ନୂଆଦିଲ୍ଲୀ ୩୦।୦୯: ବର୍ତ୍ତମାନ ସ୍ମାର୍ଟଫୋନ୍ ଯୁଗ । ସମସ୍ତେ ସ୍ମାର୍ଟଫୋନ୍ ମାୟାରେ ବାୟା । ଛୋଟଠାରୁ ବଡ ସମସ୍ତେ ସ୍ମାର୍ଟଫୋନରେ ଅଧିକ ସମୟ ବିତାଉଛନ୍ତି । ଏଥିପାଇଁ ଫୋନକୁ ୧୦୦% ଚାର୍ଜ କରିଥାନ୍ତି । କିନ୍ତୁ ଏହି ଅଭ୍ୟାସ ଅନେକ ସମସ୍ୟା ଆଣିପାରେ । ଏହା ସ୍ମାର୍ଟଫୋନର ବ୍ୟାଟେରୀକୁ ଧିରେ ଧିରେ ନଷ୍ଟ କରିଦେଇଥାଏ। ବ୍ୟାଟେରୀକୁ ଠିକ୍‌ ରଖିବା ପାଇଁ ସ୍ମାର୍ଟଫୋନକୁ ସର୍ବଦା ସଠିକ୍‌ ଚାର୍ଜିଂ ପରିସରରେ ରଖିବା ଗୁରୁତ୍ୱପୂର୍ଣ୍ଣ।

ବ୍ୟାଟେରୀ ସମ୍ପୂର୍ଣ୍ଣ ଚାର୍ଜ ହେବା ପରେ ମଧ୍ୟ ଯେତେବେଳେ ଏହା ଚାର୍ଜିଂରେ ରହିଥାଏ, ସେତେବେଳେ ବ୍ୟାଟେରୀ ଭିତରେ ଗରମ ଏବଂ ଚାପ ସୃଷ୍ଟି କରେ । ଏହି କାରଣରୁ ସମୟ ସହିତ ବ୍ୟାଟେରୀ କ୍ଷମତା ହ୍ରାସ ପାଇଥାଏ । ତେଣୁ ବିଶେଷଜ୍ଞ ଫୋନକୁ ୮୦% ପର୍ଯ୍ୟନ୍ତ ଚାର୍ଜ କରିବାକୁ ପରାମର୍ଶ ଦିଅନ୍ତି।

ବର୍ତ୍ତମାନ Apple ଏବଂ Samsung ଭଳି ପ୍ରମୁଖ କମ୍ପାନୀଗୁଡ଼ିକ ସେମାନଙ୍କର ସ୍ମାର୍ଟଫୋନ୍‌ରେ ଚାର୍ଜିଂ ଲିମିଟ୍ ଫିଚର ଦେବା ଆରମ୍ଭ କରିଛନ୍ତି । ୟୁଜର୍ସ ଚାହିଁଲେ ୮୦% କିମ୍ବା ୯୦% ଚାର୍ଜିଂ ବନ୍ଦ କରିପାରିବେ । ଏହା ଦୀର୍ଘ ସମୟ ପାଇଁ ବ୍ୟାଟେରୀକୁ ଭଲ ରଖିଥାଏ ଏବଂ ବାରମ୍ବାର ବ୍ୟାଟେରୀ ବଦଳାଇବାକୁ ପଡିନଥାଏ ।

ସଠିକ ଚାର୍ଜିଂ ପାଇଁ ଫୋନ୍‌କୁ ରାତିସାରା ଚାର୍ଜିଂରେ ରଖନ୍ତୁନି । ସବୁବେଳେ ଅରିଜିନାଲ୍ ଚାର୍ଜର ବ୍ୟବହାର କରନ୍ତୁ ଏବଂ ଗରମ ସ୍ଥାନରେ ଚାର୍ଜ କରନ୍ତୁନି । ଯଦି ଫୋନ ଚାର୍ଜିଂ ସମୟରେ ଗରମ ଲାଗେ ତେବେ ଏହାକୁ ତୁରନ୍ତ ବାହାର କରିଦିଅନ୍ତୁ ।  ଏହାବ୍ୟତୀତ ଫାଷ୍ଟ ଚାର୍ଜିଂର ବାରମ୍ବାର ବ୍ୟବହାର ବ୍ୟାଟେରୀକୁ ମଧ୍ୟ ପ୍ରଭାବିତ କରେ । ତେଣୁ କେବଳ ଆବଶ୍ୟକ ହେଲେ ଏହାକୁ ବ୍ୟବହାର କରିବା ଉଚିତ୍ ।