ନୂଆଦିଲ୍ଲୀ: କୌଣସି ଅଭୟାରଣ୍ୟ ଦେଇ ଯିବା ବେଳେ, ଏକ ସୂଚନା ଫଳକ ନିଶ୍ଚୟ ପଢ଼ିଥିବେ। ଯେଉଁଥିରେ କିଛି ସତର୍କ ସୂଚନା ରହିଥାଏ। ଏଥିରେ କୁହାଯାଇଥାଏ ଯେ, ଉକ୍ତ ଅଞ୍ଚଳରେ ଜୀବଜନ୍ତୁ ବିଚରଣ କରିଥାନ୍ତି, ତେଣୁ ସତର୍କତାର ସହ ଗାଡ଼ି ଚଲାନ୍ତୁ। ଅନେକ ହୁଏତ ଏହି ସୂଚନାକୁ ଧ୍ୟାନ ଦେଇନଥାନ୍ତି। କିନ୍ତୁ ଏଭଳି କରିବା କେତେ ଯେ ବିପଦପୂର୍ଣ୍ଣ ହୋଇପାରେ ତାହା ନିକଟରେ ଘଟିଥିବା ଘଟଣାରୁ ସ୍ପଷ୍ଟ ଅନୁମାନ କରିହେବ।

ଉତ୍ତରଖଣ୍ଡ ଖାତିମା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଏଠାରେ ହାତୀ ଚଲାପଥ ଥିବା ଅଞ୍ଚଳରେ ଯାଉଥିବା ଜଣେ ଶିକ୍ଷୟିତ୍ରୀଙ୍କ ସ୍କୁଟର ସହ ଏକ ହାତୀର ଧକ୍କା ହୋଇଥିଲା। ଏଥିରେ ସେ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ସ୍କୁଟରଟି ନଷ୍ଟ ହୋଇଯାଇଛି। ବଡ଼ କଥା ହେଲା ଏହି ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ, ଏଥିରେ ହାତୀଟିର ଗୋଟିଏ ଦାନ୍ତ ଭାଙ୍ଗି ତିନି ଖଣ୍ଡ ହୋଇଯାଇଥିଲା।

Also Read: ଏମିତି ମାଆ କାହାକୁ ନମିଳୁ, ୧୭ ଖଣ୍ଡ ଦାମୀ ଶାଢ଼ି ପାଇଁ ଝିଅକୁ ବିକିଦେଲା

ମିଳିଥିବା ସୂଚନା ଅନୁସାରେ, ଘଟଣା ଉଧମ ସିଂହ ନଗରର ଚକ୍ରପୁର ବନବାସା ଅଞ୍ଚଳରେ ଘଟିଛି। ଏହି ଅଞ୍ଚଳଟି ହାତୀଙ୍କ ଚଳାଚଳ ପାଇଁ ବେଶ୍ ଜଣାଶୁଣା। ଏହି ରାଜପଥର ଉଭୟ ପାର୍ଶ୍ବରେ ଜଙ୍ଗଲ ରହିଥିବାରୁ ଅନେକ ସମୟରେ ହାତୀମାନେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯିବା ପାଇଁ ରାସ୍ତା ପାର୍ କରିଥାନ୍ତି। ଏହି କାରଣରୁ ଏହା ଏକ ହାତୀ କରିଡର ଭାବରେ ମଧ୍ୟ ଜଣାଶୁଣା।

ମଙ୍ଗଳବାର ମଧ୍ୟାହ୍ନରେ ଶିକ୍ଷୟିତ୍ରୀ ନିକିତା କାପ୍ରି, ଏହି ରାସ୍ତା ଦେଇ ନିଜ ସ୍କୁଟରରେ ଖାତିମା ଅଭିମୁଖେ ଯାଉଥିବା ବେଳେ ଗୋଟିଏ ହାତୀ ହଠାତ ଜଙ୍ଗଲରୁ ବାହାରି ଆସି ରାସ୍ତା ପାର୍ କରିବାକୁ ଚେଷ୍ଟା କରିଥିଲା। ଆଉ ଏହି ସମୟରେ ଶିକ୍ଷୟିତ୍ରୀଙ୍କ ସ୍କୁଟର ସହ ହାତୀଟି ଧକ୍କା ହୋଇଥିଲା। ଏଥିରେ ଶିକ୍ଷୟିତ୍ରୀ ଜଣକ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ସ୍କୁଟରଟି ଭାଙ୍ଗି ନଷ୍ଟ ହୋଇଯାଇଥିଲା। ସୌଭାଗ୍ୟବଶତଃ ତାଙ୍କର କୌଣସି ଗୁରୁତର ଆଘାତ ଲାଗିନାହିଁ।ସେପଟେ ହାତୀଟିର ଗୋଟିଏ ଦାନ୍ତ ଭାଙ୍ଗି ତିନି ଖଣ୍ଡ ହୋଇଯାଇଥିଲେ ବି ହାତୀଟି ଉତ୍ୟକ୍ତ ନହୋଇ ଜଙ୍ଗଲକୁ ପଳାଇଯାଇଥିଲା।

Also Read: ଏବେ ଆଉ ଡାଲମା ଭାତ ନୁହେଁ, ୫ ଟଙ୍କିଆ ମିଲ୍‌ରେ ମାଛ ବି ମିଳିବ: ସରକାର କଲେ ଘୋଷଣା

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ହାତୀଟି ଏହି ଦୁର୍ଘଟଣାରେ ସାମାନ୍ୟ ଆଚମ୍ବିତ ହୋଇପଡ଼ିଥିଲା। ମାତ୍ର ସଙ୍ଗେ ସଙ୍ଗେ ସେ ଜଙ୍ଗଲକୁ ପଳାଇଯାଇଥିଲା। ତେବେ ଲୋକେ ମହିଳା ଶିକ୍ଷକଙ୍କୁ ଉଦ୍ଧାର କରିଥିଲେ। ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଦାନ୍ତ ଉଦ୍ଧାର କରିଛନ୍ତି।

ତେବେ ଏହି ଘଟଣା ଏଭଳି କରିଡରରେ ଯାତାୟତ କେତେ ବିପଦପୂର୍ଣ୍ଣ ହୋଇପାରେ ତାହା ଦର୍ଶାଉଛି। ସେପଟେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେହି କେହି ଏଭଳି ସ୍ଥାନରେ ସତର୍କତାର ସହ ଯିବାକୁ କହିବା ସହ ଜୀବଜନ୍ତୁଙ୍କ ପ୍ରତି ଦୟାବାନ ହେବାକୁ କହିଛନ୍ତି । ଜଣେ ୟୁଜର କହିଛନ୍ତି ଏଥିରୁ ଜଣାପଡ଼ୁଛି ଗାଡ଼ିଟିର ବେଗ କେତେ ରହିଥିବ ?