LIVE TV

ବିଜୟଙ୍କ ରାଲିରେ ଦଳାଚକଟାରେ ଗଲା ୩୯ ଜୀବନ : ୫୦ରୁ ଅଧିକ ଆହତ ICUରେ ଭର୍ତ୍ତି, ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

NEWS7
tamilnadu

ନୂଆଦିଲ୍ଲୀ ୨୮।୦୯; ତାମିଲନାଡୁ କରୁରରେ ଦଳଚକଟାରେ ମୃତ୍ୟସଂଖ୍ୟା ୩୯ ରେ ପହଞ୍ଚିଛି । ଟିଭିକେ ନେତା ତଥା ତାମିଲ ସୁପରଷ୍ଟାର ବିଜୟ ଥାଲାପତିଙ୍କ ରାଲିରେ ଏହି ଦଳାଚକଟା ହୋଇଛି। ୩୯ ଜଣ ମୃତକଙ୍କ ମଧ୍ୟରେ ୧୦ ଛୋଟ ପିଲା, ୧୬ ମହିଳା ଅଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଛି ।

ଆଜି କରୁର ଗସ୍ତ କରିବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ବିଜୟଙ୍କ ସଭାରେ ଆବଶ୍ୟକ ଠାରୁ ଅଧିକ ସଂଖ୍ୟକ ଲୋକ ଭିଡ଼ ହେବାରୁ ଏଭଳି ଅଘଟଣ ହୋଇଛି । ବିଜୟଙ୍କ ରାଲିରେ ୧୦ ହଜାର ଲୋକଙ୍କ ପାଇଁ ଅନୁମତି ମିଳିଥିଲା । ହେଲେ ପ୍ରାୟ ୫୦ ହଜାର ଲୋକ ଯୋଗ ଦେଇଥିଲେ । ରାଲି ପାଇଁ ଲୋକମାନେ ଅପେକ୍ଷା କରିଥିବା ବେଳେ ବିଜୟ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ସଭାସ୍ଥଳରେ ପ୍ରାୟ ୬ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ବିଜୟ ।

ସଭାସ୍ଥଳରେ ଭାଷଣ ଦେଉଥିବା ବେଳେ ହୋଇଥିଲା ଦଳାଚକଟା । ଦଳାଚକଟା ଅଘଟଣ ପାଇଁ ବିଜୟ ଭାଷଣ ବନ୍ଦ କରି ସହାୟତା ପାଇଁ ଅପିଲ କରିଥିଲେ । କାର୍ଯ୍ୟକର୍ତ୍ତାଙ୍କୁ ପାଣି ଯୋଗାଇବା ସହ ଆମ୍ବୁଲାନ୍ସକୁ ବାଟ ଛାଡ଼ିବାକୁ କହିଥିଲେ ବିଜୟ । ପ୍ରାୟ ୫୦ ଜଣ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିଥିବା ବେଳେ ଉଦ୍ଧାରକାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି । ଅନ୍ୟ ଜିଲ୍ଲାରୁ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ ତୁରନ୍ତ କରୁର ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।