ଭୁବନେଶ୍ଵର: ରାଜ୍ୟସଭା ଚତୁର୍ଥ ଆସନ ନେବାକୁ ସବୁ ଦଳର କସରତ ଜୋରଦାର । ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୃହମନ୍ତ୍ରୀ ଅମିତ ଶାହା ଏନେଇ ସବୁ ବିଧାୟକଙ୍କ ସହ ମାନସ ମନ୍ଥନ କରିଛନ୍ତି । ଦଳ କିପରି ୪ର୍ଥ ଆସନ ହାତେଇବ ସେ ନେଇ ରଣନୀତି ଚୂଡାନ୍ତ ହୋଇଛି । ଏପଟେ ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ଆଜି ଦିଲ୍ଲୀ ଯାଇ ଏଆଇସିସି ସଭାପତି ମଲ୍ଲୀକାର୍ଜୁନ ଖଡଗେଙ୍କୁ ଭେଟି ସମର୍ଥନ ମାଗିଛନ୍ତି । ବିଜେଡି କହିଛି, ସଂଖ୍ୟା ନ ଥାଇ ବିଜେପି ଜିତିବାକୁ ପ୍ରୟାସ କରିବା ଏକ ସୁସ୍ଥ ପରମ୍ପରା ନୁହେଁ।

ରାଜ୍ୟ ସଭା ୪ର୍ଥ ଆସନ ପାଖରେ ଲଟକିଛି କଣ୍ଟା । ଦୁଇ ପକ୍ଷରୁ ବିଭିନ୍ନ ନେତାଙ୍କ ସହ ଘନଘନ ଭେଟଘାଟ ସହ ରୁଦ୍ଧଦ୍ବାର ବୈଠକ କରିବାରେ ଲାଗିପଡିଛନ୍ତି । ଅମିତ ଶାହାଙ୍କ ମାନସ ମନ୍ଥନ ପରେ ଏବେ ଜୋଶରେ ବିଜେପି। ସେପଟେ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ସମର୍ଥନ ଯୋଗାଡରେ ଲାଗିଛନ୍ତି କଂଗ୍ରେସ ବିଜେଡି ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା । ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ଏହା ଏବେ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଉଭୟ ପକ୍ଷ ଶକ୍ତି ପ୍ରଦର୍ଶନ ପାଇଁ ଅଣ୍ଟା ଭିଡୁଛନ୍ତି ।

Also read: ରାଷ୍ଟ୍ରପତିଙ୍କୁ ଅସମ୍ମାନ: ପଶ୍ଚିମବଙ୍ଗ ସରକାରଙ୍କ ବ୍ୟବହାରକୁ ନେଇ ତେଜିଲା ରାଜନୀତି

ଗତକାଲି ବିଜେପି ପାର୍ଟି ଅଫିସରେ ଗୃହମନ୍ତ୍ରୀ ଅମିତ ଶାହା ୪ର୍ଥ ଆସନ ଦଖଲ ପାଇଁ ଅଙ୍କ କସିବା ସହ ବିଜୟ ମନ୍ତ୍ର ଦେଇଛନ୍ତି ରାଜ୍ୟ ବିଜେପି ଟିମ୍ କୁ । ବିଜେପି ସମର୍ଥିତ ସ୍ବାଧିନ ପ୍ରାର୍ଥି ଦିଲ୍ଲୀପ ରାୟଙ୍କୁ ଜିତାଇବାକୁ ଆବଶ୍ୟକ ପଡୁଥିବା ସଂଖ୍ୟା ଯୋଗାଡ଼ ପାଇଁ ଚୁଡାନ୍ତ ଖସଡା ପ୍ରସ୍ତୁତ ହୋଇଥିବା ଜଣାପଡିଛି । ବିଜେପି ନେତାଙ୍କ ଦୃଢକ୍ତି, ୩ଟି ଆସନ ବିଜେପି ଖାତାକୁ ଯିବ । ଏଥିରେ କୌଣସି ଦ୍ୱନ୍ଦ ନାହିଁ । କାରଣ ବିଜେଡିରେ ଥିବା ବିଜୁ ପ୍ରେମୀ ଦିଲ୍ଲୀପଙ୍କ ସହ ରହିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ସେପଟେ ବିଜେଡ଼ି- କଂଗ୍ରେସ ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ଆଜି ଦିଲ୍ଲି ଯାଇ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି । ଏହାଦ୍ବାରା କଂଗ୍ରେସ ବିଧାୟକ ମାନଙ୍କ ପୂର୍ଣ୍ଣ ସମର୍ଥନ ତାଙ୍କୁ ମିଳିବ ବୋଲି ଆଶାବାଦୀ ଅଛନ୍ତି ଦତ୍ତେଶ୍ବର । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଦଳର ସବୁ ବିଧାୟକ ଏକ ଅଛନ୍ତି। ତେଣୁ ଆମ ସମର୍ଥିତ ପ୍ରାର୍ଥୀ ନିଶ୍ଚୟ ଜିତିବେ । ସେପଟେ ରାଜ୍ୟସଭା ନିର୍ବାଚନକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ବିଧାୟକ ଅରୁଣ ସାହୁ ।

Also read: ​​​​​​​ନବୀନଙ୍କ ପ୍ରତି କଟ୍ଟୁ ଟିପ୍ପଣୀକୁ ବିଜେଡିର ନିନ୍ଦା, ଦଳ କହିଲା- ଶାଳୀନତା ରଖ ବିଜେପି ବିଧାୟକ

ଅରୁଣ କହିଛନ୍ତି, ସଂଖ୍ୟା ନ ଥାଇ ଯଦି ବିଜେପି ଜିତିବାକୁ ଦାବୀ କରୁଛି ତାହାଲେ ଏହା ସୁସ୍ଥ ପରମ୍ପରା ସୃଷ୍ଟି କରିବ ନାହିଁ । ଏହାଦ୍ବାରା ଗଣତନ୍ତ୍ରର ମହିମାକୁ କୁଠାରଘାତ ହେବ । ରାଜ୍ୟସଭା ଭୋଟ ଗ୍ରହଣ ଦିନ ଯେତିକି ପାଖଉଛି ଆରୋପ ପ୍ରତ୍ୟାରୋପ ବଢିବାରେ ଲାଗିଛି । ଏମତି କି ଘୋଡା ବେପାର ଆଶଙ୍କାକୁ ମଧ୍ୟ ଏଡାଇ ଦେଇହେବନି ।