ଭଦ୍ରକ : ମୃତ୍ୟୁ ଜୀବନର ଏକ ବଡ଼ ସତ ହୋଇଥିଲେ ମଧ୍ୟ କାହାକୁ ହରାଇବାର ଦୁଃଖ ସବୁବେଳେ ଥାଏ। କାହିଁକିନା ମୃତ୍ୟୁ ପରେ ଚାହିଁଲେ ବି ସେ ଆଉ କେବେ ଫେରି ପାରେନା। ସେଥିପାଇଁ ଇଏ ସତ ହେଲେ ଜୀବନର ଏକ ବଡ଼ ଦୁଃଖ କହିଲେ ଭୁଲ୍ ହେବନି।

ସେମିତି ଏଠି ପୁଅର ମୃତ୍ୟୁ ଖବରକୁ ଶୁଣି ମାଆ କଲେ ଆତ୍ମହତ୍ୟା , ଭଉଣୀ ମଧ୍ୟ ଗୁରୁତର । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଦୋବଲ ସ୍ଥିତ କୋରକୋଦା ଗାଁ ରେ । ଗାଁର ସତ୍ୟରଞ୍ଜନ ତ୍ରିପାଠୀ ଦୀର୍ଘଦିନ ହେବ କିଡନୀ ଜନିତ ରୋଗ ରେ ପୀଡ଼ିତ ଥିଲେ । କିଡନୀ ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକତା ଥିବାରୁ ମା ମୀରା ତ୍ରିପାଠୀ ତାଙ୍କୁ କିଡନୀ ଦେଇଥିଲେ। ଦୀର୍ଘ ଦିନର ଚିକିତ୍ସା ପରେ ସତ୍ୟରଞ୍ଜନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଖବର ପାଇବା ପରେ ଘରେ ତାଙ୍କ ମାଆ ମୀରା ତ୍ରିପାଠୀ ଦୁଃଖରେ ଭାଙ୍ଗିପଡ଼ିବା ସହ ଘର ଭିତରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପରେ ଭାଇର ମୃତ୍ୟୁ ଖବର ପାଇବା ପରେ ଭଉଣୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ଯୋଗୁଁ ତାଙ୍କୁ ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।