ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି ସ୍ପନସର କିଏ ହେବ, ତାକୁ ନେଇ ଜାରି ରହିଥିବା ସସପେନ୍ସ ଶେଷ ହୋଇଛି। ଆପୋଲୋ ଟାଇର୍ସ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି ସ୍ପନସର ହୋଇଛି । ଆପୋଲୋ ଟାୟର୍ସ ନିଲାମ ପ୍ରକ୍ରିୟାରେ ବିଜୟୀ ହୋଇଛି । ପ୍ରତ୍ୟେକ ମ୍ୟାଚ୍ ପାଇଁ ବିସିସିଆଇକୁ ୪.୫ କୋଟି ଟଙ୍କା ଦେବ, ଯାହା ପୂର୍ବ ପ୍ରାୟୋଜକ ଡ୍ରିମ ୧୧ ଦ୍ୱାରା ଦିଆଯାଉଥିବା ୪ କୋଟି ଟଙ୍କାଠାରୁ ଅଧିକ । ଏହି ନୂଆ ଡିଲ୍ ୨୦୨୭ ପର୍ଯ୍ୟନ୍ତ ବଳବତ୍ତର ରହିବ ।

​​​​​​​ଗୁରଗାଓଁର ଏହି ଟାୟାର ଜାଏଣ୍ଟ କାନଭା ଏବଂ ଜେକେ ସିମେଣ୍ଟକୁ ପଛରେ ପକାଇ ନିଲାମୀର ବାଜି ମାରିଛି । ଆପୋଲୋ ଟାୟର୍ସ ୫୭୯ କୋଟି ଟଙ୍କାର ସଫଳ ବିଡ୍ ସହିତ ଭାରତୀୟ କ୍ରିକେଟ୍ ଦଳର ପ୍ରାୟୋଜକ ହେବା ରେସ୍ ଜିତିଛି । ୧୦୦ରୁ ଅଧିକ ଦେଶରେ କାରବାର କରୁଥିବା ଆପୋଲୋ ଟାୟାର୍ସ, କାନଭାର ୫୪୪ କୋଟି ଟଙ୍କା ଏବଂ ଜେକେ ସିମେଣ୍ଟସର ୪୭୭ କୋଟି ଟଙ୍କା ପ୍ରସ୍ତାବକୁ ପଛରେ ପକାଇ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ପ୍ରାୟୋଜକ ଭାବରେ ସ୍ଥାନ ହାସଲ କରିବାରେ ସଫଳ ହୋଇଛି । ଏହି ତିନି ବର୍ଷର ଚୁକ୍ତିରେ ୧୨୧ ଦ୍ୱିପାକ୍ଷିକ ମ୍ୟାଚ୍ ଏବଂ ୨୧ଟି ଆଇସିସି ମ୍ୟାଚ୍ ଖେଳାଯିବ । 

​​​​​​​​​​​​​​ଏହି ଡିଲ୍ ପରେ, ଆପୋଲୋ ଟାଇର୍ସର ଲୋଗୋ ଏବେ ଭାରତୀୟ ଦଳର ଜର୍ସିରେ ସ୍ଥାନ ପାଇବ । ବିଶେଷଜ୍ଞଙ୍କ ମତରେ, ଏହି ଡିଲ୍ ଦ୍ୱାରା କେବଳ ଟିମ୍ ଇଣ୍ଡିଆକୁ ଭଲ୍ ବ୍ରାଣ୍ଡ ସମର୍ଥନ ମିଳିବ ତାହା ନୁହେଁ, ବରଂ ଆପୋଲୋ ଟାଇର୍ସର ବ୍ରାଣ୍ଡ ମୂଲ୍ୟ ମଧ୍ୟ ଏକ ନୂତନ ସ୍ତରରେ ପହଞ୍ଚିବ । ​​​​​​​ଟିମ୍ ଇଣ୍ଡିଆର ପ୍ରାୟୋଜକ ପାଇଁ ବିସିସିଆଇ ସେପ୍ଟେମ୍ବର ୨ରେ ବିଡ୍ ପାଇଁ ଆମନ୍ତ୍ରଣ କରିଥିଲା । ସେପ୍ଟେମ୍ବର ୧୬ରେ ବିଡ୍ ଦାଖଲର ଶେଷ ତାରିଖ ଥିଲା । ବିସିସିଆଇ ନିଜର ପ୍ରେସ୍ ବିଜ୍ଞପ୍ତିରେ ସ୍ପଷ୍ଟ କରିଥିଲା ​​ଯେ ଗେମିଂ, ବେଟିଂ, କ୍ରିପ୍ଟୋ ଏବଂ ତମାଖୁ ସହିତ ଜଡିତ କମ୍ପାନିଗୁଡ଼ିକ ପ୍ରାୟୋଜକ ପାଇଁ ଆବେଦନ କରିପାରିବେ ନାହିଁ । ଏସବୁ ବ୍ୟତୀତ, ବ୍ୟାଙ୍କିଙ୍ଗ୍, ଫାଇନାନ୍ସିଆଲ୍ କମ୍ପାନି, ସ୍ପୋର୍ଟସୱେର୍ କମ୍ପାନିଗୁଡ଼ିକୁ ମଧ୍ୟ ବିସିସିଆଇ ପ୍ରାୟୋଜକ ବିଡରୁ ଦୂରରେ ରଖାଯାଇଥିଲା ।

​​​​​​​କେନ୍ଦ୍ର ସରକାର ନିକଟରେ ଅନଲାଇନ୍ ବେଟିଂ ଆପ୍ ଉପରେ କଟକଣା ଲଗାଇବା ପାଇଁ ନୂଆ ଆଇନ ଅଣିଥିଲେ । 'ଅନଲାଇନ୍ ଗେମିଂ ବିଲ୍ ୨୦୨୫' ଯୋଗୁଁ ଡ୍ରିମ୍-୧୧ ଚୁକ୍ତିନାମାରୁ ବାହାରି ଯିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ବିସିସିଆଇ ଓ ଡ୍ରିମ୍ ୧୧ ମଧ୍ୟରେ ଥିବା ଚୁକ୍ତି ରଦ୍ଦ ହୋଇଥିଲା । ୨୦୨୩ରେ ତିନି ବର୍ଷ ପାଇଁ ୩୫୮ କୋଟି ଟଙ୍କାର ଚୁକ୍ତିନାମାକୁ ଅଧାରେ ଶେଷ କରିବାକୁ ପଡ଼ିଥିଲା ।