ଭୁନବେଶ୍ଵର: ଉପନିର୍ବାଚନକୁ ନେଇ ସରଗରମ ହୋଇଛି ନୂଆପଡ଼ା ରାଜନୀତି । ପ୍ରଚାରରେ ଦୁଲୁକୁଛି ନୂଆପଡ଼ା ମାଟି। ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ବିଜେପି ଓ ବିଜେଡି ପରେ ଶୁକ୍ରବାର କଂଗ୍ରେସ ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଜାରି କରାଯାଇଛି।  ତାଲିକାରେ ପିସିସି ସଭାପତି ଭକ୍ତ ଦାସଙ୍କ ସହିତ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ବରିଷ୍ଠ ନେତା ସଚିନ ପାଇଲଟ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଯୁବ ଚେହେରା କହ୍ନେୟା କୁମାରଙ୍କ ପରି ହେବିଓ୍ଵେଟ୍ ନେତା ଅଛନ୍ତି।  

ସେହିପରି ପ୍ରଚାର ତାଲିକାରେ  ଅଜୟ ଲଲ୍ଲୁ, ଭକ୍ତ ଦାସ, ରାମଚନ୍ଦ୍ର କାଡାମ, ସପ୍ତଗିରି ଉଲାକା, ଗିରିଧର ଗମାଙ୍ଗ, ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ନରସିଂହ ମିଶ୍ର, କିଶୋର ପଟେଲ୍, ତାରା ବାହିନୀପତି, ସନ୍ତୋଷ ସିଂ ସାଲୁଜା, ସୁର ରାଉତରାୟ, ଶରତ ରାଉତ, ଜାତୀୟ ଚେହେରା ଅଲକା ଲାମ୍ବା, ନିରଞ୍ଜନ ପଟ୍ଟନାୟକ,  ମନୋଜ ମିଶ୍ର ସମେତ ୪୦ ଜଣ ତାଲିକାରେ ସାମିଲ୍। ଏହି ସବୁ ନେତା ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ। ଉପନିର୍ବାଚନ ପାଇଁ ସରଗରମ୍ ନୂଆପଡ଼ା ରାଜନୀତି । ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । 

କଂଗ୍ରେସର ରଣନୀତି

ସେପଟେ ଆଗୁଆ ପ୍ରାର୍ଥୀ ଘୋଷଣା କରି ପ୍ରଚାର ଆରମ୍ଭ କରିଦେଇଛି କଂଗ୍ରେସ । ଆସନ୍ତାକାଲି ବିରାଟ ଶୋଭାଯାତ୍ରାରେ ନାମାଙ୍କନ ଭରିବେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ।  ରାମ ନଗରରୁ ବାହାରି ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବେ । ପିସିସି ସଭାପତି ଭକ୍ତ ଦାସଙ୍କ ସହ ଓଡିଶାରୁ ସମସ୍ତ ବିଧାୟକ, ପଡୋଶୀ ଛତିଶଗଡରୁ ଦୁଇ ଜଣ ବିଧାୟକ ଏବଂ ଦିଲ୍ଲୀରୁ ଆସୁଥିବା କିଛି ନେତା ମଧ୍ୟ ଏହି ପର୍ବରେ ସାମିଲ ହେବେ।

ସେହିପରି ନିର୍ବାଚନ ପରିଚାଳନା ପାଇଁ ଏକ ଷ୍ଟିୟରିଂ କମିଟି ଓ ମନିଟରିଂ କମିଟି ଗଠନ କରିଛି କଂଗ୍ରେସ । ଏଥି ପାଇଁ ୩୨ ଜଣ ନେତାଙ୍କୁ ଦାୟିତ୍ବ ଦିଆଯାଇଛି । ବିଧାୟକ. ସାଂସଦ ଏବଂ ପୂର୍ବତନ ବିଧାୟକ ମାନଙ୍କୁ ପଞ୍ଚାୟତ ଜଗିବାକୁ ଦାୟିତ୍ବ ଦେଇଛନ୍ତି ପିସିସି ସଭାପତି । ନୂଆପଡ଼ା ଉପନିର୍ବାଚନ ସବୁ ଦଳ ପାଇଁ ଏସିଡ୍ ଟେଷ୍ଟ ହୋଇଥିବା ବେଳେ କେହି କାହାକୁ ସ୍ପେଶ ଦେବାକୁ ଚାହୁଁ ନାହାନ୍ତି । ଏମିତିରେ ସରଗରମ ହୋଇଛି ନୂଆପଡ଼ା ନିର୍ବାଚନୀ ମାହୋଲ । 

ବିଜେପି ରଣନୀତି

ଗାଁ ଜଗିବାକୁ ଦଳୀୟ  ନେତାଙ୍କୁ  ନିର୍ଦ୍ଦେଶ ଦେଇଛି ବିଜେପି । ନିର୍ବାଚନ ନ ସରିବା ଯାଏଁ କେହି ନୂଆପଡା ନ ଛାଡିବାକୁ କୁହାଯାଇଛି ।  ମନ୍ତ୍ରୀ, ସାଂସଦ,  ବିଧାୟକ ଏବଂ ପୂର୍ବତନ ବିଧାୟକ ମାନଙ୍କୁ ନିର୍ବାଚନ ପରିଚାଳନା ପାଇଁ ଦାୟିତ୍ବ ଦିଆଯାଇଛି । ବୁଥ ସମ୍ଭାଳିବେ ବିଧାୟକ ଏବଂ ପୂର୍ବତନ ବିଧାୟକ । ପଞ୍ଚାୟତ ଜଗିବେ ମନ୍ତ୍ରୀ, ସାଂସଦ । ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ୨ରୁ ଅଧିକ ଥର ନିର୍ବାଚନୀ ପ୍ରଚାରକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି । ଏଥି ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ଏବଂ ଛତିଶଗଡ ନେତା  ମଧ୍ୟ ନୂଆପଡା ଆସି  ପ୍ରଚାର  କରିବେ । ଛତିଶଗଡ଼ ସହ ନୂଆପଡାର ରହିଛି ବ୍ୟବସାୟିକ ସମ୍ପର୍କ ।  ସେଥିପାଇଁ ସେଠାକାର ନେତା ଆସିବେ ନୂଆପଡା ।

ଗତକାଲି ବୈଠକରେ  ବିଜେପି ପୂରା ରଣନୀତି ପ୍ରସ୍ତୁତ କରିଛି । ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।  ଏକାଧିକ ମନ୍ତ୍ରୀ ଓ ରାଜ୍ୟ ସଭାପତି ଓ ବିଧାୟକମାନେ ଉପସ୍ଥିତ ରହିବେ । ଖରିଆର୍ ରୋଡ୍ ରୁ ବିଶାଳ ରୋଡ୍ ଶୋକରି ନୋମିନେସନ କରିବାକୁ ଯିବେ ଜୟ ଢୋଲକିଆ ।

ବିଜେଡି ରଣନୀତି

ସେପଟେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଏବେ  ନିର୍ବାଚନୀ ପ୍ରଚାର ଓ ପରିଚାଳନା ପାଇଁ ସଜବାଜ ହୋଇଛି ବିଜେଡି । ନୂଆପଡ଼ା ପ୍ରଚାର ମୈଦାନରେ ବିଜେଡିର ମଙ୍ଗ ଧରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କ ସହିତ ବିଜେଡିର ତମାମ ନେତା ନୂଆପଡ଼ାରେ ପ୍ରଚାର କରିବେ । ଏଥିପାଇଁ ଏକ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି ।

ଏହି ଷ୍ଟାର ପ୍ରଚାରକ ତାଲିକାରେ ୧୬ ଜଣ ବିଧାୟକ ଥିବା ବେଳେ ଦଳର ତୁଙ୍ଗ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ପ୍ରତାପ ଦେବ ଆଉ ପ୍ରଣବ ପ୍ରକାଶ ଦାସ ରହିଛନ୍ତି । ସେହିପରି ନିର୍ବାଚନ ପରିଚାଳନା ପାଇଁ ନୂଆପଡ଼ା ବ୍ଲକ, ନୂଆପଡ଼ା ଏନ୍ଏସି, କୋମନା ବ୍ଲକ ଓ ଖରିଆର ରୋଡ୍ ଏନ୍ଏସି ପାଇଁ ୫୨ଜଣ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ । ଆସନ୍ତାକାଲି ଏହି ନେତା ମାନେ ନୂଆପଡ଼ାରେ ପହଞ୍ଚି ଦାୟିତ୍ବ ସମ୍ଭାଳିବେ ।