ନୂଆଦିଲ୍ଲୀ: ୱାଶିଂଟନରେ ଏକ ମାସ ପୂର୍ବରୁ ଆରମ୍ଭ ହୋଇଥିବା ସରକାରୀ ଅଚଳାବସ୍ଥା ଏବେ ଏକ ଦେଶବ୍ୟାପୀ ସଙ୍କଟରେ ପରିଣତ ହୋଇଛି । ଅକ୍ଟୋବର ୧ରୁ ଆରମ୍ଭ ହୋଇଥିବା ସରକାରୀ ବନ୍ଦ ଏବେ ଦ୍ୱିତୀୟ ମାସରେ ପହଞ୍ଚିଛି, ଯାହା ଲକ୍ଷ ଲକ୍ଷ ଆମେରିକୀୟଙ୍କୁ ଘୋର ସଙ୍କଟରେ ପକାଇଛି । ସରକାରୀ କର୍ମଚାରୀ ଜୀବନ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଅନେକଙ୍କ ପାଖରେ ଟଙ୍କା ନାହିଁ ଏବଂ ଅତ୍ୟାବଶ୍ୟକୀୟ ସେବାଗୁଡ଼ିକ ଧୀରେ ଧୀରେ ଭୁଶୁଡ଼ି ପଡୁଛି ।

କାହିଁକି ସଟ୍‌ଡାଉନ୍ ?

ସରକାର ଏବଂ ବିରୋଧୀ ଦଳ ସ୍ୱାସ୍ଥ୍ୟ ବୀମା ପାଣ୍ଠିକୁ ନେଇ ବିବାଦରେ ଫସି ରହିଛନ୍ତି । ଏହା ପ୍ରାୟ ୨୦ ନିୟୁତ ଆମେରିକୀୟଙ୍କୁ ସ୍ୱାସ୍ଥ୍ୟ ବୀମା ପାଇବାକୁ ଅନୁମତି ଦିଏ । ବିରୋଧୀ ଡେମୋକ୍ରାଟ ସଦସ୍ୟ କହିଛନ୍ତି ଯେ ଏହି ସବସିଡି ପୁନଃସ୍ଥାପିତ କରିବା ପାଇଁ ଏକ ଚୁକ୍ତି ନହେବା ପର୍ଯ୍ୟନ୍ତ ଏପରି ସ୍ଥିତି ରହିବ ।ସେପଟେ ଶାସକ ରିପବ୍ଲିକାନ୍ ପାର୍ଟି ଦାବି କରୁଛି ଯେ ସରକାର ଖୋଲାଲା ପରେ ହିଁ ଆଲୋଚନା ହେବ । ଏହି ରାଜନୈତିକ ବିବାଦ ଆମେରିକାରେ ଟ୍ରମ୍ପଙ୍କ ପ୍ରଶାସନକୁ ଅଚଳ କରିଦେଇଛି ।

ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ଏବଂ ହଜାର ହଜାର ସରକାରୀ କର୍ମଚାରୀ ସେମାନଙ୍କର ଦରମା ପାଇନାହାନ୍ତି । ଅନେକ ଏବେ ଖାଦ୍ୟ ପାଇଁ ଫୁଡ୍ ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି । ରିପବ୍ଲିକାନ୍ ନେତା ଟମ୍ ଏମର କହିଛନ୍ତି, "ଗତ ମାସରେ ଟ୍ରମ୍ପ ସୈନ୍ୟମାନଙ୍କୁ ଦରମା ଦେବାର ଏକ ଉପାୟ ବାହାର କରିଥିଲେ, ତେଣୁ ଲୋକମାନେ ଏହାର ପ୍ରଭାବ ବିଳମ୍ବରେ ଦେଖୁଛନ୍ତି । କିନ୍ତୁ ଏବେ ପରିସ୍ଥିତି ଗମ୍ଭୀର ହେଉଛି।"

ବିପଦରେ ଖାଦ୍ୟ ସହାୟତା କାର୍ଯ୍ୟକ୍ରମ

ସପ୍ଲିମେଣ୍ଟାଲ୍ ନ୍ୟୁଟ୍ରିସନ୍ ଆସିଷ୍ଟାନ୍ସ ପ୍ରୋଗ୍ରାମ୍ (SNAP) ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏହି କାର୍ଯ୍ୟକ୍ରମ ୪୨ ନିୟୁତ ଗରିବ ଆମେରିକୀୟଙ୍କୁ ଖାଦ୍ୟ କିଣିବାରେ ସାହାଯ୍ୟ କରେ । ପାଣ୍ଠି ଏବେ ସରିବା ସ୍ଥିତିରେ ପହଞ୍ଚିଛି ଏବଂ ଏହାର ପ୍ରଭାବ ଏହି ସପ୍ତାହାନ୍ତରେ ଲୋକଙ୍କ ରୋଷେଇ ଘରେ ଭୟଙ୍କର ଭାବେ ପଡ଼ିବାକୁ ଯାଉଛି । ରୋଡ୍ ଆଇଲ୍ୟାଣ୍ଡର ଏକ କୋର୍ଟ ସରକାରଙ୍କୁ ଜରୁରିକାଳୀନ ପାଣ୍ଠି ବ୍ୟବହାର କରି କାର୍ଯ୍ୟକ୍ରମକୁ ପାଣ୍ଠି ଯୋଗାଇବା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ହ୍ୱାଇଟ୍ ହାଉସ୍ ଆଇନଗତ କାରଣ ଦର୍ଶାଇ ଟଙ୍କା ଜାରି କରିବାକୁ ଅନିଚ୍ଛୁକ ।  ସେହିପରି ଗର୍ଭବତୀ, ମାଆ ଏବଂ ଛୋଟ ପିଲାମାନଙ୍କୁ ପୁଷ୍ଟିସାର ଯୋଗାଉଥିବା WIC କାର୍ଯ୍ୟକ୍ରମ - ପାଣ୍ଠି ଅଭାବରୁ ବନ୍ଦ ହେବାକୁ ଯାଉଛି । ୬୫,୦୦୦ ପିଲାଙ୍କୁ ପୁଷ୍ଟିସାର ଏବଂ ଶିକ୍ଷା ସହାୟତା ପ୍ରଦାନ କରୁଥିବା ହେଡ୍ ଷ୍ଟାର୍ଟ କାର୍ଯ୍ୟକ୍ରମ ଶନିବାରଠାରୁ ବନ୍ଦ ହୋଇପାରେ ।