ମୁମ୍ବାଇ ୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ମୁମ୍ବାଇର ନୂଆ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ଉଦଘାଟନ କରିବେ। ଏହା ପୂର୍ବରୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ନବନିର୍ମିତ ଏୟାରପୋର୍ଟକୁ ଏରୋଡ୍ରମ ଲାଇସେନ୍ସ ପ୍ରଦାନ କରିଛନ୍ତି। ନଭି ମୁମ୍ବାଇ ଅନ୍ତର୍ଜାତୀୟ ଏୟାରପୋର୍ଟ ଲିମିଟେଡ (ଏନଏମଆଇଏ) ରାୟଗଡ଼ ଜିଲ୍ଲା ଉଲୱେ ରେ ଥିବା ବେଳେ ଏହା ମୁମ୍ବାଇର ଦ୍ୱିତୀୟ ବିମାନ ବନ୍ଦର । କଡ଼ା ସୁରକ୍ଷା ଓ ରେଗୁଲେଟରୀ ନିୟମ ପୁରା କରିବା ପରେ ଡିଜିସିଏ ଏହି ଲାଇସେନ୍ସ ପ୍ରଦାନ କରିଛନ୍ତି।

ଏବେ ଏରୋଡ୍ରମ ଲାଇସେନ୍ସ ମିଳିବା ପରେ ଏନଏମଆଇଏ ମୁମ୍ବାଇକୁ ଅବଶିଷ୍ଟ ବିଶ୍ୱ ସହ ଯୋଡିବାରେ ଏକ ଆଧୁନିକ ପ୍ରବେଶ ଦ୍ୱାର ହେବ। ଉଲ୍ଲେଖଯୋଗ୍ୟ ଯେ ବିମାନ ବନ୍ଦର ଉଦଘାଟନକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଅକାସା ଏୟାର ନୂଆ ଏୟାରପୋର୍ଟରୁ ସେମାନଙ୍କ ବାଣିଜ୍ୟିକ ଉଡାଣ ସିଡ୍ୟୁଲ ଜାରି କରିସାରିଲେଣି। ମୁମ୍ବାଇ ମହାନଗର ଅଞ୍ଚଳର ମୁଖ୍ୟ ଏଭିଏସନ ସେଣ୍ଟର ରୂପେ ବିକଶିତ ଗ୍ରିନଫିଲ୍ଡ ଏୟାରପୋର୍ଟର ଉଦଘାଟନ ଅକ୍ଟୋବର ୮ ତାରିଖରେ ହେବ।

ଏହି ଏରୋଡ୍ରମ ଆରମ୍ଭ ହେବା ପରେ ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ଟର୍ମିନାଲ (ସିଏସଏମଆଇଏ) ବ୍ୟତୀତ ମୁମ୍ବାଇବାସୀଙ୍କୁ ଆଉ ଏକ ଏୟାରପୋର୍ଟ ମିଳିଯିବ। ଏହି ଦୁଇ ଏୟାରପୋର୍ଟ ମଧ୍ୟରେ ଦୂରତା ପାଖାପାଖି ୪୦ କିଲୋମିଟର। ତେବେ ଉଭୟ ଏୟାରପୋର୍ଟ ମଧ୍ୟରେ ଥିବା କନେକ୍ଟିଭିଟି ସମସ୍ୟାକୁ ଦୂର କରିବାକୁ ଏବେ ଚେଷ୍ଟା କରାଯାଉଛି। ଏଥି ଲାଗି ମଲ୍ଡି ମଡେଲ ପରିବହନ ଯେପରି ସଡକ, ମେଟ୍ରୋ, ଉପନଗରୀୟ ରେଲ ଓ ଜଳ ସମ୍ପର୍କ ମାଧ୍ୟମରେ ଏକ ନିର୍ବାଧ ଟ୍ରାନ୍ସପୋର୍ଟ ମଡେଲ ସ୍ଥାପିତ କରିବାକୁ ପ୍ରୟାସ ହେଉଛି।

ଏହି ଦୁଇ ଏୟାରପୋର୍ଟ ପରସ୍ପର ସହ ଭଲ ରୂପେ କନେକ୍ଟ ହୋଇଯିବା ପରେ ଭାରତର ସବୁଠୁ ବ୍ୟସ୍ତତମ ବାଣିଜ୍ୟିକ ସହର ମୁମ୍ବାଇକୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଯିବ ବୋଲି କୁହାଯାଉଛି।