LIVE TV

ମଣିପୁରରେ ଆଉ ୬ ମାସ ଜାରି ରହିବ AFSPA, ନାଗାଲ୍ୟାଣ୍ଡ ଓ ଅଋଣାଚଳର କିଛି ଅଂଶ ବି ସାମିଲ ରହିବ

NEWS7
Ministry of Home affairs

ନୂଆଦିଲ୍ଲୀ ୨୬।୯: କେନ୍ଦ୍ର ସରକାର ପୂର୍ବୋତ୍ତରର ୩ ରାଜ୍ୟ ସମ୍ପର୍କିତ ବିଭିନ୍ନ ଜିଲ୍ଲା ଓ ପୋଲିସ ଥାନାମାନଙ୍କ ଉପରେ ଲାଗୁ ‘ସଶସ୍ତ୍ର ବଳ ବିଶେଷ ଅଧିକାର ଅଧିନିୟମ’ (ଏଏଫଏସପିଏ)କୁ ଆଉ ୬ ମାସ ନିମନ୍ତେ ସମ୍ପ୍ରସାରଣ କରିଛନ୍ତି। ଏ ନେଇ ଶୁକ୍ରବାର ଅଧିସୂଚନା ଜାରି ହୋଇଛି। ସେହି ଅନୁସାରେ ୫ ଜିଲ୍ଲାଙ୍କ ୧୩ ପୋଲିସ ଷ୍ଟେସନକୁ ବାଦ ଦେଇ ସମ୍ପୂର୍ଣ୍ଣ ମଣିପୁର, ନାଗାଲ୍ୟାଣ୍ଡର ୯ ଜିଲ୍ଲା ଓ ୨୧ ପୋଲିସ ଷ୍ଟେସନ ଏବଂ ଅଋଣାଚଳ ପ୍ରଦେଶର ୩ ଜିଲ୍ଲା ତଥା ୩ ପୋଲିସ ଥାନାକୁ ଅଶାନ୍ତ ଘୋଷଣା କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଅଶାନ୍ତ କ୍ଷେତ୍ରର ସ୍ଥିତି ତୁରନ୍ତ ସୁଧାର ନିମନ୍ତେ ଏଏଫଏସପିଏରେ ସଶସ୍ତ୍ର ପୋଲିସ ଫୋର୍ସଙ୍କୁ କିଛି ବିଶେଷ ଅଧିକାର ଦିଆଯାଏ। ଏହି ଅନୁସାରେ ଫୋର୍ସ କେନ୍ଦ୍ର ସରକାରଙ୍କ ଅନୁମତି ବିନା କାର୍ଯ୍ୟାନୁଷ୍ଠାନ କରିବାକୁ ସଂରକ୍ଷଣ ମିଳିଥାଏ। ଗୃହମନ୍ତ୍ରାଳୟଙ୍କ ପକ୍ଷରୁ ଏ ନେଇ ୩ ଅଲଗା ଅଲଗା ଅଧିସୂଚନା ଜାରି ହୋଇଛି। ଅଧିସୂଚନା ଅନୁସାରେ ଇମ୍ଫାଲ, ପଶ୍ଚିମ ଇମ୍ଫାଲ, ଲାମ୍ଫେଲ, ସିଟି, ସିଙ୍ଗଜାମେଇ, ପାଟସୋଇ, ଭାଙ୍ଗୋଇ, ପୂର୍ବ ଇମ୍ଫାଲର ପୋରାମ୍ପେଟ, ହିଙ୍ଗାଙ୍ଗ, ଇରିଲ ବଙ୍ଗ, ଥୌବଲ, ବିଷ୍ଣୁପୁର, ନାମବୋଲ ଓ କାକଚିଂ ଥାନା ବ୍ୟତୀତ ସମଗ୍ର ମଣିପୁରରେ ଏଏଫଏସପିଏ ଲାଗୁ ରହିବ।

ସେହିପରି ନାଗାଲ୍ୟାଣ୍ଡ ରାଜ୍ୟର ଦିମାପୁର, ନ୍ୟୁଲ୍ୟାଣ୍ଡ, ଚୁମୁକେଦିମା, ମୋନ, କିଫିରେ, ନୋକଲାକ, ଫେକ ଓ ପେରିନ ଜିଲ୍ଲା, କୋହିମା ଜିଲ୍ଲାର ଖୁଜାମା, କୋହିମା ଉତ୍ତର, କୋହିମା ଦକ୍ଷିଣ, ଜୁବଜା ଓ କେଜୋଚା ପୋଲିସ ଥାନା। ମୋକୋକୋଚୁଂ ଜିଲ୍ଲାର ମାଙ୍ଗୋକଲୋମ୍ବା, ମୋକକଚୁଗଂ-୧, ଲଗୟୋ, ତୁଲୀ, ଲୋଙ୍ଗଚେମ ଓ ଅନାକି ‘ସି’ ପୋଲିସ ଥାନା। ଲୋଙ୍ଗଲେଙ୍ଗ ଜିଲ୍ଲାର ୟାଙ୍ଗଲୋକ ପୋଲିସ ଥାନା ଓ ବୋଖା ଜିଲ୍ଲାର ଭଣ୍ଡାରୀ, ଚାମପାଙ୍ଗ ଓ ରାଲାନ ପୋଲିସ ଥାନା। ଜୁନହେବଟା ଜିଲ୍ଲାର ଘଟାସୀ,ପୁଘୋବୋଟା, ସତାଖା, ସୁରୁହୁତୋ, ଜୁନହେବୋଟା ଓ ଅଧୁନାଟୋ ପୋଲିସ ଥାନାରେ ଏଏଫଏସପିଏ ଲାଗୁ ରହିବ।

ସେହିପରି ଅଋଣାଚଳ ପ୍ରଦେଶର ତିରପ, ଚାଙ୍ଗଲାଙ୍ଗ ଓ ଲାଙ୍ଗଡିଙ୍ଗ ଜିଲ୍ଲା ତଥା ଆସାମ ରାଜ୍ୟର ସୀମାକୁ ଲାଗି ରହିଥିବା ଅଋଣାଚଳ ପ୍ରଦେଶର ନାମସଇ ଜିଲ୍ଲାର ନାମସଇ, ମହାଦେବପୁର ଏବଂ ଚୌଖମପୋଲିସ ଥାନା ଅଧିକାର କ୍ଷେତ୍ର ମଧ୍ୟରେ ଆସୁଥିବା ଅଞ୍ଚଳରେ ଏଏଫଏସପିଏ ଲାଗୁ ରହିବ।