମିଳୁଛି।

ଏହାପରେ ମାକ୍ରନ ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ କରିଥିଲେ। କେମିତି ଅଛ ବୋଲି କହିଥିଲେ। ଏବଂ କହିଥିଲେ ମୁଁ ଅଧା ରାସ୍ତାରେ ଫସିକି ରହିଛି। କେବଳ ତୁମରି ପାଇଁ। ଏହାପରେ ସେ ଟ୍ରମ୍ପଙ୍କ ସହ ଫୋନ୍‌ରେ କଥା ହେଇ ହେଇ ପାଦରେ ଚାଲି ଚାଲି ଦୂତାବାସକୁ ଯାଉଥିଲେ। ଲୋକମାନଙ୍କ ସହ ସେଲ୍‌ଫି ବି ନେଇଥିଲେ। ଜଣେ ଲୋକ ମାକ୍ରନଙ୍କ ସହ ଫଟୋ ଉଠାଇବା ସହିତ ମାକ୍ରନଙ୍କ କପାଳକୁ ଚୁମା ବି ଦେଇଥିଲେ।  ଘଟଣାକୁ ନେଇ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।