ଭୁବନେଶ୍ବର ୧୦: ଅକ୍ଟୋବରରେ ପୁଣି ଆସୁଛି ବାତ୍ୟା । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବ । ଲଘୁଚାପଟି କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ୨୫ ତାରିଖ ବେଳକୁ ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ । ଆସନ୍ତା ୨୬ ତାରିଖ ବେଳକୁ ଏହା ଗଭୀର ଅବପାତରେ ପରିଣତ ହେବ । ପରେ ଏହା ଅଧିକ ଘନୀଭୂତ ହୋଇ ୨୭ ତାରିଖରେ ବାତ୍ୟାରେ ପରିଣତ ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବେ ଲଘୁଚାପଟି ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଘଣ୍ଟା ପ୍ରତି ଏହା ୩ କି.ମି. ବେଗରେ ଗତି କରୁଛି ।

ତେବେ ଏହା ନିର୍ଦ୍ଦିଷ୍ଟ ଭାବେ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ସ୍ପଷ୍ଟ କରିନି IMD । ଅବପାତ ପରେ ହିଁ ଏହାର ସ୍ଥିତି ବିଷୟରେ ଅଧିକ ଜଣାପଡ଼ିବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ୧୯୯୯ ମହାବାତ୍ୟାର ଚିତ୍ର ଏବେବି ଲୋକଙ୍କ ମନରୁ ଲିଭିନଥିବା ବେଳେ ସେଇ ଅକ୍ଟୋବରରେ ପୁଣି ଏକ ବାତ୍ୟା ସମ୍ଭାବନାକୁ ନେ ଲୋକଙ୍କ ମନରେ ଛନକା ପସିଛି ।​​​​​​​

​​​​​​​

​​​​​​​

 

ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ୨୭ ତାରିଖ ସକାଳେ ସୃଷ୍ଟି ହୋଇପାରେ ବାତ୍ୟା । ୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କି.ମି .ରହିପାରେ । ପ୍ରାୟ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୭ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ମଧ୍ୟ ବର୍ଷା ଆକଳନ କରାଯାଇଛି । ୨୮ ଓ ୨୯ ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିବ । ୨୮ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ବର୍ଷା ସମ୍ଭାବନା ରହିଛି । ୨୯ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁରରେ ବର୍ଷା ସମ୍ଭାବନା ରହିଛି । ୩୦ ତାରିଖ ପରେ ପାଣିପାଗରେ ପରିବର୍ତ୍ତନ ଆସିବ । ୨୬ରୁ ୨୯ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।