LIVE TV

ଅଶାନ୍ତ କଟକରେ ଶାନ୍ତି ଫେରିବ କେବେ? ଆଜି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ କଟକ ବନ୍ଦ ଡାକରା

NEWS7
cuttack bandha

କଟକ ୦୬/୧୦:  ଦୁର୍ଗାପୂଜା ମେଢ଼ ଭସାଣ ବେଳେ ଗୋଷ୍ଠୀ ବିବାଦକୁ ନେଇ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆଜି କଟକ ବନ୍ଦ ଡାକରା । ରବିବାର ବନ୍ଦ ସପକ୍ଷରେ ଶୋଭାଯାତ୍ରା ବାହାରିଥିବା  ବେଳେ ପୁଣିଥରେ ସୃଷ୍ଟି ହୋଇଥିଲା ତୀବ୍ର ଉତ୍ତେଜନା। ଯାହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ୩୬ ଘଣ୍ଟା ପାଇଁ କଟକଣା ଜାରି କରାଯାଇଛି। କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରିଛି କମିସନରେଟ ପୁଲିସ୍।

ଅପ୍ରିତୀକର ତଥା ହିଂସାତ୍ମକ ପରିସ୍ଥିତି ଏଡ଼ାଇବାକୁ ସଜାଗ ହୋଇରହିଛି କମିସନରେଟ ପୋଲିସ୍। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଆଇଜି ପ୍ରବୀଣ କୁମାର ଓ ଡିଆଇଜି ଯୁଗଳ କିଶୋର ବୋନଥଙ୍କୁ କଟକର ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି । ପୋଲିସ ଡିଜିୱାଇବି ଖୁରାନିଆଙ୍କ ନେତୃତ୍ୱରେ ଦରଘାବଜାରରେ ପୋଲିସର ସ୍ୱତନ୍ତ୍ର କ୍ୟାମ୍ପ ଅଫିସ ଖୋଲାଯାଇଛି।

ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଗାମେଢ଼ ଭସାଣି ବେଳେ ହାତୀପୋଖରୀଠାରେ ଘଟିଥିବା ଗଣ୍ଡଗୋଳର ପ୍ରତିଫଳନ ପୁଣିଥରେ ରବିବାର ଦେଖିବାକୁ ମିଳିଛି। ଭସାଣିରେ ଗଣ୍ଡଗୋଳ ପ୍ରତିବାଦରେ କଟକ ବନ୍ଦ ଡାକରାକୁ ସମର୍ଥନ କରି ବିଶ୍ବହିନ୍ଦୁ ପରିଷଦ ଓ ଅନ୍ୟ ସଂଗଠନ ପକ୍ଷରୁ ମୋଟର ସାଇକଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶୋଭାଯାତ୍ରା ଯାଉଥିବା ସମୟରେ ପୁଲିସ କିଛି ଶୋଭାଯାତ୍ରାକାରୀଙ୍କୁ ବଜ୍ରକବାଟୀ ନିକଟରେ ଅଟକାଇବାରୁ ଉତ୍ତେଜନା ବଢ଼ିଥିଲା । 

ସେଠାରେ ପୋଲିସ ଓ ଶୋଭାଯାତ୍ରାକାରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଶୋଭାଯାତ୍ରାକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଥିଲେ। ଶୋଭାଯାତ୍ରା ଦରଘାବଜାରରେ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଦରଘାବଜାରଠାରୁ ସିଟି ହସ୍ପିଟାଲ ଓ ଗୌରୀଶଙ୍କର ପାର୍କ ପର୍ଯ୍ୟନ୍ତ ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା। ଏହି ଘଟଣାରେ ଅନେକ ଦୋକାନ ଭଙ୍ଗାରୁଜା ହେବା ସହିତ ରାସ୍ତାକଡ଼ର ଠେଲାଗାଡ଼ି ଓ କ୍ୟାବିନ୍‌ ଜଳି ଯାଇଛି। ଏକାଧିକ କାର୍‌ ମଧ୍ୟ ଭାଙ୍ଗିଛି। ଘଟଣାକୁ ନେଇ ସ୍ଥିତି ଅନୁଧ୍ୟାନ କରିବା ସହ ଦୋଷୀଙ୍କୁ ଛଡ଼ାଯିବନାହିଁ ବୋଲି ଚେତାବନୀ ଦେଇଛନ୍ତି ପୁଲିସ୍ ଡିଜି ୱାଇବି ଖୁରାନିଆ ।