LIVE TV

ସବ୍ ଇନ୍ସପେକ୍ଟର କାର୍ତ୍ତିକ ଜେନା ନିଲମ୍ବିତ, ତଦନ୍ତ ପାଇଁ ନକଲି ପୋଲିସ ପଠାଇ ଏସ୍‌ଆଇ ଫସିଲେ

NEWS7
si suspend

ଭଦ୍ରକ ୧୦/୧୦: ଘରୋଇ ମାମଲା ରୁଜୁ ପରେ ତଦନ୍ତ ପାଇଁ ଯାଇଥାନ୍ତେ ତଦନ୍ତକାରୀ ଅଧିକାରୀ । କିନ୍ତୁ ନିଜେ ନ ଯାଇ ସରକାରୀ ବାଇକ୍ ଦେଇ ମଧ୍ୟସ୍ଥି ଭାବେ ଜନୈକ ଯୁବକଙ୍କୁ ତଦନ୍ତ ପାଇଁ ପଠାଇଥିଲେ ପୋଲିସ ବାବୁ । ମଧ୍ୟସ୍ଥି ଜଣକ ମଧ୍ୟ ଗାଁକୁ ଯାଇ ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚି କିଛି ଟଙ୍କା ମଧ୍ୟ ମାଗିଥିଲେ । ସ୍ଥାନୀୟ ଲୋକେ ସନ୍ଦେହ କରି ପରିଚୟ ପତ୍ର ମାଗିବାରୁ ନିଜକୁ ଗୁଇନ୍ଦା ବିଭାଗ କର୍ମଚାରୀ କହିଥିଲେ ।

ପରେ ଗ୍ରାମବାସୀ ଯୁବକଙ୍କୁ ଅଟକ ରଖି ପୋଲିସକୁ ଡାକିବାରୁ ପୋଲିସ ଯାଇ ଚିହ୍ନଟ କରିଥିଲା ଯେ ଯୁବକ ଜଣକ ଅସଲି ପୋଲିସ ନୁହନ୍ତି । ଶେଷରେ ଏହି ରୋଚକ ଘଟଣା ରେ ପୋଲିସ ଏସଆଇଙ୍କୁ ନିଲମ୍ବନ କରାଯାଇଛି । ମଧ୍ୟସ୍ଥି ତଥା ନକଲି ପୋଲିସ କହିଥିବା ଯୁବକ ଙ୍କୁ ଅଟକ ରଖିଚି ପୋଲିସ । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ବଳଭଦ୍ରପୂର୍ , ରସିକାବାଦ ଅଞ୍ଚଳ ରେ ଘରୋଇ ବିବାଦ କୁ ନେଇ ଗ୍ରାମାଞ୍ଚଳ ଥାନା ରେ ଦୁଇ ଜଣ ମହିଳା ଅଭିଯୋଗ ଆଣିଥିଲେ ।

ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ କାର୍ତ୍ତିକ ଜେନା ଙ୍କୁ ଦାୟିତ୍ଵ ଦିଆଯାଇଥିଲା । କିନ୍ତୁ ତଦନ୍ତକାରୀ ଅଧିକାରୀ ଅଭିଯୋଗକାରିଣୀ ଙ୍କୁ ଏକ ମୋବାଇଲ୍ ନମ୍ବର୍ whatsapp ରେ ପଠାଇଥିଲେ । ତେବେ ମୋବାଇଲ୍ ନମ୍ୱର୍ ରେ ଯୋଗାଯୋଗ ପରେ ଜନୈକ ଯୁବକ ନିଜକୁ ପଣ୍ଡା ବାବୁ ବୋଲି ପରିଚୟ ଦେବା ସହ ତଦନ୍ତ ପାଇଁ ଗାଁକୁ ଯାଇଥିଲେ । ପୋଲିସ ଠାଣିରେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ପରେ କିଛି ଟଙ୍କା ମାଗିଥିଲେ । କିନ୍ତୁ ସ୍ଥାନୀୟ ଲୋକଙ୍କୁ ସନ୍ଦେହ ହେବାରୁ ନକଲି ପୋଲିସ ପରିଚୟ ଦେଇଥିବା ଯୁବକ ଓ ବାଇକ ଅଟକ ରଖି ପୋଲିସକୁ ଜଣାଇଥିଲେ ।

ଭଦ୍ରକ ଗ୍ରାମାଂଚଳ ପୋଲିସ ପହଞ୍ଚି ଯୁବକ ଜଣକ ପୋଲିସ ନୁହନ୍ତି ବୋଲି ଚିହ୍ନଟ କରିବା ସହ ଥାନା କୁ ଆଣି ଅଟକ ରଖିଚି । ଏହି ଘଟଣାକୁ ନେଇ ଅଭିଯୋଗକାରିଣୀ ଭଦ୍ରକ ଗ୍ରାମାଞ୍ଚଳରେ ଲିଖିତ ଏତଲା ଦେଇଥିଲେ । ଭଦ୍ରକ ଏସପି ମନୋଜ ରାଉତ ଅଭିଯୋଗ ଆଧାରରେ ଗ୍ରାମାଞ୍ଚଳ ଥାନା ର ଏସ ଆଇ କାର୍ତ୍ତିକ ଜେନାଙ୍କୁ ନିଲମ୍ବିତ କରିଥିବା ନେଇ ଫୋନ୍ ଯୋଗେ ସୂଚନା ଦେଇଛନ୍ତି ।