ପାଟନା ୦୧/୧୧ : ଆସନ୍ତା ୬ରେ ବିହାରରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ୍‌ । ତା ପୂର୍ବରୁ ଆକ୍ଷେପ ପ୍ରତିଆକ୍ଷେପ ରାଜନୀତି ଜୋର ଧରିଛି ।  ଏହି ସମୟରେ ସାମ୍ନାକୁ ଆସିଛି ଏକ ବଡ ଖବର । ଭୋଟ୍‌ ମଇଦାନରେ ବାହୁବଳୀ ନେତାଙ୍କୁ ନେଇ ଚର୍ଚ୍ଚା ହେଉଛି । ଏହି ନେତାମାନେ କେବଳ କୋଟି କୋଟି ଟଙ୍କାର ମାଲିକ ନୁହଁନ୍ତି ବରଂ ତାଙ୍କ ନାଁରେ ଅନେକ ଅପରାଧିକ ମାମଲାରେ ଅଛି ହତ୍ୟା ଅଭିଯୋଗ ।  ଅତୀତର ନିର୍ବାଚନ ଉପରେ ନଜର ପକାଇଲେ ବିହାରରେ ସବୁ ଦଳରେ ବାହୁବଳୀ ନେତାଙ୍କ ଦବ୍‌ଦବା ରହି ଆସିଛି । ଅନେକ  ହେଭିୱେଟଙ୍କ ବିରୋଧରେ ହତ୍ୟା, ଅପହରଣ ଭଳି ଅପରାଧିକ ମାମଲା ରହିଛି । ଏହି ତାଲିକାରେ ସବୁଠୁ ଆଗରେ ଅଛନ୍ତି ମୋକାମା ନିର୍ବାଚନମଣ୍ଡଳୀର ଜେଡିୟୁ ପାର୍ଥୀ ହୋଇଥିବା ଆନନ୍ଦ ସିଂ । ସେ ପୂର୍ବରୁ ଗ୍ୟାଙ୍ଗଷ୍ଟର ଭାବେ କୁଖ୍ୟାତି ଅର୍ଜନ କରିଥିଲେ । ପରେ ରାଜନୀତିରେ ଏଣ୍ଟ୍ରି କରିଥିଲେ ।  ଜେଡିୟୁ ପ୍ରାର୍ଥୀ ଆନନ୍ଦଙ୍କର  ମୋଟ୍ ସଂପତ୍ତି ପରିମାଣ ପ୍ରାୟ ୩୯ କୋଟି ଟଙ୍କା  । ତାଙ୍କ ନାଁରେ ଅନେକ ବିଳାସପୂର୍ଣ୍ଣ ଗାଡି ସହ ପ୍ଲଟ ମଧ୍ୟ ରହିଛି । କେବଳ ଏତିକି ନୁହେଁ, ତାଙ୍କ ନାଁରେ ୨୮ଟି ସଙ୍ଗୀନ ମାମଲା ରହିଛି । ହତ୍ୟାରୁ ଆରମ୍ଭ କରି ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ କରିବା ଭଳି ସଂଗୀନ ଅଭିଯୋଗ ରହିଛି ।  ତାଙ୍କ ପତ୍ନୀ ନୀଲମ ଦେବୀଙ୍କ  ସଂପତ୍ତିର ପରିମାଣ ୬୩ କୋଟି । ପ୍ରାୟ କୋଟିଏ ଟଙ୍କାର ସୁନା ଅଳଙ୍କାର ଓ ଅନେକ କମ୍ପାନୀରେ ସେୟାର ରହିଛି । ଏହା ବାଦ୍ ସେ ବ୍ୟାଙ୍କରୁ ୫୦ କୋଟିର ଋଣ ନେଇଛନ୍ତି ।

ଆଉ ଜଣେ ବାହୁବଳୀ ପ୍ରାର୍ଥୀ ହେଉଛନ୍ତି ସୁରଜ ଭାନ ସିଂ । ତାଙ୍କୁ ଅନନ୍ତଙ୍କ ବିରୋଧରେ ପ୍ରାର୍ଥୀ କରିଛି ଆରଜେଡି ।ତାଙ୍କ ମୋଟ୍ ସମ୍ପତ୍ତିର ପରିମାଣ ୮ କୋଟି ୬୭ ଲକ୍ଷ ଟଙ୍କା ।  ୭ କୋଟି ଟଙ୍କାର ପ୍ଲଟ୍ର ମାଲିକ ସେ । ପାଖରେ ରଖିଛନ୍ତି ପ୍ରାୟ ୧ କେଜିର ସୁନା ଅଳଙ୍କର । ଅନ୍ୟ ନିର୍ବାଚନମଣ୍ଡଳୀ ଉପରେ ନଜର ପକାଇଲେ  ବର୍ ରୁ ଆରଜେଡି କରନବୀର ସିଂଙ୍କୁ ଟିକେଟ୍ ପ୍ରଦାନ କରିଛି । ସେ ସାଧାରଣରେ ଲାଲୁ ମୁଖିଆ ଭାବେ ଜଣାଶୁଣା । ତାଙ୍କର ମୋଟ୍ ସମ୍ପତ୍ତିର ଦାମ୍ ୧୭ କୋଟି ଟଙ୍କା ହୋଇଥିବା ବେଳେ ୧୫ଟି ଅପରାଧିକ ମାମଲା ରହିଛି । ସେ ଅନେକ ହତ୍ୟାକାଣ୍ଡ ଏବଂ ଅପହରଣ ମାମଲା ଥିବା ନେଇ ସତ୍ୟପାଠରେ ପ୍ରକାଶ କରିଛନ୍ତି । ଏହା ଛଡା ବ୍ରହ୍ମପୁରରୁ ଲୋକ ଜନଶକ୍ତି ପାର୍ଟି ଟିକେଟରେ ଲଢୁଥିବା ହୁଲାସ ପାଣ୍ଡେଙ୍କ ବିରୋଧରେ ଦୁଇଟି ମାମଲା ଥିବା ବେଳେ ତାଙ୍କ ସମ୍ପତ୍ତିର ପରିମାଣ ୧୨ କୋଟି ୧୯ ଲକ୍ଷ ଟଙ୍କା ।

କେବଳ ଏତିକି ନୁହେଁ, ବିହାରରେ ଆହୁରି ଅନେକ ବାହୁବଳୀ ପ୍ରାର୍ଥୀ ରହିଛନ୍ତି । ଯେଉଁମାନେ କି କୋଟି କୋଟି ଟଙ୍କା ସଂପତ୍ତିର ମାଲିକ । ଲିଷ୍ଟରେ ଅଛନ୍ତି ଦାନପୁର ଆରଜେଡି ପ୍ରାର୍ଥୀ ରିତାଲ ରାଏ । ତାଙ୍କ ସମ୍ପତ୍ତିର ପରିମାଣ ୭ କୋଟି ୭୧ ଲକ୍ଷ ଟଙ୍କା । ତାଙ୍କ ବିରୋଧରେ ୩୦ଟି ଅପରାଧିକ ମାମଲା ରହିଛି । କୁଚାୟକୋଟର ଜେଡିୟୁ ପ୍ରାର୍ଥୀ  ଅମରେନ୍ଦ୍ର କୁମାର ପାଣ୍ଡେଙ୍କ ବିରୋଧରେ ୧୪ଟି ମାମଲା ଥିବା ବେଳେ ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୫ କୋଟି ୬୯ ଲକ୍ଷ ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଯାଇଛି । ଏକମାର ଜେଡିୟୁ ପ୍ରାର୍ଥୀ ମନୋରଂଜନ ସିଂଙ୍କ ସମ୍ପତ୍ତିର ପରିମାଣ ୩ କୋଟି ୨୭ ଲକ୍ଷ ଟଙ୍କା ହୋଇଥିବା ବେଳେ  କୌଣସି ଅପରାଧିକ ମାମଲା ନାହିଁ । ତେବେ ସିଓ୍ନାନର ଆରଜେଡି ପ୍ରାର୍ଥୀ ଓସାମା ସାହେବଙ୍କ ନାଁରେ ୫ଟି ଅପରାଧିକ ମାମଲା ରହିଛି । ସେ ଜଣେ ପୂର୍ବତନ ଗ୍ୟାଙ୍ଗଷ୍ଟରଙ୍କ ପୁଅ । ତାଙ୍କର ମୋଟ୍ ସମ୍ପତ୍ତିର ପରିମାଣ ୨ କୋଟି ୩ ଲକ୍ଷ ଟଙ୍କା ନେଇ ଉଲ୍ଲେଖ ରହିଛି ।

ନୱାଡା ଜିଲ୍ଲାର ୱାସିରଗଂଜରୁ ଆରଜେଡି ପ୍ରାର୍ଥୀ ହୋଇଥିବା ଅନିତା ଦେବୀଙ୍କ ସ୍ବାମୀ ହେଲେ ଅଶୋକ ମହତୋ । ସେ ମଧ୍ୟ ଜଣେ ଗ୍ୟାଙ୍ଗଷ୍ଟର୍ ଅଟନ୍ତି । ତାଙ୍କ ନାଁରେ ୧ କୋଟି ୩୧ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ବେଳେ ଅନେକ ରାଜ୍ୟରେ ଅପରାଧିକ ମାମଲା ରହିଛି । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ବିଜେପି ନେତ୍ରୀ ଅରୁଣା ଦେବୀଙ୍କ ସ୍ବାମୀ  ଅଖିଳେଶ ସିଂ ସ୍ଥାନୀୟ ଅଂଚଳର ଜଣେ ଚର୍ଚ୍ଚିତ ବ୍ୟକ୍ତି । ଯାହାଙ୍କ ନାଁରେ ୯୨ ଲକ୍ଷ ୫୭ ହଜାର ଟଙ୍କାର ସମ୍ପତ୍ତି ରହିଛି ।