News7 Logo

ଇତିହାସ ରଚିଲା ସଲମାନ-କ୍ୟାଟ୍‌ଙ୍କ ମୁଭି, ମୁକ୍ତିଲାଭର ୧୩ ବର୍ଷ ପରେ ସ୍ପାଇ ମ୍ୟୁଜିୟମ୍‌ରେ ସ୍ଥାନ

NEWS7
ek the tiger

ମୁମ୍ୱାଇ ୦୯/୦୯: ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛି ୨୦୧୨ରେ ମୁକ୍ତିପ୍ରାପ୍ତ ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ ଷ୍ଟାରର୍‌  ଫିଲ୍ମ ‘ଏକ୍‌ ଥା ଟାଇଗର’ । କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ  ଏହି ଫିଲ୍ମ ଥିଏଟରରେ ମୁକ୍ତିଲାଭ କରିବାର ୧୩ ବର୍ଷ ପରେ ଆମେରିକାର ୱାଶିଂଟନ୍‌, ଡିସିରେ ଇଣ୍ଟର୍‌ନ୍ୟାସନାଲ ସ୍ପାଇ ମ୍ୟୁଜିୟମ୍‌ (ଅନ୍ତର୍ଜାତୀୟ ଗୁଇନ୍ଦା ସଂଗ୍ରହାଳୟ)ରେ ସ୍ଥାନୀତ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇଛି ।

ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏହି ଫିଲ୍ମ ଜେମ୍ସ ବଣ୍ଡ୍‌, ମିଶନ୍‌ ଇମ୍ପସିବଲ୍‌  ଓ ମେନ୍‌ ଇନ୍‌ ବ୍ଲାକ୍‌ ଭଳି  ହଲିଊଡ୍‌ ଫିଲ୍ମ ସହିତ  ମ୍ୟୁଜିୟମ୍‌ରେ ସ୍ଥାନ ପାଇଛି ।  ଇଣ୍ଟର୍‌ନ୍ୟାସନାଲ ସ୍ପାଇ ମ୍ୟୁଜିୟମ୍‌ରେ ଏକ ବିଭାଗ ଅଛି, ଯାହା ପ୍ରସିଦ୍ଧ ସ୍ପାଇ  ଫିଲ୍ମ ଓ ସିରିଜ୍‌ ପାଇଁ  ସମର୍ପିତ । ଏଥିରେ ପ୍ରାୟ ୨୫  ଅନ୍ତର୍ଜାତୀୟ ଫିଲ୍ମ ଓ ସିରିଜ୍‌ର  ପୋଷ୍ଟର୍‌ ପ୍ରଦର୍ଶିତ ହୋଇଛି । ତନ୍ମଧ୍ୟରେ ସଦ୍ୟ ସ୍ଥାନ ପାଇଛି ‘ଏକ୍‌ ଥା ଟାଇଗର’ ।

ଏହି ବିଭାଗରେ ପୂର୍ବରୁ କସିନୋ  ରୟେଲ, ମିଶନ୍‌ ଇମ୍ପସିବଲ୍‌, ସ୍ପାଇ ଗେମ୍ସ, ଟିଙ୍କର୍‌ ଟେଲର୍‌  ସୋଲ୍‌ଜର ସ୍ପାଇ, ସେଭେନ୍‌ଟିନ୍‌ ମୋମେଣ୍ଟ୍‌ସ ଅଫ୍‌ ସ୍ପ୍ରିଙ୍ଗ୍‌, ଓଏସ୍‌ଏସ୍‌ ୧୧୭, ଜି ମେନ୍‌, ଦ ଇମିଟେସନ୍‌ ଗେମ୍‌, ମିଷ୍ଟର୍‌  ଆଣ୍ଡ ମିସେସ୍‌ ସ୍ମିଥ୍‌, ବ୍ରିଜ୍‌ ଅଫ୍‌ ସ୍ପାଇସ୍‌, ହୋମ୍‌ଲାଣ୍ଡ୍‌,  ଆଲିଆସ୍‌, ଫୌଦା, ଦ ପ୍ରିଜନର୍‌, ଗେଟ୍‌ ସ୍ମାର୍ଟ, ମେନ୍‌  ଇନ୍‌ ବ୍ଲାକ୍‌, ଦ ସିଜ୍‌, ଟର୍ନ: ୱାଶିଂଟନ୍ସ ସ୍ପାଇସ୍‌,  ଦ ମ୍ୟାନ୍‌ ଫ୍ରମ୍‌ ୟୁ.ଏନ୍‌.ସି.ଏଲ୍‌.ଇ. ଭଳି  ଫିଲ୍ମ ସ୍ଥାନ ପାଇଛନ୍ତି ।

ଏହି ସମ୍ମାନ ବିଷୟରେ  ‘ଏକ୍‌ ଥା ଟାଇଗର’ ନିର୍ଦ୍ଦେଶକ କବୀର  ଖାନ୍‌ କହିଛନ୍ତି, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଏହି ପୋଷ୍ଟର୍‌  ବିଭାଗରେ ସଲମାନ ଓ  କ୍ୟାଟ୍ରିନାଙ୍କ ମୁହଁ ଦେଖି  ଖୁବ୍‌ ଆନନ୍ଦିତ ଅନୁଭବ  କରୁଛି । ସେ ଆହୁରି  କହିଛନ୍ତି, ଫିଲ୍ମକୁ  ପ୍ରଶଂସା କରି  ଲୋକେ ଏବେ ବି  ଅସଂଖ୍ୟ ମେସେଜ୍‌  କରୁଛନ୍ତି ।