LIVE TV

୨୦୨୫ ମସିହାରେ ରୂପା ମୂଲ୍ୟରେ ଐତିହାସିକ ବୃଦ୍ଧି, ଯାହା ୨୮୬ ଦିନରେ ଡବଲ ହେଲା ଦର

NEWS7
silver price

ନୂଆଦିଲ୍ଲୀ ୧୪/୧୦: ସୁନା ଓ ରୁପା ଦର ବୃଦ୍ଧିରେ ଲାଗୁନି ବ୍ରେକ୍‌ । ଉଭୟ ଧାତୁ ଦର ଏବେ ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ସ୍ତରରେ ପହଞ୍ଚିଛି । ୧୦ ଗ୍ରାମ ପିଛା ସୁନା ଦର ଲକ୍ଷେ ୨୫ ହଜାର ଟଙ୍କା ଉପରକୁ ଚାଲିଯାଇଥିବାବେଳେ କିଲୋଗ୍ରାମ ପିଛା ରୁପା ଦର ୨ ଲକ୍ଷ ଆଡ଼କୁ ମୁହାଁଇଲାଣି । ଆଜି ଅର୍ଥାତ୍‌ ସୋମବାର ରୁପା ଦରରେ ଦେଖାଦେଇଛି ସର୍ବବୃହତ୍‌ ରେକର୍ଡ । ଦିନକରେ ୭,୦୦୦ ଟଙ୍କା ଉପରକୁ ଉଠିଯାଇଛି ଦର । ଭୁବନେଶ୍ୱରରେ କିଲୋଗ୍ରାମ ପିଛା ରୁପା ଦର ୧.୯୭ ଲକ୍ଷ ଟଙ୍କାରେ ପହଞ୍ଚିଛି ।

ଖୁବ୍‌ଶୀଘ୍ର ଏହା ୨ ଲକ୍ଷ ଟଙ୍କା ପାର୍‌ ହୋଇଯିବ ।  ଅନ୍ୟପକ୍ଷରେ, ଜାତୀୟ ରାଜଧାନୀ ଦିଲ୍ଲୀରେ ରୁପା ଦରରେ ୧୦,୦୦୦ ଟଙ୍କାରୁ  ଅଧିକ ବୃଦ୍ଧି ଘଟିଥିବା ଇଣ୍ଡିଆ ବୁଲିୟନ ଆଣ୍ଡ୍‌  ଜୁଏଲର୍ସ ଆସୋସିଏସନ୍‌ (ଆଇବିଜେଏ)  ରିପୋର୍ଟରୁ ଜଣାପଡ଼ିଛି । ସେହିଭଳି ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍‌ ସୁନା ଦରରେ ଯଥାକ୍ରମେ ୩୨୦ ଏବଂ ୩୦୦ ଟଙ୍କା ବୃଦ୍ଧି  ଘଟିଛି । ଉଭୟର ଦର ଯଥାକ୍ରମେ ୧,୨୫,୪୦୦ ଟଙ୍କା ଏବଂ ୧,୧୪,୯୫୦ ଟଙ୍କା ହୋଇଛି ।

ଦଶହରା, ଧନ୍‌ତେରାସ ଏବଂ ଦିପାବଳି ଭଳି ପର୍ବରେ ସୁନା କିଣା ଆମ ଦେଶରେ ସାଧାରଣ କଥା । ପାର୍ବଣରେ ସୁନା ଏବଂ ରୁପା  ଚାହିଦା ଢେର ମାତ୍ରାରେ ବଢ଼ିଯାଏ, ଯାହାଦ୍ୱାରା  ସମଗ୍ର ଦେଶରେ ଉଭୟ ଧାତୁ ଦର ଉପରମୁହାଁ  ହୋଇଚାଲିଛି । ସୁନା ଏବଂ ରୁପା ଦର ବଢ଼ିବାର ଅନେକ  କାରଣ ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପଙ୍କ ଟାରିଫ୍‌ ନୀତି ବିଶ୍ୱ ବଜାରରେ ସୃଷ୍ଟି  କରିଛି ଅସ୍ଥିରତା । ଏହାର ସିଧାସଳଖ ପ୍ରଭାବ  ଅନୁଭବ ହୋଇଛି ବିଶ୍ୱ ପୁଞ୍ଜି ବଜାର ଉପରେ ।  ପୁଞ୍ଜି ବଜାରର ଅସ୍ଥିରତା ମଧ୍ୟରେ ସୁନାରେ  ନିବେଶକୁ ସୁରକ୍ଷିତ ମଣୁଛନ୍ତି ନିବେଶକ ।

ଏହା ଦରକୁ ତେଜୁଛି । ବାଣିଜ୍ୟ ଯୁଦ୍ଧ ସ୍ଥିତିରେ  ଭୟଭୀତ ନିବେଶକ ସୁନାକୁ ସୁରକ୍ଷିତ ମଣି  ଏଥିରେ ଅଧିକ ନିବେଶ କରୁଛନ୍ତି । ଏହା ଦରକୁ  ବଢ଼ାଉଛି । ସେହିଭଳି ବିଭିନ୍ନ ଦେଶ ବିଶେଷ କରି  ରୁଷ ଏବଂ ଚୀନ୍‌ ଭଳି ରାଷ୍ଟ୍ରଗୁଡ଼ିକର କେନ୍ଦ୍ରୀୟ  ବ୍ୟାଙ୍କ ପ୍ରଚୁର ମାତ୍ରାରେ ସୁନା କିଣୁଛନ୍ତି ।  କୌଣସି ପ୍ରକାର ଆପାତ କାଳ ପାଇଁ ଏମାନେ  ସୁନା କିଣି ନିଜକୁ ପ୍ରସ୍ତୁତ ରଖୁଛନ୍ତି । ଏହାଦ୍ୱାରା  ହଳଦିଆ ଧାତୁର ଚାହିଦା ବୃଦ୍ଧି ପାଇଛି । ଏହା  ମଧ୍ୟ ଦରକୁ ବଢ଼ାଉଛି । ବିଶ୍ୱବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଡଲାର  ଉପରୁ ନିର୍ଭରତା କମ୍‌ କରିବାକୁ ଚାହୁଁଛନ୍ତି ।  

ଏଥିପାଇଁ ସେମାନେ ନିଜ ମୁଦ୍ରା ଭଣ୍ଡାରରେ  ସୁନା ଭାଗ ବଢ଼ାଉଛନ୍ତି । ଚାହିଦା ବୃଦ୍ଧି ସହିତ  ଦର ବଢୁଛି । ସେହିଭଳି ରୁଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ ନ  ହେବା କାରଣରୁ ଦେଖାଦେଇଥିବା ଅସ୍ଥିରତାରୁ  ଲୋକେ ସୁନାରେ ନିବେଶ ବଢ଼ାଉଛନ୍ତି ।  ମୁଦ୍ରାସ୍ଫୀତି ଡର ଏବଂ ଫେଡେରାଲ ରିଜର୍ଭର  କମ୍‌ ସୁଧ ହାର ଯୋଗୁ ସୁନା ଆକର୍ଷକ  ନିବେଶ ମାଧ୍ୟମ ପାଲଟିଛି । ବିଶେଷଜ୍ଞମାନଙ୍କ  ପୂର୍ବାନୁମାନ ଆଗକୁ ମଧ୍ୟ ବୃଦ୍ଧି ଧାରା ଜାରି  ରହିବ ଏବଂ ସୁନା ନୂଆ ରେକର୍ଡ କରିବ ।