ADR ରିପୋର୍ଟ; ପଞ୍ଚମ ପର୍ଯ୍ୟାୟରେ ୧୫୯ ପ୍ରାର୍ଥୀ ଦାଗୀ, ୨୨୭ଜଣ କୋଟିପତି

Published By : Prameya-News7 Bureau | May 14, 2024 IST

ନୂଆଦିଲ୍ଲୀ: ୨୦୨୪ ମହାଲଢ଼େଇର ମେ’ ୨୦ ତାରିଖ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ପଞ୍ଚମ ପର୍ଯ୍ୟାୟରେ  ମୋଟ ୬୯୫ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୨୭ ଜଣ କୋଟିପତି  ଥିବା ବେଳେ ୧୫୯ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । କୋଟିପତିଙ୍କ  ପ୍ରାର୍ଥୀଙ୍କର ହାରାହାରି ସମ୍ପତ୍ତି ୩.୫୬ କୋଟି ଟଙ୍କା ହେବ । ସେହିପରି ପଞ୍ଚମ ପ୍ରର୍ଯ୍ୟାୟରେ ମାତ୍ର ୧୨% ମହିଳା ପ୍ରାର୍ଥୀ ରହିଛନ୍ତି । 

ଆସୋସିଏସନ୍‌ ଫର୍‌  ଡେମୋକ୍ରାଟିକ ରିଫର୍ମସ ବା ଏଡିଆର୍‌  ରିପୋର୍ଟ ମୁତାବକ, ୧୨୨ ପ୍ରାର୍ଥୀ ନିଜ ନାମରେ ଗମ୍ଭୀର ଅପରାଧିକ ମାମଲା ଥିବା ସତ୍ୟପାଠରେ ପ୍ରାର୍ଥୀ ଉଲ୍ଲେଖ କରିଛନ୍ତି । ୪ ଜଣଙ୍କ  ନାଁରେ ହତ୍ୟା ଭଳି ସଙ୍ଗୀନ ମାମଲା ରହିଛି । ସେହିପରି ୨୮ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ, ୨୯ ପ୍ରାର୍ଥୀଙ୍କ ନାମରେ ମହିଳା ବିରୋଧୀ ଅପରାଧିକ ମାମଲା ରହିଛି । ଜଣେ ପ୍ରାର୍ଥୀଙ୍କ ବିରୋଧରେ ଦୁଷ୍କର୍ମ ଭଳି ମାମଲା ରହିଛି । ସେହିଭଳି  ଘୃଣା ଭାଷଣ ଦେବାକୁ ନେଇ ମୋଟ ୧୦  ପ୍ରାର୍ଥୀଙ୍କ ନାମରେ ମାମଲା ରହିଛି । 

ଏଡିଆର ରିପୋର୍ଟ ଦର୍ଶାଇଛି, ଯେ ପଞ୍ଚମ ପର୍ଯ୍ୟାୟରେ ସମାଜବାଦୀ ପାର୍ଟିର ମୋଟ  ୧୦ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣଙ୍କ ନାମରେ  ଅପରାଧିକ ମାମଲା ରହିଛି । ସେହିଭଳି  ବିଜେପିର ୪୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୯,  କଂଗ୍ରେସର ୧୮ ଜଣଙ୍କ ମଧ୍ୟରୁ ୮, ଟିଏମ୍‌ସିର  ୭ ପ୍ରାର୍ଥୀଙ୍କ ମଧ୍ୟରୁ ୩, ଶିବସେନା ଉଦ୍ଧବ   ଗୋଷ୍ଠୀର ୮ରୁ ୩, ଶିବସେନା ସିନ୍ଦେ ଗୋଷ୍ଠୀର  ୬ରୁ ୩, ଆର୍‌ଜେଡିର ୫ରୁ ଜଣେ ପ୍ରାର୍ଥୀଙ୍କ  ନାମରେ ଅପରାଧିକ ମାମଲା ରହିଛି ।  ବିଜେପିର ସର୍ବାଧିକ ୩୬ ପ୍ରାର୍ଥୀ କୋଟିପତି  ଥିବା ଜଣାପଡ଼ିଛି । ଏହି ପର୍ଯ୍ୟାୟରେ ସବୁଠୁ କୋଟିପତି ପ୍ରାର୍ଥୀ ହେଉଛନ୍ତି ଅନୁରାଗ ଶର୍ମା ।   ଉତ୍ତର ପ୍ରଦେଶର ଝାନ୍‌ସିରୁ ବିଜେପି ପ୍ରାର୍ଥୀ   ଭାବେ ଲଢ଼ୁଥିବା ଅନୁରାଗ ନିଜକୁ ୨୧୨ କୋଟି   ଟଙ୍କା ସମ୍ପତ୍ତିର ଅଧିକାର ଦର୍ଶାଇଥିଲେ ।   ଦ୍ୱିତୀୟ ସ୍ଥାନରେ ଥିବା ସ୍ୱାଧୀନ ପ୍ରାର୍ଥୀ ଭଗବାନ  ସାମ୍ଭରେଙ୍କ ସମ୍ପତ୍ତି ମୂଲ୍ୟ ୧୧୬  କୋଟି ଟଙ୍କା । ସେ ମହାରାଷ୍ଟ୍ରର  ଭିୱାଣ୍ଡିରୁ ଲଢ଼ୁଛନ୍ତି । ତୃତୀୟ  ସ୍ଥାନରେ ବିଜେପି ପ୍ରାର୍ଥୀ ପୀୟୂଷ ଗୋୟଲ ରହିଛନ୍ତି । ମହାରାଷ୍ଟ୍ରର ମୁମ୍ବାଇ ଉତ୍ତର ଆସନରୁ  ଲଢ଼ୁଥିବା ଗୋୟଲଙ୍କ ସମ୍ପତ୍ତିର ମୂଲ୍ୟ ୧୧୦  କୋଟି ଟଙ୍କା । ଜଣେ ପ୍ରାର୍ଥୀ ନିଜ ସମ୍ପତ୍ତି ମୂଲ୍ୟ  ଶୂନ ଦର୍ଶାଇଛନ୍ତି । ୩ ଜଣ ପ୍ରାର୍ଥୀ ନିଜ ସମ୍ପତ୍ତି   ମୂଲ୍ୟ ଯଥାକ୍ରମେ ୬୭ ଟଙ୍କା, ୭୦୦ ଟଙ୍କା ଓ  ୫,୪୨୭ ଟଙ୍କା ଦର୍ଶାଇଛନ୍ତି । 

ପଞ୍ଚମ ପର୍ଯ୍ୟାୟରେ ଲଢ଼ୁଥିବା ମୋଟ  ୬୯୫ ପ୍ରାର୍ଥୀଙ୍କ ମଧ୍ୟରୁ ୪୨%ଙ୍କ ଶିକ୍ଷାଗତ  ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ପର୍ଯ୍ୟନ୍ତ ରହିଛି ।  ୨୦୭ ଜଣଙ୍କ ବୟସ ୨୫ରୁ ୪୦ ବର୍ଷ  ମଧ୍ୟରେ ହୋଇଥିବା ବେଳେ ୩୮୪ ଜଣଙ୍କ  ବୟସ ୪୧ରୁ ୬୦ ବର୍ଷ । ୧୦୩ ପ୍ରାର୍ଥୀଙ୍କ  ବୟସ ୬୧ରୁ ୮୦ ବର୍ଷ ହୋଇଥିବା ଜଣଙ୍କ  ବୟସ ୮୨ ବର୍ଷ । ୬୯୫ ଜଣଙ୍କ ମଧ୍ୟରୁ  ୮୨ ଜଣ ବା ୧୨% ହେଉଛନ୍ତି ମହିଳା ।  ଉଲ୍ଲେଖଯୋଗ୍ୟ, ମେ ୨୦ରେ ହେବାକୁ ଥିବା  ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ  ମୋଟ ୪୯ ଆସନରେ ମତଦାନ ହେବ ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.