News7 Logo

ପ୍ରଜ୍ୱଳ ରେଭନ୍ନା ଜେଲରେ ହେଲେ ଲାଇବ୍ରେରୀ କ୍ଲର୍କ, ଦିନକୁ ମିଳିବ ୫୨୨ ଟଙ୍କା ମଜୁରୀ

NEWS7
Prajawal Revenna

ବେଙ୍ଗାଲୁରୁ ୭।୯: ଦୁଷ୍କର୍ମ ମାମଲାରେ ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ହାସନର ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭନ୍ନାଙ୍କୁ ବେଙ୍ଗାଲୁରୁର ପରପ୍ପନା ଅଗ୍ରହାରା ଜେଲରେ ଏକ ବଡ଼ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ଜେଲ ଲାଇବ୍ରେରୀରେ କ୍ଲର୍କ ନିଯୁକ୍ତ କରାଯାଇଛି।ଜେଲ ଅଧିକାରୀଙ୍କ ଅନୁସାରେ ସେ ଜେଲର କୈଦୀମାନଙ୍କୁ ପୁସ୍ତକ ଜାରି କରିବେ ଓ ନିଆଯାଇଥିବା ପୁସ୍ତକର ରେକର୍ଡ ରଖିବେ। ଏଥି ପାଇଁ ତାଙ୍କୁ ଦୈନିକ ପାରିଶ୍ରମିକ ମଧ୍ୟ ମିଳିବ।

ଜେଲ ନିୟମ ଅନୁସାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା କୈଦୀଙ୍କୁ କିଛି ନା କିଛି କାମ କରିବାକୁ ପଡିଥାଏ। ଏହି କାମ ସେମାନଙ୍କ ଋଚି ଓ କ୍ଷମତା ଅନୁସାରେ ଦିଆଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ ଏହି କାମ ପାଇଁ ପ୍ରତି ଦିନ ୫୨୨ ଟଙ୍କା ମଜୁରୀ ମିଳିବ। ତେବେ ଏଥି ପାଇଁ ତାଙ୍କ ଉପରେ ନ୍ୟସ୍ତ ଦାୟିତ୍ୱକୁ ସେ ବିଶ୍ୱସ୍ଥତାର ସହ ପୁରା କରିବେ। ଅଧିକାରୀମାନେ କହିଛନ୍ତି ଯେ ସେ ପ୍ରଥମେ ପ୍ରଶାସନିକ କାର୍ଯ୍ୟ ପାଇଁ ତାଙ୍କର ଋଚି ଦେଖାଇଥିଲେ। ତେବେ ଜେଲ ପ୍ରଶାସନ ତାଙ୍କୁ ଲାଇବ୍ରେରୀରେ ନିଯୁକ୍ତ କରିଛନ୍ତି।

ପ୍ରଜ୍ୱଳ ତାଙ୍କ ନୂଆ ନିଯୁକ୍ତିକୁ ସ୍ୱୀକାର କରିବା ସହିତ ଡ୍ୟୁଟି ମଧ୍ୟ ଆରମ୍ଭ କରିଦେଇଛନ୍ତି। ସାଧାରଣତଃ ବନ୍ଦୀମାନଙ୍କୁ ମାସକରେ ୧୨ ଦିନ ଅର୍ଥାତ ସପ୍ତାହକୁ ୩ ଦିନ କାମ କରିବାକୁ ପଡିଥାଏ। ତେବେ ପ୍ରଜ୍ୱଳ ରେଭନ୍ନାଙ୍କୁ କୋର୍ଟରେ ହାଜିର ହେବା ଏବଂ ଓକିଲଙ୍କୁ ଭେଟିବାକୁ ପଡୁଥିବାରୁ ଏବେ ତାଙ୍କର କାମ ସିଡ୍ୟୁଲ ସୀମିତ ରହିଛି। ଉଲ୍ଲେଖଯୋଗ୍ୟ ଯେ ପ୍ରଜ୍ୱଲ ରେଭନ୍ନା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେ ଗୋଡାଙ୍କ ନାତୀ ଓ ଜେଡିଏସ୍ ନେତା ତଥା ହେଲେ ନରସିପୁରା ବିଧାୟକ ଏଚ.ଡି. ରେଭନ୍ନାଙ୍କ ପୁଅ। ନିକଟରେ ଏକ ଦୁଷ୍କର୍ମ ମାମଲାରେ ଟ୍ରାୟଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ କରିଛନ୍ତି।    ​​​​​​​