ମୁମ୍ବାଇ, ୦୩/୦୫: ଆଇପିଏଲ ଖେଳୁଛନ୍ତି ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକର । ଚଳିତ ବର୍ଷ ସେ ଲକ୍ଷ୍ନୌ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ତେବେ ଶନିବାର ତାଙ୍କ କ୍ରିକେଟ୍ କ୍ୟାରିଅରରେ ନୂଆ ଫର୍ଦ୍ଦ ଯୋଡି । ଅର୍ଜୁନ ଟି୨୦ ମୁମ୍ବାଇ ଲିଗ୍ ନିଲାମିରେ ସାମିଲ ହୋଇଛନ୍ତି । ଏହାସହ ତାଙ୍କୁ ଏଆରସିଏସ୍ ଅନ୍ଧେରୀ ଟିମ୍ ୧୦ ଲକ୍ଷ ଟଙ୍କାରେ କ୍ରୟ କରିଛି । ଯାହା ତାଙ୍କ ବେସ୍ ପ୍ରାଇସଠୁ ୪୦୦ ପ୍ରତିଶତ ବେଶି । ଏହି ରାଶି ସେ ଆଇପିଏଲରୁ ପାଉଥିବା ମୋଟ୍ ଦରମାର ୩୩ ପ୍ରତିଶତ ହେବ ।

ଅନେକ ବର୍ଷ ଧରି ଅର୍ଜୁନ କ୍ରିକେଟ୍ ଖେଳୁଛନ୍ତି । ଘରୋଇ ମୁକାବିଲାରେ ସେ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି । ଏବେସୁଦ୍ଧା ଆଇପିଏଲରେ ସେ କୌଣସି ଦଳର ନିୟମିତ ଖେଳାଳି ହୋଇପାରି ନାହାଁନ୍ତି । ପୂର୍ବରୁ ଅନେକ ବର୍ଷ ଧରି ସେ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ଥିଲେ । ଏଥର କିନ୍ତୁ ତାଙ୍କୁ ଲକ୍ଷ୍ନୌ କ୍ରୟ କରିଛି । ହେଲେ ସେ ଗୋଟିଏ ବି ମ୍ୟାଚ୍ ଏବେସୁଦ୍ଧା ଖେଳିନାହାଁନ୍ତି ।

ଅର୍ଜୁନ ଅନେକ ଦିନ ଧରି ମହାରାଷ୍ଟ୍ର ପାଇଁ ଖେଳୁଥିଲେ । ପରେ ସେ ଗୋଆ ଚାଲି ଯାଇଥିଲେ । ଏହାପରେ ତାଙ୍କୁ ବିସିସିଆଇ ପକ୍ଷରୁ ରାଜ୍ୟର ଲିଗ୍ ମୁକାବିଲା ଖେଳିବାକୁ କୁହାଯାଇଥିଲା । ଫଳରେ କ୍ରିକେଟ୍ ପ୍ରତି ଫୋକସ ରକ୍ଷା କରିବାକୁ ସେ ମୁମ୍ବାଇ ଲିଗରେ ନିଜକୁ ସାମିଲ କରିଥିଲେ । ନିଲାମି ପାଇଁ ନାଁ ଦେଇଥିଲେ । ବିସିସିଆଇର ଗାଇଡ୍ ଲାଇନ୍ ଅନୁସାରେ ଅର୍ଜୁନଙ୍କୁ କୌଣସି ରାଜ୍ୟର ଘରୋଇ ଲିଗ୍ ଖେଳିବାକୁ ପଡିବ । ଆଇପିଏଲ୍ ବାଦ୍ ଅନ୍ୟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ହେବ ।

ନିୟମ ଅନୁସାରେ କୌଣସି ଖେଳାଳି ଗୋଟିଏ ରାଜ୍ୟର ଟି୨୦ ଟୁର୍ଣ୍ଣାମେଣ୍ଟ ଖେଳିଲେ ତାଙ୍କୁ ଅନ୍ୟ ରାଜ୍ୟ ପାଇଁ ଖେଳିବାକୁ ଅନୁମତି ମିଳିବ ନାହିଁ । ତେଣୁ ସେ ଗୋଆ ଛାଡି ଏବେ ମୁମ୍ବାଇ ଲିଗ୍ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କୁ ବେସ୍ ପ୍ରାଇସରୁ ଅଧିକ ଟଙ୍କାରେ ଅନ୍ଧେରୀ ଟିମ୍ କ୍ରୟ କରିଛି ।

କ୍ରିକେଟରେ ସେତେ ଭଳ ପ୍ରଦର୍ଶନ ନଥିଲେ ବି ସେ ଲକ୍ଷ୍ନୌ ଶିବିରରେ ସୁଯୋଗ ଅପେକ୍ଷାରେ ଅଛନ୍ତି । ନିରନ୍ତର ଭାବେ କୋଚ୍ ଏବଂ ମ୍ୟାନେଜମେଣ୍ଟ ତାଙ୍କ ଉପରେ ନଜର ରଖିଛି । ଅଲରାଉଣ୍ଡର ଭାବେ ନିଜକୁ ପ୍ରସ୍ତୁତ କରୁଥିବା ଅର୍ଜୁନ ଅନେକ ଥର ନେଟ୍ସରେ ବଡ ମୁକାବିଲା ପାଇଁ ପ୍ରସ୍ତୁତ ଥିବା କୁହାଯାଉଛି ।