ଭୁବନେଶ୍ବର: ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାକୁ ରାଜ୍ୟ ବାର୍ କାଉନସିଲ୍‌ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଏହା ସହ ଘଟଣାର ପ୍ରତିବାଦରେ ବୁଧବାର ରାଜ୍ୟ ବ୍ୟାପୀ ଓକିଲଙ୍କ ପେନ୍‌ ଡାଉନ୍‌ ଡାକରା ଦିଆଯାଇଥିବାବେଳେ, ପୀତବାସ ପଣ୍ଡାଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ତୁରନ୍ତ ଦୋଷୀଙ୍କୁ ଗିରଫ କରି ନ୍ୟାୟିକ ତଦନ୍ତ ଦାବି କରିଛି ବାର୍‌ କାଉନସିଲ।

ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ କହିଛନ୍ତି, ରାଜ୍ୟ ବାର୍ କାଉନସିଲର ସର୍ବାଧିକ ଭୋଟ୍‌ରେ ନିର୍ବାଚିତ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଦୁଇଜଣ ଅଜଣା ଯୁବକ ନିଜ ଘର ସାମ୍ନାରେ ଯେଭଳି ଅମାନୁଷିକ ଭାବେ ହତ୍ୟା କଲେ ତାହାର ପ୍ରତିବାଦରେ ବୁଧବାର ରାଜ୍ୟ ବ୍ୟାପି ଆଇନଜୀବୀ ପେନ୍‌ ଡାଉନ୍‌ ଆନ୍ଦୋଳନ କରିବେ।

ସେ ଆହୁରି କହିଛନ୍ତି, ରାଜ୍ୟର ସବୁ ବାରର ଆଇନଜୀବୀମାନେ କାର୍ଯ୍ୟରୁ ନିବୃତ ରହିବା ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ରାଜ୍ୟ ବାର୍ କାଉନସିଲ ଦଳର ପ୍ରତିନିଧିଗଣ ବ୍ରହ୍ମପୁର ଗ୍ରସ୍ତ କରି ଫେରିବା ପରେ ସେ କହିଛନ୍ତି ରାଜ୍ୟ ସରକାର ତୁରନ୍ତ ଦୋଷୀକୁ ଗିରଫ କରିବ ସହିତ ୧ କୋଟି ଟଙ୍କା ପ୍ରଦାନ କରନ୍ତୁ।