ଭୁବନେଶ୍ୱର ୦୧/୧୧: ରାଜେନ୍ଦ୍ର ଢୋଲକିଆ କାହାର? ଏହାକୁ ନେଇ ବିଜେଡି ଓ ବିଜେପି ଭିତରେ ଟଣାଓଟରା । ବର୍ତ୍ତମାନ ଏହାକୁ ନେଇ ତେଜିଛି ରାଜନୀତି । ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ଓ ଭିଡିଓ ସହ ଅଡିଓ ଦେଇ ବିଜେଡି କରିଥିବା ଏକ ବିଜ୍ଞାପନକୁ ଜିଲ୍ଲା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ତାକୁ ରିଜେକ୍ଟ କରି ଦେଇଛନ୍ତି। ସେହିପରି ସ୍ଵର୍ଗତ ଘାସିରାମ ମାଝୀଙ୍କ ଫଟୋ ଲଗେଇବାକୁ ବାରଣ କରାଯାଇଥିବା ବିଜେଡି ଅଭିଯୋଗ ଆଣିଛି।

ସୂଚନା ଥାଉକି, ନୂଆପଡ଼ା ଉପନିର୍ବାଚନରେ ବିଜୁ ଜନତା ଦଳର ଭିଡିଓ ବିଜ୍ଞାପନରେ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ମୁହଁ ବ୍ୟବହାରକୁ ଜିଲ୍ଲା ନିର୍ବାଚନ ଅଧିକାରୀ ଆପତ୍ତି ଉଠାଇଛନ୍ତି । ଏହାର ପ୍ରତିବାଦ କରି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଭେଟି ପ୍ରତିବାଦ ପତ୍ର ଦେଇଛନ୍ତି ବିଜେଡି । ବିଜେଡି କହିଛି, ରାଜେନ୍ଦ୍ର ଢୋଲକିଆ ବିଜେଡିର ବିଧାୟକ ଥିଲେ । ରାଜେନ୍ଦ୍ର ଫଟୋ ରଖିଲେ କ୍ଷତି କଣ? ବିଜେଡି ଜାରି କରିଥିବା ଭିଡିଓକୁ ଜିଲ୍ଲାପାଳ କାହିଁକି ନିଷିଦ୍ଧ କଲେ?

ବିଜେପି କିପରି ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବ୍ୟବହାର କରୁଛି ବୋଲି ବିଜେଡି ପ୍ରଶ୍ନ ମଧ୍ୟ କରିଛି ।  ବିଜେଡିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ପ୍ରତିବାଦ ପତ୍ରରେ ଦର୍ଶାଇଛନ୍ତି ଯେ, ନୂଆପଡ଼ା ଉପନିର୍ବାଚନରେ ବିଜେଡି ପକ୍ଷରୁ ଏକ ଭିଡିଓ ହୋଇଥିଲା । ଯେଉଁଥିରେ ସମ୍ବଲପୁରୀ ଲୋଗୋ ସହ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ରହିଛି । ରାଜେନ୍ଦ୍ର ଢୋଲକିଆ ବିଜେଡିର ବିଧାୟକ ଥିଲେ । ତେଣୁ ବିଜେଡିର ଅଧିକାର ରହିଛି ତାଙ୍କର ଫଟୋ ସହ ବିଜ୍ଞାପନ ଭିଡିଓ  କରିପାରିବ ।

ଅନ୍ୟଦଳର ପ୍ରାର୍ଥୀମାନେ ମଧ୍ୟ ବହୁ ଜଣଙ୍କର ଫଟୋ ରଖି ସେମାନଙ୍କର ନିର୍ବାଚନୀ ବିଜ୍ଞାପନ କରୁଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ପାତରଅନ୍ତର ନୀତି ଆପଣାଉଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ନିର୍ବାଚନରେ ସ୍ୱଚ୍ଛତା ଆଣନ୍ତୁ । ସମସ୍ତଙ୍କୁ ସମାନ ଅଧିକାର ଦିଅନ୍ତୁ । ବିଜେଡିର ଭିଡିଓକୁ ଅନୁମୋଦନ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି ।

 

ସେପଟେ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ସେ କହିଛନ୍ତି ପୁଅର ବାପା ନା ଅନ୍ୟ କାହାର ବାପା । ଜୟ ଢୋଲକିଆ ହେଉଛନ୍ତି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ। ତେଣୁ ତାଙ୍କ ପୁଅ ତାଙ୍କ ଫଟୋ ଲଗେଇବେ ନି କଣ ଅନ୍ୟ ଦଳ ଲଗେଇବେ। କଲେକ୍ଟର ଓ ଏସ୍‌ପି ଯାହା କରିଛନ୍ତି ଠିକ କରିଛନ୍ତି। ଲୋକ ଦଳ ବଦଳ କରୁଛନ୍ତି। ତେଣୁ ତାଙ୍କ ପୁଅ ଏବେ ବିଜେପିରେ ଅଛନ୍ତି। ତେଣୁ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବିଜେପି ଲଗେଇ ପାରିବ।