ନୂଆଦିଲ୍ଲୀ: ଗାଜା ଶାନ୍ତି ଯୋଜନାକୁ ସ୍ୱୀକାର କର ନହେଲେ ସବୁ ମରିବ। ଗାଜାର ଚରମପନ୍ଥୀ ସଂଗଠନ ହମାସକୁ ଆଜି ଏଭଳି ଅଲ୍‌ଟିମେଟମ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକାର ସମୟ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ଶାନ୍ତି ପ୍ରସ୍ତାବ ଗ୍ରହଣ କର ନହେଲେ ସବୁ ନର୍କକୁ ଯିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି।

ଟ୍ରୁଥ ସୋଶାଲ୍‌ରେ ପୋଷ୍ଟ କରି ଟ୍ରମ୍ପ ଲେଖିଛନ୍ତି ଯେ ପ୍ରତ୍ୟେକ ଦେଶ ଏଥିରେ ସ୍ୱାକ୍ଷର କରିଛନ୍ତି! ଯଦି ଏହି ଶେଷ ସୁଯୋଗ ସଫଳ ନ ହେଲା, ତେବେ ସମସ୍ତେ(ହମାସ) ନର୍କକୁ ଯିବ। ହମସା ଉପରେ ଏମିତି ଆକ୍ରମଣ ହେବ ଯେମିତି ପୂର୍ବରୁ କେହି କେବେ ଦେଖି ନଥିବେ ଯେମିତି ବି ହେଉ ମଧ୍ୟପୂର୍ବରେ ଶାନ୍ତି ନିହାତି ଆବଶ୍ୟକ ବୋଲି ଟ୍ରମ୍ପ ଲେଖିଛନ୍ତି।

ଏହି ସପ୍ତାହର ଆରମ୍ଭରେ, ଟ୍ରମ୍ପ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ମିଶି ଏହି ଶାନ୍ତି ଯୋଜନାକୁ ଉନ୍ମୋଚନ କରିଥିଲେ। ଏପର୍ଯ୍ୟନ୍ତ ପାଲେଷ୍ଟାଇନୀ ଗୋଷ୍ଠୀ ଏହାକୁ ଗ୍ରହଣ କରି ନାହିଁ। ତେବେ ମଙ୍ଗଳବାର ହମାସ କହିଥିଲା ​​ଯେ ସେମାନେ ପ୍ରସ୍ତାବଟି ଅଧ୍ୟୟନ କରିବେ ତା ପରେ କହିବେ। ହେଲେ ହମାସ ପାଖରେ ଆଉ ୩- ଦିନ  ସମୟ ରହିଛି ବୋଲି ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି। ଯାହା ହମାସକୁ ଶେଷ ଚେତାବନୀ ଭାବରେ ଦେଖାଯାଉଛି।

ଟ୍ରମ୍ପ ହମାସକୁ ଧମକ ଦେଇ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସେନାର ଘେରାବନ୍ଦୀରେ ଅଛନ୍ତି। କେବଳ ମୋର ହଁ ମାରିବାକୁ ଅପେକ୍ଷା କରାଯାଇଛି। ନିମିଷକେ ସେମାନଙ୍କ ଜୀବନ ଶୀଘ୍ର ଶେଷ ହୋଇଯିବ। ବାକି ଲୋକଙ୍କ ବିଷୟରେ, ଆମେ ଜାଣୁ ଯେ ତୁମେ କେଉଁଠି ଲୁଚିଛ ଏବଂ ତୁମେ ସବୁ କିଏ। ତୁମକୁ ଖୋଜି ଖୋଜି ହତ୍ୟା କରାଯିବ ବୋଲି ଟ୍ରମ୍ପ କହିଛନ୍ତି।

ଏହି ଚୁକ୍ତିରେ ଯୁଦ୍ଧବିରତି, ୭୨ ଘଣ୍ଟା ମଧ୍ୟରେ ବନ୍ଧକଙ୍କୁ ଛାଡ଼ିବା, ହମାସର ନିରସ୍ତ୍ରୀକରଣ ଏବଂ ଗାଜାରୁ ଇସ୍ରାଏଲର ଧୀରେ ଧୀରେ ପ୍ରତ୍ୟାହାର ପାଇଁ ଆହ୍ୱାନ ଦିଆଯାଇଛି। ଏହା ପରେ ଟ୍ରମ୍ପ ଯୁଦ୍ଧ ପରବର୍ତ୍ତୀ ସ୍ଥିତିର ନେତୃତ୍ୱ ନେବେ ବୋଲି କୁହାଯାଇଛି। ଏଏଫପିର ଏକ ରିପୋର୍ଟ ଅନୁଯାୟୀ, ହମାସର ରାଜନୈତିକ ବ୍ୟୁରୋର ସଦସ୍ୟ ମହମ୍ମଦ ନଜ୍ଜଲ ଶୁକ୍ରବାର ଏକ ବିବୃତ୍ତି ଜାରି କରିଛନ୍ତି। ନୂଆ ଯୋଜନାରେ ହମାସ ପାଇଁ ଚିନ୍ତାର ବିଷୟ ରହିଛି। ଆମେ ଏହା ଉପରେ ଆମର ମତ ଖୁବ୍ ଶୀଘ୍ର ଘୋଷଣା କରିବୁ ବୋଲି ସେ କହିଛନ୍ତି।

ତେବେ ପୂର୍ବରୁ ହମାସ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ସ୍ଥାୟୀ ଯୁଦ୍ଧବିରତି ଏବଂ ଗାଜାରୁ ଇସ୍ରାଏଲ ସୈନ୍ୟର ପ୍ରତ୍ୟାହାର ଦାବି କରିଥିଲା। ଏହା ବଦଳରେ ସେ ଅବଶିଷ୍ଟ ଇସ୍ରାଏଲ ବନ୍ଧକମାନଙ୍କୁ ମୁକ୍ତ କରିବ ବୋଲି କହିଥିଲା। ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହି ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏବଂ ହମାସ ଅସ୍ତ୍ରତ୍ୟାଗ କର ଆତ୍ମସମର୍ପଣ କରିବାକୁ ସେ ଦାବି ରଖିଥିଲେ।