ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି(AAP)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଦଳରୁ ୭ ସାଂସଦ ଇସ୍ତଫା ଦେବା ପରେ ପ୍ରଥମ ସାଧାରଣ ସଭାକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି, ‘ଏହା ଦେଶ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏକ ନିର୍ବାଚନ। ସମଗ୍ର ଦେଶ ଆପଣଙ୍କ ଲଢ଼େଇ ଦେଖୁଛି। ବିଜେପି ସମଗ୍ର ସେନା ଏବଂ କେନ୍ଦ୍ରୀୟ ବାହିନୀକୁ ପଠାଇଛି। କ'ଣ ଆତଙ୍କବାଦୀମାନେ ବେଙ୍ଗଲରେ ରୁହନ୍ତି? ଆପଣମାନେ ମଧ୍ୟ ଭାରତୀୟ।’

ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ‘ଏହା ବେଙ୍ଗଲ, ବଙ୍ଗୀୟ ସଂସ୍କୃତି ଏବଂ ପରିଚୟ ଉପରେ ଆକ୍ରମଣ। ଆପଣଙ୍କୁ ଜୋରଦାର ଜବାବ ଦେବାକୁ ପଡିବ। ସ୍ୱାଧୀନତା ଲଢ଼େଇରେ ଆପଣଙ୍କ ପୂର୍ବପୁରୁଷ ସର୍ବଶ୍ରେଷ୍ଠ ବଳିଦାନ ଦେଇଥିଲେ। ଆପଣ ଏହି ସ୍ୱାଧୀନତାକୁ ବଜାୟ ରଖିବା ପାଇଁ ଲଢ଼ୁଛନ୍ତି।’

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ସେମାନେ ଭୋଟର ତାଲିକା ପରିବର୍ତ୍ତନ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି। ସେମାନେ ତାଲିକାରୁ ୨୭ ଲକ୍ଷ ଭୋଟରଙ୍କୁ ବାଦ ଦେଇଛନ୍ତି, ଅନେକ ଦେଶରେ ଏତେ ଜନସଂଖ୍ୟା ନାହିଁ। ଯଦି ଆପଣ ଭୋଟ ନଦିଅନ୍ତି, ତେବେ ଆପଣ ଦେଶର ନାଗରିକ ନୁହଁନ୍ତି। କିଏ ଜାଣେ ସେମାନେ କାଲି ତୁମର କ'ଣ କରିବେ। ନିର୍ବାଚନ ପରେ ସେମାନେ ଏହି ଲୋକମାନଙ୍କ ସହିତ କ'ଣ କରିବେ ? ସେମାନେ ତୁମର ସମସ୍ତ ଅଧିକାର ଛଡ଼ାଇ ନେଇଛନ୍ତି।

ସେ କହିଛନ୍ତି, ‘ମୁଁ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ଆସିଛି। ମୋତେ ଲାଗୁଛି ମୁଁ ଏହି ମୁହୂର୍ତ୍ତରେ ରାଜ୍ୟର ଲଢ଼େଇରେ ଯୋଗଦେବାକୁ ଆସିଛି। ଯେତେବେଳେ ସ୍ୱାଧୀନତା ବଜାୟ ରଖିବା ଲଢ଼େଇର ଇତିହାସ ଲେଖାଯିବ, ସେତେବେଳେ ଲେଖାଯିବ ଯେ, କେଜ୍ରିଓ୍ବାଳ ଆସିଥିଲେ। ସମସ୍ତେ ଜଣେ ମହିଳାଙ୍କ ପଛରେ ପଡ଼ିଛନ୍ତି, ତଥାପି ସେ ଜିତିବେ। ତାଙ୍କ ଉପରେ ଦେବୀ କାଳୀଙ୍କ ଆଶୀର୍ବାଦ ଅଛି।’

ଅରବିନ୍ଦ କେଜରିୱାଲ କହିଛନ୍ତି ଯେ, ଗୋଟିଏ ବର୍ଷ ପୂର୍ବରୁ ସେମାନେ ଦିଲ୍ଲୀ ଉପରେ ଆକ୍ରମଣ କରିଥିଲେ। ସେମାନେ ଏକ ମିଥ୍ୟା ମାମଲା ରୁଜୁ କରିଥିଲେ। କୋର୍ଟ ଏବେ ସମସ୍ତ ଅଭିଯୋଗ ମିଥ୍ୟା ବୋଲି ରାୟ ଦେଇଛନ୍ତି। ସେମାନେ ମୋତେ ଜେଲରେ ପୂରାଇ ଦିଲ୍ଲୀ ଦଖଲ କରିଥିଲେ। ସେମାନେ ଦିଲ୍ଲୀରେ ମାଗଣା ବିଦ୍ୟୁତ୍ ବନ୍ଦ କରିବାକୁ ଯାଉଛନ୍ତି। ଆମେ ସମସ୍ତେ ଦିଦିଙ୍କ ସହିତ ଅଛୁ।