ନୂଆଦିଲ୍ଲୀ: ଅଷ୍ଟ୍ରିଆର ପ୍ରସିଦ୍ଧ ପେଣ୍ଟର ବା ଚିତ୍ରକର ଗୁସ୍ତାଭ କ୍ଲିମ୍ଟଙ୍କ ଏକ ପେଣ୍ଟିଂ ରେକର୍ଡ, ୨୩୬.୪ ମିଲିୟନ ବା ପ୍ରାୟ ୨,୧୧୯ କୋଟି ୧୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ମଙ୍ଗଳବାର ନ୍ୟୁୟର୍କର ସୋଥବି (Sotheby’s) ନିଲାମୀ ଏଜେନ୍ସୀରେ ଏହି ପେଣ୍ଟିଂଟି ବିକ୍ରି ହୋଇଛି। ଏହି ପେଣ୍ଟିଂ ପାଇଁ ୬ ଜଣ କ୍ରେତା ନିଲାମ ଡାକିଥିଲେ। ତେବେ ଏଜେନ୍ସୀ ଏହି ପେଣ୍ଟିଂକୁ କିଣିଥିବା ବ୍ୟକ୍ତିଙ୍କ ତଥ୍ୟ ପ୍ରକାଶ କରିନାହିଁ।

ଏହି ପେଣ୍ଟିଂର ନାଁ ରହିଛି ‘ପୋଟ୍ରେଟ ଅଫ୍ ଏଲିଜାବେଥ ଲେଡେରର’। ଯାହା ୬ ଫୁଟ ଉଚ୍ଚତା ବିଶିଷ୍ଟ। କ୍ଲିମ୍ଟ ୧୯୧୪ରୁ ୧୯୧୬ ମଧ୍ୟରେ ଏହି ପେଣ୍ଟିଂକୁ ଆଙ୍କିଥିଲେ। ଏଥିରେ ଯୁବ ଉତ୍ତରାଧିକାରୀ ଏଲିଜାବେଥ ଲେଡେରରଙ୍କୁ ଜଣେ ଏକ ଚାଦରରେ ଘୋଡ଼ାଇ ହୋଇଥିବାର ଦେଖାଯାଇଛି। ବଡ଼ କଥା ହେଲା ଏହି ପେଣ୍ଟିଂ ଏବେ ଦୁନିଆର ଦ୍ବିତୀୟ ସବୁଠୁ ଦାମୀ କଳାକୃତି ହୋଇଛି। କୌଣସି ମଡର୍ଣ୍ଣ ଆର୍ଟ ନିଲାମୀ ଜରିଆରେ ବିକ୍ରି ହୋଇଥିବା ସବୁଠୁ ଦାମୀ ପେଣ୍ଟିଂର ଟାଇଟଲ ମଧ୍ୟ ଏହି ପେଣ୍ଟିଂକୁ ମିଳିଛି।

ସୂଚନାଥାଉକି, ନିଲାମୀରେ ଏପର୍ଯ୍ୟନ୍ତ ବିକ୍ରି ହୋଇଥିବା ସବୁଠୁ ମହଙ୍ଗା କଳାକୃତି ହେଉଛି ଲିୟୋନାର୍ଡୋ ଡା ଭିନସିଙ୍କ ‘ସଲଭାଟୋର ମୁଣ୍ଡି’। ଯାହା ୨୦୧୮ରେ ୪୫୦.୩ ମିଲିୟନ ଡଲାରରେ ବିକ୍ରି ହୋଇଥିଲା।

ଉଲ୍ଲେଖଯୋଗ୍ୟ, ‘ପୋଟ୍ରେଟ ଅଫ୍ ଏଲିଜାବେଥ ଲେଡେରର’ ପେଣ୍ଟିଂକୁ ନାଜିମାନେ ଲୁଟି ନେଇଥିଲେ। ଏମିତିକି ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ନିଆଁରେ ପ୍ରାୟତଃ ନଷ୍ଟ ହୋଇଯାଇଥିଲା। କିନ୍ତୁ ୧୯୪୮ରେ ଏହାକୁ ଲେଡରରଙ୍କ ଭାଇ ଏରିଖଙ୍କୁ ଫେରାଇ ଦିଆଯାଇଥିଲା। କ୍ଲିମ୍ଟଙ୍କ ବନ୍ଧୁ ଏବଂ ଆର୍ଟିଷ୍ଟ ଏଗୋନ ଶୀଲେ ଏରିଖଙ୍କ ଉପରେ ଆଧାରିତ ଅନେକ ପେଣ୍ଟିଂ ଏବଂ ଚିତ୍ର ଆଙ୍କିଥିଲେ। ଏଲିଜାବେଥ ଲେଡରରଙ୍କ ପେଣ୍ଟିଂ ଦୀର୍ଘ ଦିନ ପର୍ଯ୍ୟନ୍ତ ଏରିଖଙ୍କ ପାଖରେ ରହିଥିଲା ଆଉ ସେ ୧୯୮୩ରେ ଏହାକୁ ବିକ୍ରି କରିଥିଲେ।

ଏହା ପରେ ୧୯୮୫ରେ ଏହି ପେଣ୍ଟିଂକୁ ଏସ୍ତେ ଲଡର ସାମ୍ରାଜ୍ୟର ଉତ୍ତରାଧିକାରୀ ଲିଓନାର୍ଡ ଏ.ଲଡରଙ୍କ ପ୍ରାଇଭେଟ ଆର୍ଟ କଲେକ୍ସନର ଅଂଶ ହୋଇଥିଲା। ସେ ଏହାକୁ ନିଜ ଫିଫ୍ଥ ଆଭେନ୍ୟୁ ସ୍ଥିତ ନ୍ୟୁୟର୍କର ଘରେ ପ୍ରଦର୍ଶତ କରିଥିଲେ। ଲଡରରଙ୍କ ୯୨ ବର୍ଷ ପରେ ପରଲୋକ ହୋଇଥିଲା। ହେଲେ ଏବେ ଏହା ନିଲାମୀରେ ବିକ୍ରି ହୋଇଛି।

ନିଲାମୀରେ ବିକ୍ରି ହେଲା ୧୦୧ କେଜିର ସୁନା ଟଏଲେଟ୍

ଲଡରର ଆର୍ଟ କଲେକ୍ସନର ନିଲାମୀ ପରେ ନିଲାମୀ ହାଉସ ‘ସୋଥବି’ ମଡର୍ଣ୍ଣ ଆର୍ଟର ଆଉ ଏକ ନିଲାମୀ କରିଥିଲା। ଏଥିରେ ଏକ ସଂପୂର୍ଣ୍ଣ ଭାବେ ସୁନାରେ ତିଆରି ଟଏଲେଟ ସିଟ୍ ରହିଥିଲା । ଏହାକୁ ଇଟାଲିୟନ କଳାକାର ମରିଜିଓ କ୍ୟାଟେଲନ ତିଆରି କରିଛନ୍ତି। ଏହାର ଓଜନ ୧୦୧ କେଜି। ଏହି ଟଏଲେଟ ୧୮ କ୍ୟାରେଟ ସୁନାରେ ତିଆରି। ଏହାର ନାଁ ଆମେରିକା। ମଙ୍ଗଳବାର ଏହା ୧୦ ମିଲିୟନ ଡଲାରରେ ବିକ୍ରି ହୋଇଛି।