ଭଦ୍ରକ ୧୯।୧୦ : ବାଟରେ ଛକିଥିଲା ଯମ। ଚିକିତ୍ସା ପାଇଁ କଟକ ଆସୁଥିବା ବେଳେ ଘଟିଲା ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ଘରୋଇ ଆମ୍ବୁଲାନ୍ସ ରାସ୍ତାକଡ଼ ବ୍ୟାରିକେଡ୍ରେ ପିଟି ହୋଇ ଓଲଟି ପଡିଲା । ଯାହାଫଳରେ ଗାଡ଼ିରେ ଥିବା ଆଈ ଓ ନାତୁଣୀଙ୍କ ମୃତ୍ୟୁ ହୋଇଛି। ଏଥିରେ ନାତୁଣୀଙ୍କ ବାପା ଓ ମାଆ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ତ୍ରିସଲପୁର ନିକଟରେ ଘଟିଛି ଦୁର୍ଘଟଣା।

ଖବର ଅନୁଯାୟୀ, ସୋମବାର ଦିନ ଖଡ଼ଗପୁରରୁ ୧୭ ବର୍ଷୀୟା ଖୁସି ଗୁରୁଙ୍କ ଚିକିତ୍ସା ପାଇଁ ତାଙ୍କ ପରିବାର ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ଆସୁଥିଲେ। ତ୍ରିସଲପୁର ନିକଟରେ ଆମ୍ବୁଲାନ୍ସଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତାକଡ଼ ବ୍ୟାରିକେଡରେ ଧକ୍କା ହୋଇଥିଲା । ଏହାପରେ ଗାଡ଼ି ଓଲଟି ପଡ଼ିବାରୁ ଖୁସି ଗୁରୁ ଓ ତାଙ୍କ ଆଈ ମାଳତୀ ଦଣ୍ଡପାଟଙ୍କ ମୃତ୍ୟୁ ହୋଇଥିଲା।

Also Read:-ଜମୁଛି ମା’ ଜଗତଜନନୀଙ୍କ ଆରାଧନା, ପୀଠରେ ମହାନବମୀ, ମଣ୍ଡପେ ମହାଷ୍ଟମୀ ପୂଜା

ସେପଟେ ଏହି ଦୁର୍ଘଟଣାରେ ଖୁସିଙ୍କ ବାପା ଶିବନାଥ ଗୁରୁ ଓ ମାଆ ବରୁଣା ଗୁରୁ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଯୁବକ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଆହତ ଦମ୍ପତିଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।