LIVE TV

କୋହଲି-ରୋହିତ ପୁଣି ଥରେ ଖେଳିବେ ଡୋମେଷ୍ଟିକ କ୍ରିକେଟ୍, ୨୦୨୭ ବିଶ୍ଵକପ୍ ପାଇଁ ରହିଛି ଏମିତି ସମୀକରଣ

NEWS7
Rohit and Kohli

ନୂଆଦିଲ୍ଲୀ: ରୋହିତ ଶର୍ମା ଓ ବିରାଟ କୋହଲି ଯୋଡ଼ିଙ୍କୁ ବିଜୟ ହଜାରେ ଟ୍ରଫିରେ ଦେଖିବାକୁ ମିଳିପାରେ।   ଦୁହେଁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଅତି କମରେ ତିନୋଟି କିମ୍ବା ଚାରୋଟି ମ୍ୟାଚ୍ ଖେଳି ପାରନ୍ତି। ବିଜୟ ହଜାରେ ଟ୍ରଫି ହେଉଛି ଲିଷ୍ଟ-ଏ ଟୁର୍ଣ୍ଣାମେଣ୍ଟ ଏବଂ ମ୍ୟାଚ୍ ୫୦ ଓଭର ବିଶିଷ୍ଟ ମ୍ୟାଚ୍।

ପିଟିଆଇର ରିପୋର୍ଟ ଅନୁସାରେ, ଯଦି ଦୁଇ ଖେଳାଳି ୨୦୨୭ ବିଶ୍ଵକପ୍ ଖେଳିବାକୁ ଚାହାନ୍ତି ତେବେ ସେମାନଙ୍କୁ ନ୍ୟୁଜିଲାଣ୍ଡ ସିରିଜ୍ ପୂର୍ବରୁ ଅତି କମରେ ଦୁଇଟି ବିଜୟ ହଜାରେ ଟ୍ରଫି ମ୍ୟାଚ୍ ଖେଳିବାକୁ ପଡ଼ିବ। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ସମାପ୍ତ ହେବା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଆରମ୍ଭ ହେବା ମଧ୍ୟରେ ଦିଲ୍ଲୀ ଓ ମୁମ୍ବାଇର ୬ଟି  ବିଜୟ ହଜାରେ ଟ୍ରଫି ମ୍ୟାଚ୍ ରହିଛି। ଜାତୀୟ ଚୟନକର୍ତ୍ତା ଆଶା କରୁଛନ୍ତି ଯେ, ଦୁଇ ଅନୁଭବୀ ଖେଳାଳି ନିଜ ନିଜ ଦଳ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ।        

ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦିନିକିଆ ଡିସେମ୍ବର ୬ରେ ବିଶାଖାପଟନମ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଜାନୁଆରୀ ୧୧ରେ ବଦୋଦରାରେ ଖେଳାଯିବ। ଏହି ଦୁଇ ସିରିଜ ଭିତରେ ପାଞ୍ଚ ସପ୍ତାହର ବ୍ୟବଧାନ ରହିଛି। ବିଜୟ ହଜାରେ ଟ୍ରଫି ଡିସେମ୍ବର ୨୪ରୁ ଆରମ୍ଭ ହେବ। ମୁମ୍ବାଇ ଡିସେମ୍ବର ୨୪, ୨୬, ୨୯, ୩୧ ଓ ଜାନୁଆରୀ ୩,୬ ତାରିଖରେ ନିଜର ମ୍ୟାଚ୍ ଖେଳିବ। ଏମିତିରେ ରୋହିତ ଶର୍ମା ଅନ୍ତତଃ ତିନୋଟି ମ୍ୟାଚ୍ ଖେଳିବେ। ବିରାଟ କୋହଲିଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ।

ରୋହିତ-କୋହଲି ଶେଷ ଥର କେବେ ଖେଳିଥିଲେ ବିଜୟ ହଜାରେ ଟ୍ରଫି ?

ବିରାଟ କୋହଲି ବିଜୟ ହଜାରେ ଟ୍ରଫି ଶେଷ ଥର ୨୦୧୦ ଫେବୃଆରୀରେ ଖେଳିଥିଲେ। ସେହି ସମୟରେ ସେ ଦିଲ୍ଲୀର ନେତୃତ୍ଵ ନେଇଥିଲେ। ଅନ୍ୟପଟେ ରୋହିତ ଶର୍ମା ଶେଷ ଥର ୨୦୧୮ ଅକ୍ଟୋବରରେ ବିଜୟ ହଜାରେ ଟ୍ରଫି ଖେଳିଥିଲେ। ସେ ମୁମ୍ବାଇ ପାଇଁ ଦୁଇଟି ମ୍ୟାଚ୍ ଖେଳିଥିଲେ। କ୍ଵାର୍ଟର ଫାଇନାଲରେ ବିହାର ବିପକ୍ଷରେ ଅପରାଜିତ ୩୩ ରନ ଏବଂ ସେମି ଫାଇନାଲରେ ହାଇଦ୍ରାବାଦ ବିପକ୍ଷରେ ୧୭ ରନ କରିଥିଲେ।

ଉଭୟଙ୍କ ଆଗାମୀ ସିରିଜ୍

ଏବେ ରୋହିତ ଓ ବିରାଟ ଅକ୍ଟୋବର ୧୯ରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବେ। ରୋହିତ ଗତ ଦିନିକିଆ ସିରିଜରେ ଅଧିନାୟକ ଥିଲେ। ଏବେ ସେ ଶୁଭମନ ଗିଲ୍‌ଙ୍କ ନେତୃତ୍ଵରେ ଖେଳିବେ। ବିସିସିଆଇ ଗିଲ୍‌ଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ରୋହିତ ଓ ବିରାଟ ପ୍ରଥମେ ଟି-୨୦ ଏବଂ ପରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଦୁହେଁ ଟି-୨୦ ବିଶ୍ଵକପ୍ ଜିତିବା ପରେ ୨୦୨୪ରେ ଟି-୨୦ ଅନ୍ତର୍ଜାତୀୟ ଏବଂ ୨୦୨୫ ମେରେ ଟେଷ୍ଟରୁ ସନ୍ନ୍ୟାସ ନେଇଥିଲେ। ଉଭୟଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ୨୦୨୫ ଥିଲା। ଭାରତ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ ହୋଇଥିଲା।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ

ଶୁଭମନ ଗିଲ୍(ଅଧିନାୟକ), ଶ୍ରେୟସ ଆୟର(ଉପ ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ(ଓ୍ଵିକେଟ୍ କିପର), ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ଓ୍ଵାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ(ଓ୍ଵିକେଟ୍ କିପର), କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣା, ଯଶସ୍ଵୀ ଜୟସ୍ଵାଲ।