ଭୁବନେଶ୍ୱର: ଧୁମ୍ ଧାମରେ ପାଳନ ହେଉଛି ଝାରପଡ଼ା ଦୁର୍ଗା ପୂଜା। ସପ୍ତମୀ ପୂଜାରେ ମା’ଙ୍କ ଦର୍ଶନ କରିବା ପାଇଁ ପ୍ରବଳ ଭିଡ ଜମିଛି। କିଏ ମାଙ୍କୁ ଦର୍ଶନ କରି ଭାବରେ ବିଭୋର ହୋଇଯାଇଛନ୍ତି ତ ଆଉ କିଏ ମା’ଙ୍କ ସହ ଫଟୋ ଉଠାଇ ସେଲ୍‌ଫି ନେଉଛନ୍ତି। ଚଳିତ ବର୍ଷ ଝାରପଡ଼ା ଦୁର୍ଗା ପୂଜା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଝାରପଡ଼ା ମେଲଣ ପଡ଼ିଆରେ ଅନୁଷ୍ଠିତ ଦୁର୍ଗା ପୂଜା ପାଇଁ ଭିଡ ନିୟନ୍ତ୍ରଣ କରିବାକୁ କମିଟି ପକ୍ଷରୁ ବ୍ୟବସ୍ଥା ହୋଇଛି।

ଝାରପଡ଼ା ମେଲଣ ପଡିଆ ପର୍ଯ୍ୟନ୍ତ ଚାରି ଚକିଆ ଗାଡ଼ି ଭିତରକୁ ପ୍ରବେଶ ନିଷେଧ କରାଯାଇଛି।  ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଦୁଇଟି ପ୍ରବେଶ ପଥ ଥିବାବେଳେ ପ୍ରସ୍ଥାନ ପଥ ମଧ୍ୟ କରାଯାଇଛି। ଝାରପଡ଼ା ଦୁର୍ଗା ପୂଜା ସମିତିର ମୁଖ୍ୟ ଜଗନ୍ନାଥ ପ୍ରଧାନ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା କରିଛନ୍ତି। ସୋମବାର ସନ୍ଧ୍ୟାରେ ମା’ଙ୍କ ଦର୍ଶନ ଲାଗି ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ଓ ବିଧାୟକ ବାବୁ ସିଂ ପହଞ୍ଚିଥିଲେ। ଭୁବନେଶ୍ୱରରେ ଆକର୍ଷଣୀୟ ତରୋଣ ସହ ପୂଜାର ମେଢ଼ ବୁଲିବା ସହ ଲୋକଙ୍କ ସହ କଥା ହୋଇଥିଲେ ମନ୍ତ୍ରୀ ଓ ବିଧାୟକ। ଶାନ୍ତି ଶୃଙ୍ଖଳାରେ ପୂଜା ନିୟନ୍ତ୍ରଣ କରିବାକୁ ପୋଲିସ ଫୋର୍ସ , ସି ଆର ପି , ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି।