News7 Logo

ମା’ କଟକ ଚଣ୍ଡୀ ସୁନା ବେଶରେ ଦର୍ଶନ ଦେଉଥିବା ବେଳେ ମା’ ଗଡ଼ଚଣ୍ଡୀଙ୍କ ଚାନ୍ଦି ବେଶ ଦର୍ଶନ

NEWS7
Besha

କଟକ ୧୪।୯: ଚାଲିଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଧିନୀ ମା’ ଦୁର୍ଗା । ମା’ଙ୍କ ଆଗମନକୁ ନେଇ ଉତ୍ସବମୁଖର ହୋଇ ଉଠିଛି ଗାଁଠୁ ସହର । ରବିବାର ଠାରୁ କଟକରେ ଥିବା ବିଭିନ୍ନ ମା’ଙ୍କ ଶକ୍ତି ପୀଠରେ ଆରମ୍ଭ ହୋଇଛି ଶରତକାଳୀନ ଷୋଡ଼ଶ ଉପଚାର ପୂଜା । କଟକର ଆରାଧ୍ୟ ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ମନ୍ଦିର । ଏହି ପୀଠରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା । ଅପରାହ୍ନରେ ମା’ଙ୍କ ଘଟ ସ୍ଥାପନ ପାଇଁ ନଦୀ କୂଳରେ ପୂଜାର୍ଚ୍ଚନା ବିଧି ଅନୁସାରେ ସମ୍ପାଦନ କରାଯାଇଛି । ନଦୀରୁ ପବିତ୍ର ଜଳ ଆଣି ମନ୍ଦିରରେ ଘଟସ୍ଥାପନ କରାଯାଇଛି । ଦଶହରାକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ମା’ଙ୍କର ଏହି ପୂଜା ଯଥାରୀତି ଅନୁସାରେ ଆରମ୍ଭ ହୋଇଛି । ତେବେ ରବିବାର ଏବଂ ସୋମବାର ମା’ଙ୍କର ସୁନା ବେଶ ହୋଇଥିବା ବେଳେ ମଙ୍ଗଳବାର ଠାରୁ ମା’ଙ୍କର ବିଭିନ୍ନ ବେଶ ଆରମ୍ଭ ହୋଇ ବିଜୟା ଦଶମୀ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ କଟକ ଚଣ୍ଡୀ ମନ୍ଦିରରେ ମା’ଙ୍କ ପୂଜା ଏବଂ ବେଶ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ସେପଟେ ଷୋଡ଼ଶ ଉପଚାର ପୂଜାରେ ମା’ଙ୍କ ଦର୍ଶନ ଲାଭ କରି ଶ୍ରଦ୍ଧାଳୁ ଭାବବିହ୍ଵଳ ହୋଇଛନ୍ତି ।

କେବଳ କଟକ ଚଣ୍ଡୀ ମନ୍ଦିର ନୁହେଁ ସହରର ଅନ୍ୟତମ ପୂରାତନ ଶକ୍ତିପୀଠ ମା’ ଗଡ଼ଚଣ୍ଡୀଙ୍କ ପୀଠରେ ମଧ୍ୟ ମା’ଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଛି । ମଣ୍ଡପ ଗୁଡିକରେ ଦଶହରାର ପୂଜା ଆରମ୍ଭ ହେବା ପୂର୍ବରୁ ଶକ୍ତିପୀଠ ଗୁଡିକରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥାଏ । ରାଧାଷ୍ଟମୀରୁ ମୂଳାଷ୍ଟମୀ ଗୋଟିଏ ପକ୍ଷ ପାଇଁ ଅର୍ଥାତ ୧୫ଦିନ ପର୍ଯ୍ୟନ୍ତ ମା’ ଶୟନରେ ଯାଆନ୍ତି । ମୂଳାଷ୍ଟମୀ ଦିନ ମା’ଙ୍କ ଠାରେ ସହସ୍ରା କୁମ୍ଭାଭିଶେକ କରାଯାଇ ମା’ଙ୍କ ଶୟନରୁ ଜାଗ୍ରତ କରାଯାଏ । ତେଣୁ ଆଜି ନଦୀ କୂଳରେ ପୂଜାଅର୍ଚ୍ଚନା କରି ଜଳ ଆଣି ଘଟ ସ୍ଥାପନ କରାଯାଇଛି ।  ଘଟ ସ୍ଥାପନ ପରେ ମା' କଟକ ଚଣ୍ଡୀ ସୁନା ବେଶରେ ଦର୍ଶନ ଦେଉଥିବା ବେଳେ ମା' ଗଡ଼ଚଣ୍ଡୀ ଚାନ୍ଦି ବେଶରେ ଦର୍ଶନ ଦେଉଛନ୍ତି। ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କର ମଧ୍ୟ ବେଶ୍ ଭିଡ ଦେଖିବାକୁ ମିଳିଛି । ମନ୍ଦିରରେ ଶରତକାଳୀନ ଷୋଡ଼ଶ ଉପଚାର ପୂଜାର ଏହି ୧୬ଦିନର ପୂଜା ସମୟରେ ମା’ଙ୍କୁ ବିଭିନ୍ନ ମନ୍ତ୍ର, ତନ୍ତ୍ରରେ ଆବାହନ କରାଯାଇଥାଏ । ପ୍ରତ୍ୟେକ ଦିନ ମା’ଙ୍କୁ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ ମଧ୍ୟ କରାଯାଇଥାଏ । ଏହି ବେଶ ଦଶମୀ ପର୍ଯ୍ୟନ୍ତ ଚାଲିବ । ମା’ ବିଜୟା ଦଶମୀ ଦିନ ମହିଷା ମର୍ଦ୍ଦିନୀ ବେଶରେ ଦର୍ଶନ ଦେବେ ।