ନୂଆଦିଲ୍ଲୀ ୦୨।୧୦: ୩ ଦିନ ହେଲା ପିଓକେରେ ଚାଲିଥିବା ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି । ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ବାହାନରେ ନିରୀହ ଲୋକଙ୍କ ଉପରେ ଗୁଳିମାଡ଼ କରିଛି ପାକ୍ ସେନା । ଏଥିରେ ୧୨ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି । ସେହିପରି ୨ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁଯାୟୀ, ସୁରକ୍ଷା ବାହିନୀ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ବାହନାରେ ଗୁଳି ଚଳାଇଥିଲା। ପ୍ରାଣ ହରାଇଥିବା ମୃତକ ମଧ୍ୟରେ ୫ଜଣ ମୁଜଫରାବାଦର, ୫ଜଣ ଧିରକୋଟର ଏବଂ ଆଉ ୨ଜଣ ଡାଡିୟାଲ ଅଞ୍ଚଳର ବୋଲି ଜଣାପଡ଼ିଛି । ଭିଡ଼ ଆନ୍ଦୋଳରେ ଲୋକଙ୍କ ଆକ୍ରୋଶର ଶିକାର ହୋଇ ପୋଲିସଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । 

ଶେହବାଜ ସରକାର ପିଓକେ ବାସୀଙ୍କ ଦାବି ପୂରଣ ନକରିବାରୁ ଏ ଆନ୍ଦୋଳନ ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ପାକିସ୍ତାନୀ ସେନାଙ୍କ ଦୌରାତ୍ମ୍ୟ ବିରୁଦ୍ଧରେ ଏକ ବ୍ୟାପକ ପ୍ରତିବାଦରେ ପରିଣତ ହୋଇଛି । ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି, ପିଓକେ ଲୋକେ ବାରମ୍ବାର ଶୋଷଣ ସହ ଲୁଟ୍ ଶିକାର ହେଉଛନ୍ତି । ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଏହି କାରଣରୁ ଆନ୍ଦୋଳନ ଆରମ୍ଭ ହୋଇଛି । ଏପଟେ ହିଂସାରେ ଆହତ ହୋଇଥିବା ଅଧିକାଂଶ ଲୋକଙ୍କ ଶରୀରରେ ଗୁଳି ବାଜିଛି । ଅଧିକାଂଶ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ସ୍ୱାସ୍ଥ୍ୟସେବା ଅଭାବ ପରିସ୍ଥିତି ସୃଷ୍ଟି ହୋଇଛି।

ଜମ୍ମୁ କାଶ୍ମୀର ୟୁନାଇଟେଡ୍ ଅବାମୀ ଆକ୍ସନ୍ କମିଟି (AAC) ନେତୃତ୍ୱରେ ଚାଲିଥିବା ପ୍ରତିବାଦ, ଜୀବନ ଯାତ୍ରାକୁ ଅଚଳ କରିଦେଇଛି । ପାକିସ୍ତାନରେ ରହୁଥିବା କାଶ୍ମୀର ଶରଣାର୍ଥୀଙ୍କ ପାଇଁ ସୁରକ୍ଷିତ ପିଓକେରେ ଥିବା ୧୨ ବିଧାନସଭା ଆସନକୁ ଉଚ୍ଛେଦ କରିବା ଦାବି ଉପରେ ଏହି ଆନ୍ଦୋଳନ କେନ୍ଦ୍ରିତ। ସେପ୍ଟେମ୍ୱର ୨୯ରେ ପ୍ରତିବାଦ ଆରମ୍ଭ ହେବା ପରଠାରୁ ଦୋକାନ ବଜାର ଏବଂ ସ୍ଥାନୀୟ ବ୍ୟବସାୟ ବନ୍ଦ ରହିଛି । ମୋବାଇଲ, ଇଣ୍ଟରନେଟ୍ ଏବଂ ଲ୍ୟାଣ୍ଡ ଲାଇନ ସେବା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି ।