LIVE TV

କଟକ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ମମତା ବାନାର୍ଜୀଙ୍କ ଟାର୍ଗେଟ୍, ନଗର ଉନ୍ନୟନ ମନ୍ତ୍ରୀଙ୍କ ଜବାବ- ମମତା ନିଜେ ଦଙ୍ଗା ତିଆରି କରୁଛନ୍ତି

NEWS7
Cuttack News

ଭୁବନେଶ୍ବର ୯୧୦: କଟକରେ ଭସାଣି ବେଳେ ଗଣ୍ଡଗୋଳ ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି, କଟକ ଆଜି ଜଳୁଛି । କେମିତି ଆକ୍ରମଣ ହେଲା ତାହା ସମସ୍ତେ ଦେଖିଛନ୍ତି । ବିଜେପି ପାର୍ଟି କଟକରେ ସାମ୍ପ୍ରଦାୟିକ ହିଂସା କରାଇଛି । ବଜରଙ୍ଗ ଦଳ ଓ ବିଜେପି ଦେଶକୁ ଶେଷ କରିଦେବେ । ଦୁଃଖର ସହ କହୁଛି ମୁଁ ବହୁତ ସରକାର ଦେଖିଛି କିନ୍ତୁ ଏମିତି ଅହଂକାରୀ ସରକାର ଦେଖିନି । ସେମାନେ ମନେ ରଖିବା ଦରକାର ଆଜି କ୍ଷମତା ଅଛି କାଲି କି ନଥିବ । କୌଣସି ଜିନିଷ ସ୍ଥାୟୀ ନୁହେଁ ।

ମମତା ବାନାର୍ଜୀଙ୍କୁ କଡ଼ା ଜବାବ ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ମମତା କୁହାଳିଆ । ସେ କ’ଣ କେତେବେଳେ କହନ୍ତି ନିଜେ ଜାଣନ୍ତି ନାହିଁ । କଟକ ବିଷୟରେ ସେ କ’ଣ ଜାଣିଛନ୍ତି । ପଶ୍ଚିମବଙ୍ଗରେ ସେ ନିଜେ ଦଙ୍ଗା ତିଆରି କରୁଛନ୍ତି । ଆମ ସରକାର ଅନୀତି ବେନିୟମକୁ କେବେ ବି ପ୍ରଶ୍ରୟ ଦିଅନ୍ତି ନାହିଁ ।  ମୁଖ୍ୟମନ୍ତ୍ରୀ କହିସାରିଛନ୍ତି ଯିଏ ଦୋଷୀ ସେମାନଙ୍କୁ ଛଡ଼ାଯିବ ନାହିଁ ।

​​​​​​​

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର କଟକ ଦରଘା ବଜାର ଅଞ୍ଚଳରେ ଭସାଣି ଯାତ୍ରା ବେଳେ ହୋଇଥିବା ଗଣ୍ଡଗୋଳ ଓ ପରେ ରବିବାର ବିଭିନ୍ନ ସଂଗଠନ ପକ୍ଷରୁ ଚାଲିଥିବା ଶୋଭାଯାତ୍ରା ସମୟରେ ହୋଇଥିଲା ହିଂସାକାଣ୍ଡ । ପରେ କଟକ ସହରରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲଗାଯାଇଥିଲା । କର୍ଫ୍ୟୁ ପ୍ରତ୍ୟାହାର ପରେ ମଙ୍ଗଳବାର ସକାଳ ୧୦ଟା ପରେ ସ୍ଥିତି ସାମାନ୍ୟ ହୋଇଥିଲା । ଲୋକେ ଯିବା ଆସିବା କରୁଥିଲେ, ଗାଡ଼ି ମଟର ଚାଲୁଥିବା ବେଳେ କିଛି ସ୍ଥାନରେ ଲୋକେ ଦୋକାନ ବଜାର ବନ୍ଦ ରଖିଥିଲେ । ବୁଧବାର କଟକ ବାଦାମବାଡ଼ି ଠାରୁ ଆରମ୍ଭ କରି ଦୋଳମୁଣ୍ଡାଇ ହରିପୁର, ରାଣୀହାଟ ଭଳି ଅନେକ ସ୍ଥାନରେ ଦୋକାନ ବଜାର ଖୋଲିଥିଲା । ଗାଡ଼ି ମଟର ଚଳାଚଳ କରିବାରେ ଲାଗିଥିଲା । ପୂର୍ବ ଦିନ ମାନଙ୍କ ଭଳି ଜନଜୀବନ ସ୍ଵାଭାବିକ ହେବାରେ ଲାଗିଥିଲା । ୩୬ ଘଣ୍ଟାର କର୍ଫ୍ୟୁ ପରେ ଗୋଟିଏ ନୂଆ କଟକ ଭଳି ପରିଲକ୍ଷିତ ହୋଇଥିଲା । କିଛି ଲୋକେ ନିଜର କର୍ମକ୍ଷେତ୍ରକୁ ଯିବା ପାଇଁ ବାହାରିଥିଲେ । ଯେହେତୁ ଶାନ୍ତ ପଡ଼ିଛି କଟକ ତେଣୁ ଏହାକୁ ନେଇ ସମସ୍ତଙ୍କ ମନରେ ଖୁସି ଅଛି ।

ସେହିଭଳି ଗତ ଶୁକ୍ରବାର ଓ ରବିବାର ଗଣ୍ଡଗୋଳ ଘଟିଥିବା ଦରଘା ବଜାର ଜେଲ୍ ରୋଡ ଅଞ୍ଚଳରେ ମଧ୍ୟ ଜଣଜୀବନ ସ୍ଵାଭାବିକ ଦେଖିବାକୁ ମିଳିଥିଲା । ଛକ ଛକରେ ପୋଲିସ ପଇଁତରା ମାରୁଥିବା ବେଳେ ବ୍ୟବସାୟୀ ମାନେ ଦୋକାନ ବଜାର ଖୋଲିଛନ୍ତି । ମନରେ ଟିକେ ଭୟ ରହିଥିବା ବେଳେ ମଧ୍ୟ ପୋଲିସ ଉପସ୍ଥିତି ବ୍ୟବସାୟୀ ମାନଙ୍କ ମନକୁ ସାହସ ଦେଇଛି । ଯେହେତୁ ଆଗକୁ ଦୀପାବଳି ଆସୁଛି ତେଣୁ ଦୋକାନ ସଫେଇ ସହ ପୂଜା ମଧ୍ୟ ହେବାକୁ ଯାଉଛି । ପୂର୍ଣ୍ଣିମା ବ୍ୟବସାୟ ମାଡ଼ ଖାଇ ଯାଇଥିବା ବେଳେ ଦୀପାବଳି ବ୍ୟବସାୟ ପାଇଁ ମଧ୍ୟ ଆଶା ବାନ୍ଧି ବସିଛନ୍ତି ।