LIVE TV

ଟି-୨୦ରେ ନୂଆ କିର୍ତ୍ତୀମାନ ସ୍ଥାପନ କଲେ ଅଭିଷେକ ଶର୍ମା, ବରୁଣଙ୍କ ପଛରେ ପଡ଼ିଲେ ପାକିସ୍ତାନୀ ବୋଲର

NEWS7
Abhisekh Sharma

ନୂଆଦିଲ୍ଲୀ: ଜବରଦସ୍ତ ଫର୍ମରେ ଚାଲିଥିବା ଟିମ୍ ଇଣ୍ଡିଆର ଓପନର ଅଭିଷେକ ଶର୍ମାଙ୍କ ଆଇସିସି ଟି-୨୦ ମାନ୍ୟତାରେ ଧମାଲ ଜାରି ରହିଛି। ଆଇସିସିର ସଦ୍ୟତମ ମାନ୍ୟତାରେ ଏହି ବାମହାତୀ ଓପନର ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ଏସିଆ କପ୍ ୨୦୨୫ରେ ଓମାନ ବିପକ୍ଷରେ ୩୮ ରନ ଓ ପାକିସ୍ତାନ ବିପକ୍ଷରେ ୭୪ ରନର ଇନିଂସ ଖେଳିବା ପରେ ରେଟିଂ ୨୩ ଅଙ୍କ ବୃଦ୍ଧି ଘଟିଛି। ଆଇସିସି ଟି-୨୦ ମାନ୍ୟତାରେ ୯୦୭ ରେଟିଂ ହାସଲ କରିଛନ୍ତି ଅଭିଷେକ। ଅଭିଷେକ ଶର୍ମା ୯୦୦ ରେଟିଂ ହାସଲ କରିବାରେ ତୃତୀୟ ଭାରତୀୟ ବ୍ୟାଟର ହେବାର ଉପଲବ୍ଧି ହାସଲ କରିଛନ୍ତି। ବୋଲିଂରେ ବରୁଣ ଚକ୍ରବର୍ତ୍ତୀ ଓ ଅଲରାଉଣ୍ଡର ମାନ୍ୟତାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶୀର୍ଷ ସ୍ଥାନ ବଳବତ୍ତର ରହିଛି।

ଭାରତୀୟ ବ୍ୟାଟର ଅଭିଷେକ ଶର୍ମାଙ୍କ ବ୍ୟତୀତ ତିଳକ ବର୍ମା ଓ ସୂର୍ଯ୍ୟକୁମାର ଯାଦବ ମାନ୍ୟତାରେ ଗୋଟିଏ ସ୍ଥାନ ଉପରକୁ ଉଠି ଯଥାକ୍ରମେ ତୃତୀୟ ଏବଂ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି।ଏହି ପରି ଟପ୍-୧୦ରେ ତିନି ଜଣ ଭାରତୀୟ ବ୍ୟାଟର ଅଛନ୍ତି। ଟି-୨୦ ଅନ୍ତର୍ଜାତୀୟରେ ସବୁଠୁ ଅଧିକ ରେଟିଂ ହାସଲ  କରିବାର ରେକର୍ଡ ଇଂଲଣ୍ଡର ଡେଭିଡ ମଲାନଙ୍କ ନାଁରେ ରହିଛି। ଏହି ଇଂଲଣ୍ଡ ଖେଳାଳି ୨୦୨୦ରେ ୯୧୯ ରେଟିଂ ପର୍ଯ୍ୟନ୍ତ ପହଞ୍ଚିଥିଲେ। ସୂର୍ଯ୍ୟକୁମାର ଯାଦବ(୯୧୨) ଓ ବିରାଟ କୋହଲି (୯୦୯)  ତାଲିକାରେ ଅଭିଷେକ ଶର୍ମାଙ୍କଠୁ ଆଗରେ ଅଛନ୍ତି।

ଟି-୨୦ ମାନ୍ୟତାରେ ସର୍ବାଧିକ ରେଟିଂ ପଏଣ୍ଟ

ଡେଭିଡ୍ ମଲାନ- ୯୧୯

ସୂର୍ଯ୍ୟକୁମାର ଯାଦବ- ୯୧୨

ବିରାଟ କୋହଲି- ୯୦୯

ଅଭିଷେକ ଶର୍ମା- ୯୦୭

ଆରୋନ ଫିଞ୍ଚ- ୯୦୪

ଟି-୨୦ ବୋଲରଙ୍କ ମାନ୍ୟତାରେ ଭାରତର କୁଲଦୀପ ଯାଦବ ଦୁଇଟି ସ୍ଥାନ ଉପରକୁ ଉଠି ୨୧ତମ ସ୍ଥାନରେ ପହଞ୍ଚିଛନ୍ତିସବୁଠାରୁ ବଡ଼ ଲମ୍ଫ ପାକିସ୍ତାନର ଅବରାର ଅହମ୍ମଦ ମାରିଛନ୍ତି, ସେ ୧୨ ସ୍ଥାନ ଉପରକୁ ଉଠି ବୋଲିଂ ମାନ୍ୟତାର  ଚତୁର୍ଥ ସ୍ଥାନକୁ ଉଠିଛନ୍ତି। ବରୁଣ ଚକ୍ରବର୍ତ୍ତୀ ୭୪୭ ରେଟିଂ ପଏଣ୍ଟ ସହ ବିଶ୍ୱର ନମ୍ବର ଟି-୨୦ ବୋଲର ରହିଛନ୍ତି। ଅବରାର ଆଗାମୀ ଦିନରେ ବରୁଣ ଚକ୍ରବର୍ତ୍ତୀଙ୍କ ପାଇଁ ବିପଦ ପାଲଟି ପାରନ୍ତି।