କୋଭିସିଲଡ ପାର୍ଶ୍ୱପ୍ରତିକ୍ରିୟା ମାମଲା: ସବୁ କୋଭିଡ ଟିକା ସମୀକ୍ଷା ପାଇଁ ସରକାରଙ୍କୁ ଡାକ୍ତର ସମୂହଙ୍କ ନିବେଦନ

Published By : Prameya-News7 Bureau | May 09, 2024 IST

ନୂଆଦିଲ୍ଲୀ ୯।୫: ଡାକ୍ତରଙ୍କ ଏକ ସମୂହ ସିରମ ଇନିଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ) ଦ୍ୱାରା ନିର୍ମିତ କୋଭିସିଲଡ ଟିକାର ସୁରକ୍ଷା ନେଇ ଗୁରୁବାର ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଆଷ୍ଟ୍ରାଜେନେକା କମ୍ପାନୀ ବ୍ରିଟେନର ଏକ କୋର୍ଟରେ ତାଙ୍କ ପ୍ରସ୍ତୁତ ଟିକା ବିରଳ ମାମଲାରେ ବ୍ଲଡ କ୍ଲଟ କରିବାର କାରଣ ହୋଇପାରେ ବୋଲି ସ୍ୱୀକାର କରିବା ପରେ ଡାକ୍ତରମାନେ ଏପରି ଚିନ୍ତା ବ୍ୟକ୍ତ କରିଛନ୍ତି। ‘ଆୱାକେନ ଇଣ୍ଡିଆ ମୁଭମେଣ୍ଟ’ (ଏଆଇଏମ) ବ୍ୟାନରରେ ଡାକ୍ତରମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଏପରି ଉଦବେଗ ପ୍ରକାଶ କରିଛନ୍ତି। 

ଡାକ୍ତରମାନେ କହିଛନ୍ତି ଯେ ସରକାର ସବୁ କୋଭିଡ ନିରୋଧି ଟିକା ପଛର ବିଜ୍ଞାନ ସମୀକ୍ଷା କରିବା ଓ ସେଗୁଡିକର ବ୍ୟବସାୟୀକରଣର ଅଡିଟ କରିବା ସହିତ ଟିକାକରଣ ସମ୍ପର୍କିତ ପ୍ରତିକୂଳ ଘଟଣାର ତୁରନ୍ତ ଚିହ୍ନଟ ପାଇଁ ସକ୍ରିୟ ନଜର ରଖିବା ସର୍ଭିଲାନ୍ସ ମେକାନିଜିମର କ୍ରିୟାନ୍ୱୟନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ରେଡିଓଲଜିଷ୍ଟ ତଥା କାର୍ଯ୍ୟକର୍ତ୍ତା ଡା. ତରୁଣ କୋଠାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସରକାର କୋଭିଡ ଟିକାକରଣ ପରେ ଦୁଃଖଦ ମୃତ୍ୟୁର ବଢୁଥିବା ମାମଲା ପ୍ରତି ସମ୍ପୂର୍ଣ୍ଣ ଆଖି ମୁଦି ଦେଇଛନ୍ତି। 

ସେହିପରି ସରକାର ବୈଜ୍ଞାନିକ ଯାଞ୍ଚ ବିନା କୋଭିଡ ଟିକାକୁ ‘ସୁରକ୍ଷିତ ଓ ପ୍ରଭାବୀ’ ବୋଲି ପ୍ରଚାରରେ ଲାଗିଥିଲେ। ଡା. କୋଠାରୀ କହିଛନ୍ତି ଯେ ବିଶ୍ୱ ଏବେ କୋଭିଡ ଟିକାର ଥ୍ରମ୍ବୋସିସ୍ ଏବଂ ଥ୍ରମ୍ବୋସାଇଟୋପେନିୟା ସିଣ୍ଡ୍ରୋମ (ଟିଟିଏସ) ନାମକ ଦୁଃଷ୍ପ୍ରଭାବ ସମ୍ପର୍କରେ ଜାଣିବାକୁ ପାଇଛି। ଏପରି ବିରଳ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ସ୍ୱୀକାର କରିବା ପରେ ବ୍ରିଟେନ ଆଧାରିତ କମ୍ପାନୀ ବୈଶ୍ୱିକ ସ୍ତରରେ ନିଜ ଟିକା ପ୍ରତ୍ୟାହାର କରିବା ଆରମ୍ଭ କରିଦେଇଛି। 

ଏହି ଟିକାକୁ ଭାରତରେ ସିରମ ଇନିଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ସହ ଭାଗିଦାରୀରେ ‘କୋଭିସିଲଡ’ ନାମରେ ପ୍ରସ୍ତୁତ କରାଯାଇଥିଲା। କମ୍ପାନୀ ଏକ ବୟାନରେ କହିଛି ଯେ ମହାମାରୀ ପରେ ଟିକାର ଅତିରିକ୍ତ ଉପଲବ୍ଧତା ଯୋଗୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ସେହିପରି ଭାରତରେ ଏସଆଇଆଇ ଡିସେମ୍ବର ୨୦୨୧ରୁ ଟିକାର ଅତିରିକ୍ତ ଡୋଜ ପ୍ରସ୍ତୁତି ଓ ବନ୍ଦ କରିଦେଇଥିବା କହିଛି। ଏହା ସହିତ କମ୍ପାନୀ ଏହା ମଧ୍ୟ କହିଛି ଯେ ଟିକା ଯୋଗାଣ କାଳରେ ଏହାର ପ୍ୟାକେଜିଂରେ ଦୁଃଷ୍ପ୍ରଭାବ ନେଇ ସତର୍କ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.