ଢାକା ୮।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି ହୋଇଛି। ଏହି ୱାରେଣ୍ଟ ବାଂଲାଦେଶ ଇଣ୍ଟର ନ୍ୟାସନାଲ କ୍ରାଇମ ଟ୍ରିବ୍ୟୁନାଲ (ଆଇସିଟି) ଜାରି କରିଛି। ଆଇସିଟି ବୁଧବାର ଶେଖ ହସିନା ଓ ତାଙ୍କ ସରକାରରେ କାମ କରିଥିବା ଅନେକ ଅଧିକାରୀଙ୍କ ବିରୋଧରେ ମାନବତା ବିରୋଧରେ ଅପରାଧ ମାମଲାରେ ଗିରଫ ୱାରେଣ୍ଟ ଜାରି କରିଛି। ବିଡି ନ୍ୟୁଜ୍ ୨୪ ପୋର୍ଟାଲର ଏକ ରିପୋର୍ଟ ଅନୁସାରେ ହସିନା ଓ ଅନ୍ୟ ୨୯ ଜଣଙ୍କବିରୋଧରେ ଏହି ୱାରେଣ୍ଟ ଜାରି ହୋଇଛି।

ସୂଚନା ଅନୁସାରେ ପୂର୍ବ ମାମଲାରେ ହସିନା ଓ ତାଙ୍କ ସୁରକ୍ଷା ପରାମର୍ଶଦାତା ତାରିକ ଅହମଦ ସିଦ୍ଦିକୀ ସମେତ ୧୩ ଜଣଙ୍କ ବିରୋଧରେ ୫ଟି ଅଭିଯୋଗ ହୋଇଛି। ଏହି ସବୁ ମାମଲାର ସଂଜ୍ଞାନ ନେଇ ଆଇସିଟି ହସିନା ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛି ଓ ଅକ୍ଟୋବର ୨୨ରେ ସବୁ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଶେଖ ହସିନା ଗତବର୍ଷ ଅଗଷ୍ଟ ୫ ତାରିଖରେ ପଦବୀରୁ ଇସ୍ତଫା ଦେଇ ସିଧା ଭାରତ ଚାଲିଆସିଥିଲେ। ଦେଶରେ ଆବାମୀ ଲିଗ୍ ସରକାର ଭାଙ୍ଗିବା ପରେ ହସିନାଙ୍କ ବିରୋଧରେ ଏ ପର୍ଯ୍ୟନ୍ତ ଅନେକ ମାମଲାରେ ଆରେଷ୍ଟ ୱାରେଣ୍ଟ ଜାରି ହେଲାଣି ଓ ଏପରି ଅନେକ ମକଦ୍ଦମା କୋର୍ଟରେ ବିଚାରାଧୀନ ରହିଛି। ଏଥି ମଧ୍ୟରେ ୭୮ ବର୍ଷ ବୟଷ୍କା ହସିନା ଭାରତରୁ ଫେରିବା ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଜବାବରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି  କହିଛନ୍ତି ଯେ ଏହି ପ୍ରସଙ୍ଗରେ ଦୁଇ ଦେଶଙ୍କ ଆଲୋଚନା ଜାରି ରହିଛି।