ଖଣ୍ଡପଡାରେ ପାଣ୍ଡିଆନ୍‌ଙ୍କ ପ୍ରଚାର, 'ନବୀନ ଶପଥ ନେବା ପରେ ବିଜୁଳି ବିଲ୍ ଛାଡ କରିବାକୁ ପ୍ରଥମ ଦସ୍ତଖତ କରିବେ'

Published By : Prameya-News7 Bureau | May 14, 2024 IST

ଭୁବନେଶ୍ବର ୧୪।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଅନ୍ୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋରସୋରରେ ଚାଲିଛି । ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ମଧ୍ୟ ପ୍ରଚାର ଜାରି ରଖିଛି । ବିଭିନ୍ନ ସ୍ଥାନରେ ଦଳର ଷ୍ଟାର୍ ପ୍ରଚାରକମାନେ ପ୍ରଚାର ଜାରି ରଖିଛନ୍ତି । ବିଜେଡିର ବରିଷ୍ଠ ନେତା ତଥା ଷ୍ଟାର ପ୍ରଚାରକ ଭି.କେ. ପାଣ୍ଡିଆନ୍‌ ମଧ୍ୟ ମାରାଥନ୍ ପ୍ରଚାର ଜାରି ରଖିଛନ୍ତି । ମଙ୍ଗଳବାର ଖଣ୍ଡପଡ଼ାରେ ଭି.କେ. ପାଣ୍ଡିଆନ୍‌ ପ୍ରଚାର କରିଛନ୍ତି । 

ଏହି ଅବସରରେ ଜୟ ଜଗନ୍ନାଥ, ଜୟ ନୀଳମାଧବ କହି ପ୍ରଚାର ଆରମ୍ଭ କରିଥିଲେ ପାଣ୍ଡିଆନ୍ । ଆପଣମାନେ କେମିତି ଅଛନ୍ତି ବୋଲି ପଚାରି ଉପସ୍ଥିତ ଜନତାଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଜେଡି ପ୍ରାର୍ଥୀ ବିଜୟୀ ହେଲେ ଖଣ୍ଡପଡାର ଉନ୍ନତି ହେବ ବୋଲି ପାଣ୍ଡିଆନ୍ କହିଥିଲେ । ଏହାସହ ଦୁଇଟି ଶଙ୍ଖ ବାଜିଲେ ଖଣ୍ଡପଡାରେ ନବୀନ ଇଞ୍ଜିନ ଚାଲିବ । ଯାହା ବି ଦାବି ରହିଛି, ତାହା ଖୁବ୍ କମ ଦିନରେ ପୂରଣ ହେବ । ବିଭିନ୍ନ ମନ୍ଦିରର ରୂପାନ୍ତରଣ ସହ ଦକ୍ଷତା ବିକାଶ କେନ୍ଦ୍ର ଏଠାରେ ଖୋଲାଯିବ ବୋଲି କହିଛନ୍ତି ପାଣ୍ଡିଆନ ।

ଖଣ୍ଡପଡା ଜନସଭାରେ ପୁଣି ମୁଖ୍ୟମନ୍ତ୍ରୀଙ୍କ ଶପଥ ନେବା କଥା ଦୋହରାଇଥିଲେ ପାଣ୍ଡିଆନ୍ । ସେ କହିଥିଲେ, ମହାପ୍ରଭୁ ଓ ଆପଣଙ୍କ ଆଶୀର୍ବାଦରୁ ଜୁନ୍‌ ୯ ତାରିଖରେ ପୁଣି ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ । ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଜୁଳି ବିଲ୍ ଛାଡ କରିବାକୁ ପ୍ରଥମ ଦସ୍ତଖତ କରିବେ । ଯାହାଦ୍ୱାରା ୯୦% ପରିବାର ଉପକୃତ ହେବେ । ଆପଣଙ୍କ ମୁଣ୍ଡ ଉପରୁ ବିଜୁଳି ବିଲ୍ ବୋଝ ହାଲକା କରିବେ ।

ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ନିର୍ବାଚନ ସମୟରେ ବାହାରୁ ନେତା ଆସି ବଡ ବଡ କଥା କହିବେ । ମିଠା କଥା କହିବେ, କୁମ୍ଭୀର କାନ୍ଦଣା କାନ୍ଦିବେ । ନିର୍ବାଚନ ପରେ ଯେତେ ଖୋଜିଲେ ବି ସେମାନଙ୍କୁ ପାଇବେ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ସାଥୀରେ ଛିଡା ହେବେ । ବିରୋଧୀ ମାଗଣା ବିଜୁଳି ଦେବାକୁ କହୁଛି । କିନ୍ତୁ ଏଥିପାଇଁ ଲୋକ ପ୍ରଥମେ ୫୦ ହଜାର ଖର୍ଚ୍ଚ କରି ସୋଲାର ପ୍ୟାନେଲ ଲଗାଇବେ । ସୋଲାର ପ୍ୟାନେଲ ଜରିଆରେ ସୂର୍ଯ୍ୟ କିରଣରୁ ମାଗଣା ବିଦ୍ୟୁତ ଯୋଗାଇବେ ବୋଲି କହୁଛନ୍ତି । ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି ଏମାନେ । ଭତ୍ତା, ଘର ପାଇଁ ନବୀନ ଗ୍ୟାରେଣ୍ଟି ରହିଛି । ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରି ବିଜେଡିକୁ ଭୋଟ୍ ଦେବାକୁ ଆହ୍ୱାନ ଦେଇଛନ୍ତି ପାଣ୍ଡିଆନ ।

You Can Read :

ମାଲକାନଗିରିରେ ବିଳମ୍ବିତ ରାତି ଯାଏଁ ଚାଲିଥିଲା ମତଦାନ : ଭିଡ ଓ ଇଭିଏମ୍‌ ତ୍ରୁଟି ଯୋଗୁଁ ବିଳମ୍ବ

 

 

  • odisha
  • OdishaNews
  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.