LIVE TV

ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ଜୋର୍, କଂଗ୍ରେସ-ବିଜେପି-ବିଜେଡିର ପ୍ରଚାର ଆରମ୍ଭ

NEWS7
Nuapada By election

ନୂଆପଡ଼ା/ଭୁବନେଶ୍ଵର:  ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜୋର୍ ଧରିଛି ନୂଆପଡ଼ା ରାଜନୀତି। କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରି ପ୍ରଚାର ଆରମ୍ଭ କରିବା ସହ କଂଗ୍ରେସ ଛାଡିଥିବା ନେତାଙ୍କ ସହ ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳଙ୍କୁ  ମିଶାଇ ବଳ ବଢ଼ାଇବାରେ ଲାଗିଛି । ବିଜେଡି ତାର ପ୍ରାର୍ଥୀ ଘୋଷଣା କରିନଥିଲେ ବି ନୂଆପଡ଼ାରେ  ପଦଯାତ୍ରା କରି ଲୋକଙ୍କୁ ଯୋଡିବାରେ ଆରମ୍ଭ କରିଛି ।  ସେପଟେ ନୂଆପଡ଼ା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛି ବିଜେପି ।  ଏସବୁ ଭିତରେ  ଆଜି ନୂଆପଡ଼ା ଉପ ନିର୍ବାଚନ ପାଇଁ  ଭୋଟର ତାଲିକା ପ୍ରକାଶ କରିବା ସହ  ସର୍ବଦଳୀୟ ବୈଠକ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

ଉପନିର୍ବାଚନକୁ ନେଇ ତେଜ୍ ନୂଆପଡ଼ା ରାଜନୀତି । ପୁରୁଖା ନେତା ଓ ଛୋଟ ଦଳଙ୍କୁ ମିଶାଇ ବଳ ବଢ଼ାଉଛି କଂଗ୍ରେସ ।  ଆଜିଠୁ ପଦଯାତ୍ରା କରି ଦଳ ସହ ଲୋକଙ୍କୁ ଯୋଡିବା ପ୍ରୟାସ ଆରମ୍ଭ କରିଛି ବିଜେଡି। ନୂଆପଡ଼ା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା ସହ ପ୍ରଚାରକୁ ଓହ୍ଲାଇ ସାରିଲାଣି । ଏବେ ନଜର ବିଜେପି ଓ ବିଜେଡି କାହାକୁ କରୁଛନ୍ତି ପ୍ରାର୍ଥୀ । ଏହାକୁ ନେଇ ରାଜନୈତିକ ମହଲରେ ଢ଼େର ଚର୍ଚ୍ଚା ମଧ୍ୟ ହେଉଛି । ଏସବୁ ଭିତରେ ନୂଆପଡ଼ା ମଇଦାନକୁ ନୂଆ ଫେସ ଛାଡିବାକୁ ବିଜେପି ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି ।

ନୂଆପଡା ବିଜେପିର ପୁରୁଖା ଚେହେରା ବସନ୍ତ ପଣ୍ଡା ଏବଂ ତାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କ ବଦଳରେ ଏଥର ଖରିଆର ରୋଡ ଏନଏସି ଅଧ୍ୟକ୍ଷା  ସୋନିଆ ଜୈନଙ୍କୁ ବିଜେପି ନୂଆପଡ଼ା ଚେହେରା କରିବ  ବୋଲି ଜୋର୍ ଧରିଛି ଚର୍ଚ୍ଚା । ଏଥି ସହ ଜଣାଶୁଣା ସଙ୍ଗଠକ ତଥା ଆରଏସଏସ  ନେତା  ଯଦୁମଣି ପାଣିଗ୍ରାହୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ଏନେଇ ବିଜେପିର କୋର କମିଟି ବୈଠକରେ ପ୍ରାର୍ଥୀଙ୍କ ନାଁ ଫାଇନାଲ୍ ହେବ ବୋଲି ଜଣାପଡ଼ିଛି ।

ନୂଆପଡ଼ା ପାଇଁ ବିଜେଡି ତାର ପ୍ରାର୍ଥୀ  ଘୋଷଣା କରିନି କିନ୍ତୁ ଗଡରକ୍ଷା କରିବାକୁ ଏବେଠୁ ପ୍ରଚାର ଆରମ୍ଭ କରିଦେଇଛି ଦଳ । ଆଜି ନୂଆପଡାରେ ପଦଯାତ୍ରା ଆରମ୍ଭ କରିଛି ବିଜେଡି। ନୂଆପଡାରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ସ୍ଥିର କରିଥିବା ବେଳେ ସୁପ୍ରିମୋଙ୍କ ଘୋଷଣା ବାକି ଅଛି ।  ଏପଟେ ଦଳ ନୂଆପଡା ଯୁଦ୍ଧ ପରିଚଳନା ପାଇଁ ୩ଟି ଗୁରୁତ୍ବପୂର୍ଣ୍ଣ କମିଟି ଗଠନ କରିବା ସହ ପଶ୍ଚିମ ଓଡିଶା ନେତାଙ୍କୁ ଗୁରୁଦାୟିତ୍ବ ଦେଇଛି ବିଜେଡି ।  

ନୂଆପଡା ନିର୍ବାଚନ ରଣାଙ୍ଗନରେ ପ୍ରାର୍ଥୀ ଘୋଷଣାରେ କଂଗ୍ରେସ ଆଗୁଆ ଥିବା ବେଳେ ଏବେ ଦଳ ଛାଡ଼ିଥିବା ପୁରୁଖା ନେତାଙ୍କୁ ଦଳରେ ମିଶାଇବା ସହ ଛୋଟ ଛୋଟ ଦଳକୁ ମିଶାଇ ବଳ ବଢ଼ାଉଛି ।  ପୂର୍ବରୁ କଂଗ୍ରେସ ଛାଡିଥିବା ଲଢୁଆ ଯୁବ ନେତା ରବି ମଙ୍ଗରାଜ ଆଜି ବିଧିବଦ୍ଧ ଭାବେ ନିଜ ସମର୍ଥକଙ୍କ ସହ କଂଗ୍ରେସରେ ମିଶିଛନ୍ତି। ଅଢେଇ ହଜାରରୁ ଅଧିକ ସମର୍ଥକଙ୍କୁ ସାଙ୍ଗରେ ଧରି ରାଲିରେ  କଂଗ୍ରେସରେ ଯୋଗ ଦେଇଛନ୍ତି । ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପିସିସି ସଭାପତି ଭକ୍ତ ଦାସ । ଗାଁକୁ ଗାଁ ପଦଯାତ୍ରା କରି ଲୋକଙ୍କ ସମର୍ଥନ ଲୋଡ଼ୁଛି କଂଗ୍ରେସ ।   

ସେପଟେ ଆଜି ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟର ତାଲିକା ପ୍ରକାଶ ପାଇଛି। ସମୁଦାୟ ଭୋଟର ସଂଖ୍ୟା ୨ ଲକ୍ଷ ୫୩ ହଜାର ୬୨୪ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ୧ ଲକ୍ଷ ୨୪ ହଜାର ୧୦୮ ଓ ମହିଳା ଭୋଟର ୧ ଲକ୍ଷ ୨୯ ହଜାର ୪୯୫ ଅଛନ୍ତି । ନୂଆପଡ଼ା ଉପନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ସର୍ବଦଳୀୟ ବୈଠକ କରିଛନ୍ତି  ମୁଖ୍ୟ ନିର୍ବାଚନ ଅଧିକାରୀ ।