ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର (ଅକ୍ଟୋବର ୨୯) ହରିୟାଣାର ଅମ୍ୱାଲା ସ୍ଥିତ ବାୟୁସେନା ଷ୍ଟେସନରୁ ରାଫେଲ୍ ବିମାନରେ ଉଡାଣ ଭରିଛନ୍ତି । ଏହାକୁ ସେ ଅବିସ୍ମରଣୀୟ ଅନୁଭବ ବୋଲି କହିଛନ୍ତି । ଏହି ସମୟରେ ହାତରେ ହେଲମେଟ୍ ଧରି ଓ କଳା ଚଷମା ପିନ୍ଧି ରାଷ୍ଟ୍ରପିତ ମୁର୍ମୁ ଭାରତୀୟ ବାୟୁସେନାର ପାଇଲଟ୍ ଶିଭାଙ୍ଗୀ ସିଂହଙ୍କ ସହ ଫଟୋ ଉଠାଇଛନ୍ତି । ଏହି ଫଟୋ ପାକିସ୍ତାନର ମିଛ ପ୍ରଚାରର ପୋଲ୍ ଖୋଲି ଦେଇଛି । ଅପରେସନ ସିନ୍ଦୂର ସମୟରେ ଶିଭାଙ୍ଗୀ ସିଂହଙ୍କୁ ବନ୍ଦୀ କରିଥିବା ନେଇ ପାକିସ୍ତାନ ଦାବି କରିଥିଲା ।

ପାକିସ୍ତାନ ଦାବି କରିଥିଲା ଯେ ଅପରେସନ୍ ସିନ୍ଦୂର ସମୟରେ ସେ ଭାରତର ଯୁଦ୍ଧ ବିମାନକୁ ଖସାଇ ଦେଇଛି ଓ ଆଇଏଏଫ୍ ଶିଭାଙ୍ଗୀ ସିଂହଙ୍କୁ ବନ୍ଦୀ କରିଛି । ଭାରତର ପ୍ରଥମ ଓ ଏକମାତ୍ର ମହିଳା ରାଫେଲ୍ ପାଇଲଟ୍ ଶିଭାଙ୍ଗୀ ସିଂହଙ୍କ ଉତ୍ତର ପ୍ରଦେଶ ବାରାଣସୀର ବାସିନ୍ଦା । ସେ ୨୦୧୭ରେ ଭାରତୀୟ ବାୟୁସେନାରେ ମହିଳା ଲଢୁଆ ପାଇଲଟ୍‌ଙ୍କ ଦ୍ୱିତୀୟ ବ୍ୟାଚ୍‌ର ସଦସ୍ୟ ଭାବେ ସାମିଲ ହୋଇଥିଲେ । ଏହାପରେ ତାଙ୍କୁ ୨୦୨୦ରେ ରାଫେଲ୍ ପାଇଲଟ୍ ରୂପେ ସର୍ଟଲିଷ୍ଟ କରାଯାଇଥିଲା ।

ବୁଧବାର ପାକିସ୍ତାନର ମିଛ ଦାବିର ପୋଲ ଖୋଳିଛି । ସରକାର ଅପରେସନ ସିନ୍ଦୂର ଉପରେ ମିଡିଆ ବ୍ରିଫିଂ ସମୟରେ ମଧ୍ୟରେ ପାକିସ୍ତାନର ମିଛ ଦାବିକୁ ଖଣ୍ଡନ କରିଥିଲେ । ଭାରତୀୟ ବାୟୁସେନା କହିଥିଲା ଯେ ସେନାର ନିଜ ଉଦ୍ଦେଶ୍ୟ ହାସଲ କରିସାରିଛି ଓ ସମସ୍ତ ପାଇଲଟ୍ ସୁରକ୍ଷିତ ଘରକୁ ଫେରିଆସିଛନ୍ତି । ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ପିଓକରେ ଥିବା ଆତଙ୍କବାଦୀ ଠିକଣାକୁ ନଷ୍ଟ କରିବା ପାଇଁ ଭାରତ ମେ ୭ରେ ଅପରେସନ ସିନ୍ଦୂର କରିଥିଲା । ଏଥିରେ ରାଫେଲ୍ ବିମାନ ବ୍ୟବହାର କରାଯାଇଥିଲା ।

ରାଷ୍ଟ୍ରପତି ମୁର୍ମୁ ଦୁଇଟି ଯୁଦ୍ଧ ବିମାନ ଉଡ଼ାଣ ଭରିବାରେ ପ୍ରଥମ ଭାରତୀୟ ରାଷ୍ଟ୍ରପତି ହୋଇଛନ୍ତି । ଏପ୍ରିଲ୍ ୨୦୨୩ରେ, ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ମୁର୍ମୁ ଆସାମର ତେଜପୁର ବାୟୁସେନା ଷ୍ଟେସନରେ ସୁଖୋଇ-୩୦ MKI ଯୁଦ୍ଧ ବିମାନରେ ଉଡାଣ ଭରିଥିଲେ । ଆଜି ରାଫେଲ ବିମାନରେ ଚଢ଼ିବା ପୂର୍ବରୁ ରାଷ୍ଟ୍ରପତି ଏକ G- ସୁଟ୍ ପିନ୍ଧିଥିଲେ । ହେଲମେଟ୍ ଧରି ଏବଂ ସନଗ୍ଲାସ୍ ପିନ୍ଧି ମୁର୍ମୁ ପାଇଲଟ୍‌ଙ୍କ ସହ ଫଟୋ ଉଠାଇଥିଲେ । ସକାଳ ୧୧ଟା ୨୭ ମିନିଟରେ ବିମାନ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ, ରାଷ୍ଟ୍ରପତି ବିମାନ ଭିତରୁ ହାତ ହଲାଇଥିଲେ । ବିମାନଟି ପ୍ରାୟ ୩୦ ମିନିଟ୍ ଉଡ଼ିଥିଲା ଏବଂ ପ୍ରାୟ ୨୦୦ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ବାୟୁସେନା ଷ୍ଟେସନ୍‌କୁ ଫେରି ଆସିଥିଲା ।

୧୭ତମ ସ୍କ୍ୱାର୍ଡନର କମାଣ୍ଡିଂ ଅଫିସର ଗ୍ରୁପ୍ କ୍ୟାପ୍ଟେନ୍ ଅମିତ୍ ଗେହାନି ଏହି ବିମାନକୁ ଉଡ଼ାଇଥିଲେ । ରାଫେଲ୍ ବିମାନଟି ସମୁଦ୍ର ପତ୍ତନରୁ ପ୍ରାୟ ୧୫,୦୦୦ ଫୁଟ ଉଚ୍ଚତାରେ ଏବଂ ଘଣ୍ଟା ପ୍ରତି ପ୍ରାୟ ୭୦୦ କିଲୋମିଟର ବେଗରେ ଉଡ଼ିଥିଲା । ବୁଧବାର ସକାଳେ ବାୟୁସେନା ଷ୍ଟେସନରେ ପହଞ୍ଚିବା ପରେ, ରାଷ୍ଟ୍ରପତିଙ୍କୁ ଏକ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ।