LIVE TV

ଆସନ୍ତା ସପ୍ତାହରେ ଅଷ୍ଟ୍ରେଲିଆ ଯାତ୍ରା କରିବ ଟିମ୍ ଇଣ୍ଡିଆ, ଜାଣନ୍ତୁ କେବେ ସାମିଲ୍ ହେବେ ରୋହିତ ଓ କୋହଲି

NEWS7
Indian Cricket Team

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଅକ୍ଟୋବର ୧୫ରେ ଅଷ୍ଟ୍ରେଲିଆ ଗସ୍ତ କରିବ। ଦଳ ଦୁଇଟି ସମୂହରେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବ। ଏହି ଗସ୍ତରେ ଟିମ୍ ଇଣ୍ଡିଆ ଘରୋଇ କଙ୍ଗାରୁ ଦଳ ବିରୋଧରେ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍ ଖେଳିବ। ବିସିସିଆଇ ସୂତ୍ର ଅନୁଯାୟୀ, ଖେଳାଳିଙ୍କ ଗୋଟିଏ ଟିମ୍ ସକାଳେ ଯାତ୍ରା କରିବ ଏବଂ ଅନ୍ୟ ଟିମ ସନ୍ଧ୍ୟାରେ ଭାରତ ଛାଡ଼ିବ। ଏହି ଗସ୍ତରେ ସଭିଙ୍କ ନଜର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ରହିବ।

ପୂର୍ବତନ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ଉପଅଧିନାୟକ ଶ୍ରେୟସ ଅଷ୍ଟ୍ରେଲିଆ ଯିବା ପୂର୍ବରୁ ଦିଲ୍ଲୀରେ ଟେଷ୍ଟ ଦଳ ସହ ଯୋଗ ଦେବେ। ଆଉ ଦଳ ଏଠାରୁ ପର୍ଥ ଅଭିମୁଖେ ଯାତ୍ରା କରିବ। ଏଠାରେ ଅକ୍ଟୋବର ୧୯ରେ ପ୍ରଥମ ଦିନିକିଆ ଖେଳାଯିବ।  ଏବେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଖେଳା ଯାଉଥିବା ଟେଷ୍ଟ ସିରିଜ୍ ଯଦି ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଯାଏ ତେବେ ଖେଳାଳିଙ୍କୁ ଘରକୁ ଯିବା ପାଇଁ ଛୋଟ ବ୍ରେକ ମିଳିପାରେ। ଭାରତୀୟ ଦଳ ଅକ୍ଟୋବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦ୍ଵିତୀୟ ତଥା ଶେଷ ଟେଷ୍ଟ ଖେଳିବ।

ତେବେ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଚୟନକର୍ତ୍ତା ବଡ଼ ନିଷ୍ପତ୍ତି ନେଇ ରୋହିତ ଶର୍ମାଙ୍କ ସ୍ଥାନରେ ଶୁଭମନ ଗିଲ୍‌ଙ୍କୁ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରିଛି। କିନ୍ତୁ ରୋହିତ ଦିନିକିଆ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି।   ଅନ୍ୟପଟେ ଦ୍ଵିତୀୟ ଟେଷ୍ଟ ପୂର୍ବରୁ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ପୂରା ଟିମକୁ ରାଜିନ୍ଦର ନଗର ସ୍ଥିତ ନିଜ ବାସଭବନରେ ରାତ୍ରଭୋଜନ ପାଇଁ ଆମନ୍ତ୍ରିତ କରିଛନ୍ତି। ୨ୟ ଟେଷ୍ଟ ପରେ ପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବ। ଦିନିକିଆ ସିରିଜ୍ ଅକ୍ଟୋବର ୧୯ରୁ ୨୫ ତାରିଖ ମଧ୍ୟରେ ସିଡନୀ, ଆଡିଲେଡ ଓ ମେଲବର୍ଣ୍ଣରେ ଖେଳାଯିବ। ଏହା ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆ

ଶୁଭମନ ଗିଲ୍(ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ, ନୀତିଶ କୁମାର ରେଡ୍ଡୀ, ଓ୍ଵାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣ ଓ ଧ୍ରୁବ ଜୁରେଲ।