LIVE TV

ସୂର୍ଯ୍ୟକୁମାର ଦୁବାଇ ଆସି ଟ୍ରଫି ନେଇଯାଆନ୍ତୁ, BCCIକୁ କ୍ଷମା ମାଗି କହିଲେ 'ଯାହା ହେଲା ହେବାର ନଥିଲା'

NEWS7
acia cup

ନୂଆଦିଲ୍ଲୀ ୦୧/୧୦: ଏସିଆ କପ୍‌ ଟ୍ରଫି ବିବାଦ ମାମଲାରେ ନୂଆ ମୋଡ । ମୁଣ୍ଡ ନୁଆଁଇଲା ପାକିସ୍ତାନ । ଏସିସି ବୈଠକରେ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ମୋହସିନ୍‌ ନକ୍‌ଭି ବିସିସିଆଇକୁ କ୍ଷମା ମାଗିବା ପରେ କହିଛନ୍ତି ଯାହା ହେଲା ଏମିତି ହେବାର ନଥିଲା । ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଦୁବାଇ ଆସି ଟ୍ରଫି ନେଇ ଯାଆନ୍ତୁ । ଏମିତି କିଛି ସୂଚନା ଏବେ ସାମ୍ନାକୁ ଆସୁଛି । ଏସିଆ କପ୍‌କୁ ୩ଦିନ ବିତିଗଲାଣି ଭାରତୀୟ ଟିମ୍‌ ପାଖକୁ କେମିତି ବିଜୟୀ ଟ୍ରଫି ଓ ମେଡାଲ ଆସିବ ସେ ନେଇ କୌଣସି ବିଧିବଦ୍ଧ ସୂଚନା ନଥିଲା। ଫାଇନାଲ ମ୍ୟାଚ ପରେ ଭାରତୀୟ ଟିମ୍‌ ସ୍ବଦେଶ ଫେରି ଆସିଥିଲେ । ଏମିତି ସ୍ଥିତିରେ ନକ୍‌ଭି ଅଜବ ସର୍ତ୍ତ ରଖିଥିଲେ । କହିଥିଲେ ଟ୍ରଫି ନେବାକୁ ହେଲେ ସୂର୍ଯ୍ୟକୁମାରଙ୍କୁ ଆସିବାକୁ ହେବ ।

ରବିବାର ଏସିଆ କପ୍‌ ଫାଇନାଲ ପରେ ଟ୍ରଫି ବିବାଦ ଦେଖିବାକୁ ମିଳିଥିଲା । ଭାରତ ୫ ୱିକେଟରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା । କିନ୍ତୁ ବିଜୟୀ ଭାରତ ନକ୍‌ଭିଙ୍କ ହାତରୁ ଟ୍ରଫି ନେବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲା । ନକ୍‌ଭିଙ୍କ ବଦଳରେ ୟୁଏଇ କ୍ରିକେଟ ବୋର୍ଡର ଉପାଧ୍ୟକ୍ଷଙ୍କ ହାତରୁ ଟ୍ରଫି ନେବାକୁ ଚାହୁଁଥିଲା ଭାରତ । ଷ୍ଟେଜ ଉପରେ ଏପରି କିଛି ସମୟ ହାଇଡ୍ରାମା ହୋଇଥିଲା । ହଟହଟା ହେବା ପରେ ଟ୍ରଫି ଧରି ସିଧା ହୋଟେଲ ରୁମ୍‌କୁ ଚାଲିଯାଇଥିଲେ ନକ୍‌ଭୀ । ଜିତିବା ପରେ ମଧ୍ୟ ଭାରତ ବିନା ଟ୍ରଫିରେ ବିଜୟ ଉତ୍ସବ ମନାଇଥିଲା । ନକ୍‌ଭିଙ୍କ ଏପରି କାରନାମାକୁ ନେଇ ତୀବ୍ର ସମାଲୋଚନା କରି ବିସିସିଆଇ କହିଥିଲା ନକ୍‌ଭି ଏସିଆ କପ୍‌କୁ ନିଜର ବ୍ୟକ୍ତିଗତ ସଂପତ୍ତି ଭାବୁଛନ୍ତି ।

ଏସବୁ ଭିତରେ ମଙ୍ଗଳବାର ଫାଇନାଲ ମ୍ୟାଚର ୨ଦିନ ପରେ ଏସିସି ବୈଠକ ବସିଥିଲା । ବୈଠକରେ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ନକ୍‌ଭିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏସିଆ କପ୍‌ ଟ୍ରଫି ଭାରତକୁ ହସ୍ତାନ୍ତର କରିବାକୁ । ହେଲେ ସେ ଏକଥାକୁ ମାନି ନଥିଲେ । ରାଜୀବ ଶୁକ୍ଳା ବାରମ୍ବାର ଟ୍ରଫି ଫେରାଇବା ଦାବି କରିବା ପରେ ଭାରତୀୟ ଅଧିନାୟକ ଏହାକୁ ବ୍ୟକ୍ତିଗତ ଭାବରେ ଏସିସି ଅଫିସ ଆସି ସଂଗ୍ରହ କରିବାକୁ କହିଥିଲେ ନକ୍‌ଭି । ଯାହାର ଖବର ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ବାରମ୍ବାର ଟ୍ରଫି ଫେରାଇବାକୁ କହିବା ସତ୍ତ୍ବେ ନିଜ ଜିଦ୍‌ରେ ଅଟଳ ରହିଥିଲେ ନକ୍‌ଭି । ଏହି ପ୍ରସଙ୍ଗ ବିସିସିଆଇ ପକ୍ଷରୁ ଆଇସିସିରେ ଉଠାଯିବା ନେଇ କୁହାଯାଉଥିଲା । ଶେଷରେ ନକ୍‌ଭିଙ୍କ ମୁହଁ ଟାଣ ଭାଙ୍ଗିଛି ।