ନଭି ମୁମ୍ବାଇ: ଡିଓ୍ଵାଇ ପାଟିଲ ଷ୍ଟାଡିୟମରେ ଚାଲିଛି ମହିଳା ଦିନିକିଆ ବିଶ୍ଵକପର ଟାଇଟଲ୍ ଲଢେଇ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ଵିକେଟ୍ ହରାଇ ୨୯୮ ରନ କରିଛି। ଓପନର ଶେଫାଳି ବର୍ମା  ୮୭ ରନର ଦମଦାର ଇନିଂସ ଖେଳିଛନ୍ତି। ସ୍ମୃତି ମନ୍ଧାନା ୪୫ ରନ କରିଥିବା ବେଳେ ଦୀପ୍ତି ଶର୍ମା ୫୮ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ସାମ୍ନାରେ ରହିଛି ୨୯୯ ରନର ବିଜୟ ଲକ୍ଷ୍ୟ। ଅନ୍ତିମ ଓଭରରେ ଭାରତ ଦ୍ରୁତ ରନ କରିବାରେ ବିଫଳ ହୋଇଥିଲା।  ଯେଉଁ ଦଳ ଫାଇନାଲ୍ ଜିତିବ ସେ ପ୍ରଥମ ଥର ଜିତିବ ବିଶ୍ଵକପ୍ ଟାଇଟଲ୍।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର ସ୍ମୃତି ମନ୍ଧାନା  ଓ ଶେଫାଳି ବର୍ମା ଦମଦାର ଆରମ୍ଭ ଦେଇଥିଲେ। ଉଭୟ ଶତକୀୟ ଭାଗିଦାରୀ କରି ଦଳ ପାଇଁ ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ। ୧୦୪ ରନ ସ୍କୋରରେ ସ୍ମୃତି ମନ୍ଧାନା ଆଉଟ୍ ହୋଇଥିଲେ। ସେ ୫୮ ବଲରୁ ୮ ଚୌକା ସହ ୪୫ ରନ କରିଥିଲେ। ଏହା ପରେ ଶେଫାଳି ଓ ଜେମିମା ରଡ୍ରିଗ୍ସଙ୍କ ମଧ୍ୟରେ ୨ୟ ଓ୍ଵିକେଟ୍ ପାଇଁ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା। ସେମିରେ ବିଫଳ ହୋଇଥିବା ଶେଫାଳି ଫାଇନାଲରେ ୮୭ ରନର ଦମଦାର ଇନିଂସ ଖେଳିଛନ୍ତି। ଏଥିରେ ୭ ଚୌକା ଓ ୨ ଛକା ସାମିଲ୍। ୧୬୬ ରନ ସ୍କୋରରେ ଶେଫାଳି ଆଉଟ୍ ହୋଇଥିଲେ।

ଜେମିମା ୨୪ ରନ କରି ଆଉଟ୍ ହୋଇଥିଲେ। ତେବେ ଭାରତକୁ ବଡ଼ ଝଟକା ଲାଗିଥିଲା ଅଧିନାୟକ ହରମନପ୍ରୀତ କୌର ଆଉଟ୍ ହେବା। ସେ ୨୦ ରନ କରିଥିଲେ ହେଁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଅନ୍ୟପଟେ ଦୀପ୍ତି ଶର୍ମା ଓ ଋଚା ଘୋଷ ଇନିଂସ ସମ୍ଭାଳିଥିଲେ। ଋଚା ଦ୍ରୁତ ବ୍ୟାଟିଂ କରି ୨୪ ବଲରୁ ୩୪ ରନ କରି ଆଉଟ୍ ହୋଇଥିଲେ। ଦୀପ୍ତି ଶର୍ମା ୫୮ ରନର ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଦୀପ୍ତିଙ୍କ ଚଳିତ ବିଶ୍ଵକପରେ ତୃତୀୟ ଅର୍ଦ୍ଧଶତକ। ଭାରତ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୨୯୮ ରନ କରି ପାରିଛି।  ଭାରତ ଶେଷ ୫ ଓଭରରେ ମାତ୍ର ୩୬ ରନ କରି ପାରିଥିଲା