ନୂଆଦିଲ୍ଲୀ ୩।୧୧: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)କୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଏବେ ଏହି ଯୋଜନାରେ ଦେଶର ପାଖାପାଖି ୮୧.୩୫ କୋଟି ହିତାଧିକାରୀଙ୍କୁ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ ମିଳିବା ଜାରି ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହାର ଉଦେଶ୍ୟ ହେଉଛି ଦେଶର ଗରିବ ଲୋକେ ଯେପରି ଅବହେଳିତ ନ ହୁଅନ୍ତି।

ପିଏମଜିକେୱାଇ ଭାରତ ସରକାରଙ୍କ ଏକ ବଡ଼ ଖାଦ୍ୟ ସୁରକ୍ଷା ଯୋଜନା ଅଟେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୦୨୦ କରୋନାକାଳରେ ଯୋଜନାକୁ ଦେଶରେ ଆରମ୍ଭ କରିଥିଲେ, ଯେପରି ମହାମାରୀ କାଳରେ ଲକଡାଉନ ଓ ଆର୍ଥିକ ସଂକଟ ଯୋଗୁ କେହି ଖାଦ୍ୟ ସଂକଟରେ ନ ପଡନ୍ତି। ହେଲେ ପରବର୍ତ୍ତି ସମୟରେ ଏହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଯୋଜନାକୁ ଲଗାତାର ଆଗକୁ ବଢାଉଛନ୍ତି।

ଏହି ଯୋଜନାରେ ହିତାଧିକାରୀଙ୍କୁ ନା କେବଳ ଖାଦ୍ୟ ଶସ୍ୟ ବରଂ ଅନ୍ୟ ଲାଭ ମଧ୍ୟ ଦିଆଯାଉଛି। ମାଗଣା ଖାଦ୍ୟ ଶସ୍ୟ ଏହି ଯୋଜନାର ସବୁଠୁ ବଡ଼ ଲାଭ। ପ୍ରାୟୋରିଟି ହାଉସ ହୋଲ୍ଡ (ପିଏଚଏଚ)ରେ ରାସନ କାର୍ଡଧାରୀଙ୍କୁ ପ୍ରତି ମାସରେ ବ୍ୟକ୍ତି ପିଛା ୫ କେଜି ଖାଦ୍ୟ ଶସ୍ୟ (ଗହମ ଅଥବା ଚାଉଳ) ସମ୍ପୂର୍ଣ୍ଣ ମାଗଣାରେ ମିଳିଥାଏ। ଏହା ଛଡା ଯୋଜନା ଅନ୍ତର୍ଗତ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ପ୍ରତି ପରିବାରକୁ ମାସିକ ୩୫ କେଜି ଖାଦ୍ୟ ଶସ୍ୟ ମାଗଣା ଯୋଗାଇ ଦିଆଯାଏ। ଏହି ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନଏଫଏସଏ)ରେ ଦିଆଯାଉଥିବା ସବସିଡି ରାସନ ଅତିରିକ୍ତ ନୁହେଁ ବରଂ ଏନଏଫଏସଏ ରେ ମିଳୁଥିବା ଖାଦ୍ୟ ଶସ୍ୟକୁ ପିଏମଜିକେଏୱାଇ ରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା କରିଦିଆଯାଇଛି।

୨୦୨୦ ମସିହାରେ ଯେତେବେଳେ ଏହି ଯୋଜନା ଦେଶରେ ଆରମ୍ଭ ହୋଇଥିଲା ସେତେବେଳେ ଏଥିରେ ଡାଇରେକ୍ଟ କ୍ୟାସ ଟ୍ରାନ୍ସଫର ଭଳି ଲାଭ ମଧ୍ୟ ସାମିଲ ଥିଲା। ଯୋଜନାରେ ଗରିବ ମହିଳାମାନଙ୍କୁ ଜନଧନ ଯୋଜନା ଖାତାରେ ସିଧା କ୍ୟାସ୍ ଟ୍ରାନ୍ସଫର କରାଯାଇଥିଲା। ବୟଷ୍କ, ବିଧବା ଓ ଦିବ୍ୟାଙ୍ଗଙ୍କୁ ମଧ୍ୟ ଅତିରିକ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଏହା ଛଡା ଚାଷୀମାନଙ୍କୁ ପିଏମ କିସାନ ଯୋଜନାରେ ଅଗ୍ରୀମ କିସ୍ତି ଦିଆଯାଇଥିଲା ଏବଂ ମନରେଗା ଶ୍ରମିକଙ୍କ ପାରିଶ୍ରମିକ ବଢା ଯାଇଥିଲା।