ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆରେ ଶସ୍ତାରେ ଆଉଟ୍ ହୋଇଥିବା ରୋହିତ ଶର୍ମା ଦ୍ୱିତୀୟ ଦିନିକିଆରେ ଅର୍ଦ୍ଧଶତକ ମାରିଛନ୍ତି । ରୋହିତ ଆଜିର ମ୍ୟାଚରେ ସ୍ଥିତି ଓ ଆବଶ୍ୟକତା ଅନୁଯାୟୀ ଧିମା ବ୍ୟାଟିଂ କରିଥିଲେ । ତାଙ୍କର ଇନିଂସରେ ଅନେକ ସୁନ୍ଦର ସଟ୍ ମଧ୍ୟ ଦେଖିବାକୁ ମିଳିଥିଲା । ରୋହିତ ୯୭ ବଲରେ ୭୩ ରନ୍ କରି ଆଉଟ୍ ହୋଇଥିଲେ । ଆଜିର ଏହି ଇନିଂସ ବଳରେ ରୋହିତ୍ ଅନେକ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି । ବିରାଟ କୋହଲି ଓ ସୌରଭ ଗାଙ୍ଗୁଲିଙ୍କୁ ସେ ପଛରେ ପକାଇଛନ୍ତି ।

ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ରନ୍ କରିଥିବା ବ୍ୟାଟଙ୍କ ତାଲିକାରେ ଏବେ ଦ୍ୱିତୀୟ ନମ୍ୱରରେ ପହଞ୍ଚିଛନ୍ତି । ବିରାଟ କୋହଲିଙ୍କୁ ପଛରେ ପକାଇ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ଏହି ମାମଲାରେ ରୋହିତ ଏବେ କେବଳ ସଚିନ ତେନ୍ଦୁଲକରଙ୍କ ପଛରେ ଅଛନ୍ତି । ଏହିପରି ତାଲିକାର ଶୀର୍ଷ ୩ରେ ଭାରତୀୟ ବ୍ୟାଟର ଅଛନ୍ତି ।

ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ଅଷ୍ଟ୍ରେଲିଆରେ ୧୦୦୦ ଦିନିକିଆ ରନ୍ ପୂରଣ କରିଛନ୍ତି । ଏପରି କରିବାରେ ସେ ଭାରତର ପ୍ରଥମ ବ୍ୟାଟର ହୋଇଛନ୍ତି । ସେ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଏବେ ସୁଦ୍ଧା ୨୧ ଦିନିକିଆ ମ୍ୟାଚରେ ୧୦୭୧ ରନ୍ କରିଛନ୍ତି । ଅଷ୍ଟ୍ରେଲିଆର ତାଙ୍କର ବେଷ୍ଟ ସ୍କୋର ୧୭୧ ରନ୍ । ଅଷ୍ଟ୍ରେଲିଆରେ ଦିନିକିଆରେ ସର୍ବାଧିକ ରନ୍ କରିଥିବା ଭାରତୀୟଙ୍କ ଲିଷ୍ଟରେ କୋହଲି ଦ୍ୱିତୀୟରେ ଓ ସଚିନ ତୃତୀୟ ସ୍ଥାନରେ ଅଛନ୍ତି ।

ରୋହିତ ଶର୍ମା ଏବେ ଦିନିକିଆରେ ଭାରତ ପାଇଁ ସର୍ବାଧିକ ରନ୍ କରିଥିବା ବ୍ୟାଟର ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ସେ ସୌରଭ ଗାଙ୍ଗୁଲିଙ୍କୁ ତୃତୀୟରୁ ଚତୁର୍ଥ ସ୍ଥାନକୁ ଖସାଇଛନ୍ତି । ରୋହିତ ଶର୍ମା ୨୬୭ ମ୍ୟାଚରେ ୧୧୨୪୯ ରନ୍ କରି ତୃତୀୟ ସ୍ଥାନରେ ଅଛନ୍ତି । ୧୮୪୨୬ ରନ୍ ସହ ସଚିନ ପ୍ରଥମ ଓ ୧୪୧୮୧ ରନ୍ ସହ ବିରାଟ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ​​​​​​​