LIVE TV

ନୂଆପଡ଼ା ଉପନିର୍ବାଚନ : ଗଣମାଧ୍ୟମରେ ମନଇଚ୍ଛା ବିଜ୍ଞାପନ ଛାପି ପାରିବେନି ରାଜନୈତିକ ଦଳ ଓ ପ୍ରାର୍ଥୀ

NEWS7
Nuapada By election

ଭୁବନେଶ୍ୱର ୯।୧୦: ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା ଉପନିର୍ବାଚନ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସବୁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌. ଏସ୍‌. ଗୋପାଳନ ବୈଠକରେ କହିଥିଲେ ଯେ, ଚଳିତ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଏଣୁ ନିର୍ବାଚନକୁ ସଫଳ କରିବା ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସମସ୍ତ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ କରିବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ ଭାରତ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ପ୍ରତି ବୁଥ୍‌ରେ ଭୋଟର ସଂଖ୍ୟା ୧୨୦୦ ମଧ୍ୟରେ ସୀମିତ କରାଯାଇଛି ।

ଚଳିତ ଉପନିର୍ବାଚନରେ ୧,୨୪,୧୦୮ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧,୨୯,୪୯୫ ଜଣ ମହିଳା, ୨୧ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କ ସହ ମୋଟ୍,୫୩,୬୨୪ ଜଣ ଭୋଟର ଚୂଡ଼ାନ୍ତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି । ଚୂଡ଼ାନ୍ତ ଭୋଟର ତାଲିକାରେ ୯,୪୨୯ ଜଣ ଯୁବ ଭୋଟର ରହିଥିବା ବେଳେ ୩୯୮୮ ଜଣ ଦିବ୍ୟାଙ୍ଗ ଭୋଟର ଏବଂ ୧୭୮୬ ଜଣ ବରିଷ୍ଠ ନାଗରିକ ରହିଛନ୍ତି । ଚଳିତ ଉପନିର୍ବାଚନ ପାଇଁ ୫୬ଟି ନୂତନ ବୁଥ୍‌ ପ୍ରତିଷ୍ଠା ହୋଇଛି ।

ଉପନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ ବୈଦ୍ୟୁତିକ, ମୁଦ୍ରଣ ଓ ସାମାଜିକ ଗଣମାଧ୍ୟମ ଏବଂ ଓ୍ବେବ୍‌ମିଡ଼ିଆ ସମେତ ସିନେମା ହଲ୍‌, ରେଡ଼ିଓ, ପୋଷ୍ଟର ଓ ହୋଡ଼ିଂ ଆଦି ଜରିଆରେ ବିଜ୍ଞାପନ ଜାରି ପୂର୍ବରୁ ଆୟୋଗଙ୍କ ଅନୁମତି ଜରୁରୀ । ଏଥି ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଅପରାଧିକ ସମ୍ପୃକ୍ତି ନେଇ ଘୋଷଣାନାମା ମୁଦ୍ରିତ ଗଣମାଧ୍ୟମରେ ପ୍ରକାଶ କରିବା ସହ ଆୟୋଗଙ୍କୁ ଏ ବାବଦରେ ଅବଗତ କରାଇବା ବାଧ୍ୟତାମୂଳକ କରାଯାଇଛି । ଦଳ ଓ ପ୍ରାର୍ଥୀଙ୍କ ଖର୍ଚ୍ଚର ବିବରଣୀ, ତାରକା ପ୍ରଚାରକଙ୍କ ତାଲିକା ଏବଂ ଆଦର୍ଶ ଆଚରଣ ବିଧିର ସଠିକ୍‌ ଅନୁପାଳନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ପ୍ରମୋଦ କୁମାର ସାହୁ ଓ ଶ୍ରୀ ରାମଚନ୍ଦ୍ର କିସ୍କୁ, ଯୁଗ୍ମ ଶାସନ ସଚିବ ଗୋପୀନାଥ କୁଅଁର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ଓ ଅନାମିକା ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।