ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’, ରାମମନ୍ଦିରରୁ ବାଣୀବିହାର ଯାଏ ମେଗା ଶୋ’, ସୁରକ୍ଷା କଡ଼ାକଡ଼ି

Published By : Prameya-News7 Bureau | May 10, 2024 IST

ଭୁବନେଶ୍ୱର, ୧୦/୫: ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ । ସଂଧ୍ୟାରେ ରାମମନ୍ଦିରରୁ ବାଣୀବିହାର ଯାଏ ମେଗା ଶୋ’ କରିବେ ନରେନ୍ଦ୍ର ମୋଦି । ଏନେଇ ରାଜ୍ୟ ବିଜେପି ଶିବିର ଉତ୍ସାହିତ ରହିଥିବା ବେଳେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।  

ମିଶନ ଭୁବନେଶ୍ୱର ଟାର୍ଗେଟ ନେଇ ଆଜି ମଇଦାନକୁ ଓହ୍ଲାଇବେ ପିଏମ ମୋଦି । ରାଜ୍ୟ ବିଜେପି ଶିବିର ପୂରା ଉତ୍ସାହିତ । ପାର୍ଟି କାର୍ଯ୍ୟାଳୟରେ ସବୁ ରାଜ୍ୟସ୍ତରୀୟ ଓ ଭୁବନେଶ୍ୱରିଆ ନେତାଙ୍କ ଛାଉଣୀ ଲାଗିଛି । ସମସ୍ତେ ଲାଗି ପଡ଼ିଛନ୍ତି, ମୋଦିଙ୍କ ଗସ୍ତରୁ ଯେଉଁ ହାୱା ସୃଷ୍ଟି ହେବ, ସେଥିରେ କେମିତି ଭୁବନେଶ୍ୱର ଦଖଲ ହେବ । 

ଶୁକ୍ରବାର ରାତି ୮ଟା ୧୦ ମିନିଟ୍‌ରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ରାଜ୍ୟ ବିଜେପି ନେତାମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ଆଣିବେ । କାର୍ଗୋ ଗେଟ୍‌ ପଟେ ମୋଦିଙ୍କ କାରକେଡ୍‌ ବାହାରିବ । ବିମାନବନ୍ଦର ଟ୍ରାଫିକ୍‌ ଛକ ଦେଇ କ୍ୟାପିଟାଲ ହସ୍ପିଟାଲ, ଏଜି ଛକ, ପିଏମ୍‌ଜି ଛକରେ ଗାନ୍ଧିମାର୍ଗକୁ ମୋଡ଼ିବ କାରକେଡ୍‌ । 

ଗାନ୍ଧିମାର୍ଗରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଦେଇ ମୋଦି ବିଜେପି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିବେ । ସେଠାରେ ମୋଦିଙ୍କ ଉପରେ ଫୁଲ ବର୍ଷା କରିବେ ରାଜ୍ୟ ବିଜେପି କର୍ମକର୍ତ୍ତା । ପାର୍ଟି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ୧୨ଟି ମଞ୍ଚ ବନ୍ଧାଯାଇଛି । ପ୍ରତି ମଞ୍ଚରେ ବିଜେପି ପକ୍ଷରୁ ଓଡ଼ିଶାର ସଂସ୍କୃତି ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାରାବାଜି ଜାରି ରହିବ । 

ପାର୍ଟି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର ବାମ ପାଶ୍ୱର୍କୁ ବ୍ୟାରିକେଡ୍‌ ବନ୍ଧା ଯାଇଛି । ବ୍ୟାରିକେଡ଼ ପଛରେ ରହିବେ ହଜାର ହଜାର ମୋଦି ସମର୍ଥକ । ରାତି ପ୍ରାୟ ସାଢ଼େ ୯ଟା ବାଣୀବିହାର ଛକରେ ରୋଡ୍‌ ସୋ’ ସରିବ । ପରେ କାରକେଡ୍‌ ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଦେଇ ସିଧା ରାଜଭବନକୁ ମୁହାଁଇବ । ମୋଦି ସେଠାରେ ରାତ୍ରିଯାପନ କରିବେ । 

ମୋଦିଙ୍କ ରୋଡ୍‌ ସୋ ପାଇଁ ଜନପଥରେ ଟ୍ରାଫିକ କଟକଣା ଲଗାଇଛି କମିଶନରେଟ୍‌ ପୋଲିସ । ଆଜି ଅପରାହ୍ଣ ୨ଟାରୁ ରୋଡ୍‌ ସୋ ସରିବା ଯାଏଁ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ । ଅପରାହ୍ନ ୪ଟାରୁ ରୋଡ୍‌ ସୋ' ଶେଷ ହେବା ଯାଏଁ ଜନପଥର ଅପରପାର୍ଶ୍ବ ଅର୍ଥାତ୍‌ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍‌ ରାସ୍ତାକୁ ବନ୍ଦ କରାଯିବ । ଏହା ସହ ଜନପଥକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତା ସିଲ୍‌ କରାଯିବ ।

ରୋଡ୍‌ ସୋ’ ସୁରକ୍ଷା ଦାୟିତ୍ୱ କମିଶନରେଟ୍‌ ପୋଲିସ ମୁଣ୍ଡାଇଛି । ବ୍ଲୁ ବୁକ୍‌ ଅନୁସାରେ ଏସ୍‌ପିଜି ସହ ମିଶି ପୋଲିସ ସୁରକ୍ଷାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।  ଗୁରୁବାର ଦିନତମାମ ଜନପଥର ୨ ପାଶ୍ୱର୍ରେ ପଡୁଥିବା ସପିଂ ମଲ୍‌, ଉଚ୍ଚ ଅଟାଳିକାଗୁଡିକ ଯାଞ୍ଚ କରାଯାଇଛି । ଏସ୍‌ପିଜି କମାଣ୍ଡୋମାନେ ବାଇନାକୁଲାର ଯୋଗେ ସମ୍ବେଦନଶୀଳ ପଏଣ୍ଟ ଚିହ୍ନଟ କରିଛନ୍ତି । ସନ୍ଧ୍ୟାରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଡିସିପି ପ୍ରତୀକ ସିଂ ଖୋଦ୍‌ ସୁରକ୍ଷା ଦାୟିତ୍ୱର ତଦାରଖ କରିଛନ୍ତି । ସେମାନେ ଏସ୍‌ପିଜିର ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ନେଇ ଆଲୋଚନା କରିଛନ୍ତି । 

ମୋଦିଙ୍କ ରୋଡ୍‌ ସୋ’ ପାଇଁ ମୋଟ୍ ୫୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ । ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ ଏସିପି ଓ ୪୧ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ଏହାସହ ୩ଟି ଆଣ୍ଟି ଟେରର୍‌ ଗ୍ରୁପ୍‌ ମଧ୍ୟ ରୋଡ୍‌ ଶୋ’କୁ ଜଗିବ । 

ତେବେ ଶନିବାର ତିନୋଟି ସ୍ଥାନରେ ପ୍ରଧାନମନ୍ତ୍ରୀ ପ୍ରଚାର କରିବେ ।୧୧ ତାରିଖ ସକାଳ ୯ଟା ୩୦ରେ କନ୍ଧମାଳ ଲୋକସଭାର ଫୁଲବାଣୀ ଷ୍ଟାଡିୟମରେ ମୋଦି ପ୍ରଚାର ସଭା କରିବେ । ଦିନ ସାଢ଼େ ୧୧ଟା ପରେ ବଲାଙ୍ଗୀର ଓ ଅପରାହ୍ନ ସାଢ଼େ ୧ଟାରେ ବରଗଡ଼ରେ ବିଜୟ ସଂକଳ୍ପ ସମାବେଶରେ ମୋଦି ଯୋଗ ଦେବେ । ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.