News7 Logo

ସବୁ ସମୟରେ ପ୍ରଧାନମନ୍ତ୍ରୀଙ୍କ ଫୋକସ୍‌ରେ ଥାଏ ଓଡ଼ିଶା, ମୋଦିଙ୍କ ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ

NEWS7
Vijaypal Singh Tomar

ଭୁବନେଶ୍ବର ୧୩।୯: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ସେ କହିଛନ୍ତି, ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଖୁବ୍‌ଶୀଘ୍ର ଏନେଇ କାର୍ଯ୍ୟକ୍ରମ ନିର୍ଣ୍ଣୟ ହେବ । ମୋଦିଙ୍କ ଓଡ଼ିଶା ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ଯେତେବେଳେ ଓଡ଼ିଶା ଗସ୍ତରେ ଆସନ୍ତି ଓଡ଼ିଶାକୁ କିଛି ନା କିଛି ଦେଇକରି ଯାଇଥାନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ସବୁ ସମୟରେ ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଥାଏ ଓଡ଼ିଶା । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ଏକ ବର୍ଷରେ ୭ ଥର ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଫୋକସ୍‌ରେ ସବୁବେଳେ ଯୁବ ବର୍ଗ । ଏହା ତାଙ୍କର ପ୍ରାଥମିକତା ବୋଲି ବିଜୟ ପାଲ୍ ସିଂ ତୋମାର କହିଛନ୍ତି ।

ଅନ୍ୟପଟେ ବୋର୍ଡ ନିଗମ, ମନ୍ତ୍ରୀମଣ୍ଡଳ ସାମ୍ପ୍ରସାରଣ ନେଇ ବିଜେପି ରାଜ୍ୟ ପ୍ରଭାରୀ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ମାସରେ ବହୁତ କିଛି ହେବାକୁ ଯାଉଛି ।

ସେପଟେ ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ବିଜେପି ରାଜ୍ୟ ପ୍ରଭାରୀ ଦମ୍ଭୋକ୍ତିରେ କହିଛନ୍ତି ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ନିଶ୍ଚିତ । ନୂଆପଡାରେ ବିଜେପି ତୃତୀୟ ସ୍ଥାନରେ ଅଛି କେମିତି ଲଢିବ ପ୍ରଶ୍ନରେ କହିଲେ ରାଜ୍ୟରେ ଆଗରୁ ବିଜେପିର ସ୍ଥିତି କ’ଣ ଥିଲା ? ପୂର୍ବରୁ ୨୪ ନିର୍ବାଚନରେ ବିଜେପି ଏକାକୀ ଲଢ଼ିବ ଏବଂ ଓଡ଼ିଶାରେ ସରକାର ଗଠନ କରିବ ବୋଲି ପୂର୍ବରୁ କହିଥିଲି । ଓଡ଼ିଶାରେ ବିଜେପି ସରକାର ଗଠନ ହେଲା । ସେହିପରି ୧୬ରୁ ୧୮ ଲୋକସଭା ଆସନରେ ବିଜୟ ହେବ ବୋଲି କହିଥିଲି ୨୦ ସାଂସଦ ଜିତିଲେ । ତେଣୁ ନୂଆପଡା ଉପ ନିର୍ବାଚନରେ ମଧ୍ୟ ବିଜେପି ବିଜୟୀ ହେବ ବୋଲି କହିଛନ୍ତି ବିଜୟ ପାଲ୍ ସିଂ ତୋମାର ।