LIVE TV

ଫ୍ରେଣ୍ଡଲି ଫାଇଟ୍ ନୁହେଁ, ଶତ୍ରୁ ତ... ବିହାରରେ ମହାମେଣ୍ଟରୁ ଅଲଗା ହୋଇ ହୁଙ୍କାର ଭରିଲା ଜେଏମଏମ

NEWS7
Bihar Assembly Election

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ମହାମେଣ୍ଟରେ ବଡ଼ ଫାଟ ସୃଷ୍ଟି ହୋଇଛି। ସଂଖ୍ୟା ଏବଂ ଆସନ ଗଣିତ ମଧ୍ୟରେ ହେମନ୍ତ ସୋରେନଙ୍କ ପାର୍ଟି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଧୈର୍ଯ୍ୟର ସହିବା ସୀମା ଭାଙ୍ଗି ଯାଇଛି। ଜେଏମଏମ ବିହାରରେ ଏକାକୀ ଦମରେ ୬ ସିଟ୍ ଉପରେ ନିର୍ବାଚନ ଲଢିବାକୁ ଘୋଷଣା କରିଛି। ଏହା ସହ ବିହାରରେ ମହାମେଣ୍ଟଠୁ ଦୂରେଇ ଯାଇଛି ହେମନ୍ତ ସୋରେନଙ୍କ ପାର୍ଟି। ଅକ୍ଟୋବର ୧୫ ପର୍ଯ୍ୟନ୍ତ ଜେଏମଏମ ପକ୍ଷରୁ ଓ୍ଵେଟ୍ ଆଣ୍ଡ ଓ୍ଵାଚ୍ ନୀତି ଆପଣା ଯାଇଥିଲା। ମାତ୍ର ଏବେ ପାର୍ଟି ସ୍ପଷ୍ଟ କରି ଦେଇଛି ଯେ, ବିହାରରେ କୌଣସି ବନ୍ଧୁତ୍ବପୂର୍ଣ୍ଣ ମୁକାବିଲା ହେବ ନାହିଁ। ଜେଏମଏମର ପାର୍ଟି ସାଧାରଣ ସଂପାଦକ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି ଆମେ ଦୃଢତାର ସହ ନିର୍ବାଚନ ଲଢିବୁ, ଶତ୍ରୁ ତ ଶତ୍ରୁ ହୋଇଥାଏ।

ଜେଏମଏମର ସାଧାରଣ ସଂପାଦକ କହିଛନ୍ତି, ବିହାରରେ ପାର୍ଟି ୬ ସିଟ୍ ଧମଦାହା, ଚକାଇ, କଟୋରିଆ, ମନିହାରୀ, ଜମୁଇ ଓ ପୀରପେନ୍ତିରେ ପୂରା ଶକ୍ତିର ସହ ଲଢିବ। ଅନେକ ସିଟରେ ମହାମେଣ୍ଟରେ ଆରଜେଡି ଓ  କଂଗ୍ରେସର ଫ୍ରେଣ୍ଡଲି ଫାଇଟ୍‌କୁ ନେଇ ଭଟ୍ଟାଚାର୍ଯ୍ୟ କହିଛନ୍ତି, ପ୍ରତିଟି ସ୍ଥାନରେ ପରିସ୍ଥିତି ଅଲଗା ରହିଥାଏ। ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି। କଂଗ୍ରେସ ଆରଜେଡି ବିରୋଧରେ କାହିଁକି ନିର୍ବାଚନ ଲଢୁଛି ? ସିପିଆଇ ଭିଆଇପି ବିରୋଧରେ ନିର୍ବାଚନ କାହିଁକି ଲଢୁଛି ? ନିର୍ବାଚନ ରଣନୀତି ଏମିତି ବଦଳିଥାଏ ବୋଲିସେ କହିଛନ୍ତି।

ଆରଜେଡି ଆମକୁ ସମ୍ମାନଜନକ ସିଟ୍ ଦେଇ ନ ଥିବା ଅଭିଯୋଗ କରିଛି ଜେଏମଏମ। ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି ପାର୍ଟି ସେହି ସିଟ୍ ମାଗିଥିଲା, ଯେଉଁଠି ତାଙ୍କର କାର୍ଯ୍ୟକର୍ତ୍ତା ବିଜେପି-ଜେଡିୟୁ ମେଣ୍ଟ ବିରୋଧରେ ସଂଘର୍ଷ କରିଥିଲେ। ସେ ସେ ଝାଡ଼ଖଣ୍ଡରେ ମହାମେଣ୍ଟର ଧର୍ମ ପାଳନ ମନେ ପକାଇ କହିଛନ୍ତି, ୨୦୧୯ ବିଧାନସଭାରେ ଜେଏମଏମ ଝାଡ଼ଖଣ୍ଡରେ ଆରଜେଡି ଓ କଂଗ୍ରେସକୁ ସମର୍ଥନ ଦେଇ ଲଢିବାକୁ ସିଟ୍ ଦେଇଥିଲା। ଆରଜେଡି ଚତରାରୁ ଜିତିଥିବା  ବିଧାୟକକୁ ଜେଏମଏମ ୫ ବର୍ଷ ପର୍ଯ୍ୟନ୍ତ ମନ୍ତ୍ରୀ ପଦ ଦେଇଥିଲା। ମୁଖ୍ୟମନ୍ତ୍ରୀ ସହଯୋଗୀ ଦଳକୁ ପ୍ରମୁଖତା ଦେଇଥିଲେ।

ସୂଚନାଯୋଗ୍ୟ, ହେମନ୍ତ ସୋରେନଙ୍କ ଜେଏମଏମ ୨୦୨୪ର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆରଜେଡିକୁ ୬ ସିଟ୍ ଦେଇଥିଲା। ଯେଉଁଥିରେ ୪ ସିଟ୍ ଜିତିଥିଲା ଆରଜେଡି। ପାର୍ଟିର ଜଣେ ବିଧାୟକଙ୍କୁ ସୋରେନ ସରକାର ମନ୍ତ୍ରୀ ବି କରିଥିଲେ। ଏହାରି ବଦଳରେ ଜେଏମଏମ ଆରଜେଡିକୁ ବିହାର ବିଧାନସଭା ନିର୍ବାଚନରେ ସିଟ୍ ମାଗିଥିଲା। ହେଲେ ଦଳକୁ ନିରାଶ ହେବାକୁ ପଡ଼ିଛି। ​​​​​​​